Image Courtesy of The Financial Express
ମୁମ୍ବାଇ: ପୁଞ୍ଜିନିବେଶ ପାଇଁ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ। ଏଠାରେ ଦୁର୍ନୀତି ବିହୀନ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ରହିଛି। କମ୍ ଖର୍ଚରେ ବ୍ୟବସାୟ ଆରମ୍ଭ କରିହେବା ଭଳି ପରିବେଶ ରହିଛି। ଏହି ସବୁ ସୁବିଧାର ଲାଭ ନେବା ଲାଗି ଓଡ଼ିଶାରେ ଆସି ପୁଞ୍ଜିନିବେଶ କରିବାକୁ ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପୁଞ୍ଜିନିବେଶକାରୀଙ୍କୁ ଆହ୍ବାନ ଦେଇଛନ୍ତି। ମୁମ୍ବାଇ ଠାରେ ଆୟୋଜିତ ଗ୍ଲୋବାଲ୍ କେମିକାଲ୍ସ ଆଣ୍ଡ୍ ପେଟ୍ରୋକେମିକାଲକ୍ସ ମାନୁଫାକଚରିଂ ହବ୍ ଇନ୍ ଇଣ୍ଡିଆ ନାମକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ ଏହି ଆହ୍ବାନ ଦେଇଛନ୍ତି। ପାରାଦୀପ ଠାରେ ପେଟ୍ରୋଲିୟମ୍, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ୍ ରିଜିଅନ୍ (ପିସିପିଆଇଆର୍)ର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି। ପାରାଦୀପରେ ପ୍ଲାଷ୍ଟିକ୍ ପାର୍କ ମଧ୍ୟ ସ୍ଥାପନ କରାଯାଇଛି। ଏସବୁ ଭିତ୍ତିଭୂମିର ଲାଭ ଉଠାଇବା ଲାଗି ଆଗେଇ ଆସିବାକୁ ସେ ପୁଞ୍ଜିନିବେଶକାରୀଙ୍କୁ କହିଛନ୍ତି। ଏହି ଅବସରରେ ଏମ୍ଏସ୍ଏମ୍ଇ କମିସନର ତଥା ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ଓଡ଼ିଶାରେ ସୁଲଭ ମୂଲ୍ୟରେ ଶ୍ରମ ଶକ୍ତି, ଅନୁକୂଳ ବିଦ୍ୟୁତ ମୂଲ୍ୟ ଏବଂ ଅଳ୍ପ ଖର୍ଚରେ ଜୀବନଯାପନ ସୁବିଧା ରହିଛି। କୋଇଲା, ବକ୍ସାଇଟ ଓ କ୍ରୋମିୟମ ଭଳି ଖଣିଜ ସମ୍ପଦରେ ଓଡ଼ିଶା ଭରପୁର। ତେଣୁ ପୁଞ୍ଜିନିବେଶ ଲାଗି ଏହା ହେଉଛି ସବୁଠୁ ଶ୍ରେଷ୍ଠ ସ୍ଥାନ ବୋଲି ସେ କହିଛନ୍ତି।
Follow Us