ଓଡ଼ିଶା ମୋବାଇଲ୍‌ ବଜାର ମାନ୍ଦା: ଅକ୍ଟୋବରରେ ମାତ୍ର ୧୦ ହଜାର ନୂଆ ଗ୍ରାହକ

ବର୍ଷେରୁ ଅଧିକ ଦିନ ଯାଏଁ କରିବାକୁ ପଡ଼ିବନି ରିଚାର୍ଜ, ପ୍ରତିଦିନ ମିଳିବ ୩ ଜିବି ଡାଟା

hands texting with mobile phones in cafe

ଅନ୍ୟ ସମସ୍ତ ରାଜ୍ୟ ତୁଳନାରେ କମ୍‌, ପ୍ରତି ୧୦୦ରେ ୨୪ ଜଣ ଏବେବି ମୋବାଇଲ୍‌ ସେବାଠାରୁ ଦୂରରେ
ଭୁବନେଶ୍ବର: ଓଡ଼ିଶାର ମୋବାଇଲ୍‌ ସେବା ବଜାର ଏକପ୍ରକାର ମାନ୍ଦା ହୋଇଯାଇଛି। ନୂଆ ଗ୍ରାହକ ସଂଖ୍ୟାରୁ ଏଭଳି ସଙ୍କେତ ମିଳୁଛି। ଚଳିତ ବର୍ଷ ଅକ୍ଟୋବରରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟା ମାତ୍ର ୧୦,୩୦୦ ବଢ଼ିଛି। ପ୍ରଥମ ଥର ଲାଗ ଏଭଳି ଘଟଣା ଘଟିଛି। ଦେଶର ଅନ୍ୟ ସମସ୍ତ ରାଜ୍ୟ ଓଡ଼ିଶା ତୁଳନାରେ ଢେର ଅଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ିଛନ୍ତି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ସଦ୍ୟତମ ରିପୋର୍ଟରୁ ଏହି ଚିତ୍ର ସାମ୍ନାକୁ ଆସିଛି।

ଚିନ୍ତାର ବିଷୟ ଏହା ଯେ ରାଜ୍ୟରେ ମୋବାଇଲ୍‌ ସେବାର ଅଭିବୃଦ୍ଧି ଲାଗି ବିପୁଳ ସୁଯୋଗ ରହିଛି। ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୭୬ ଜଣଙ୍କ ପାଖରେ ମୋବାଇଲ୍‌ ସଂଯୋଗ ଥିବା ବେଳେ ୨୪ ଜଣ ଏବେବି ସେଥିରୁ ବଞ୍ଚିତ। କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର, ପଞ୍ଜାବ, କେରଳ, ହିମାଚଳପ୍ରଦେଶ ଓ ଦିଲ୍ଲୀରେ ଜନସଂଖ୍ୟା ଠାରୁ ମୋବାଇଲ୍‌ ସଂଯୋଗ ସଂଖ୍ୟା ଅଧିକ ରହିଛି। ଓଡ଼ିଶା ଏକ୍ଷେତ୍ରରେ ବହୁ ପଛରେ ରହିଛି। କେଉଁଥି ପାଇଁ ନୂଆ ମୋବାଇଲ୍‌ ଗ୍ରାହକ ସଂଖ୍ୟା ହ୍ରାସ ପାଇଛି ତାହାର କାରଣ ରିପୋର୍ଟରେ ଦିଆଯାଇନାହିଁ। କରୋନା ମହାମାରୀ ପରେ ସାରା ଦୁନିଆ ଡିଜିଟାଲ୍‌ ଜଗତ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଥିବା ବେଳେ ଓଡ଼ିଶାର ଡିଜିଟାଲ୍ ସଂଯୋଗ ସ୍ଥିତି ନିଶ୍ଚିତରୂପେ ଚିନ୍ତାର ବିଷୟ। ଅନ୍‌ଲାଇନ୍‌ରେ ପାଠପଢ଼ା ଠାରୁ ଆରମ୍ଭ କରି ଜୁମ୍‌ ଭିଡିଓ କଲ୍‌ ପର୍ଯ୍ୟନ୍ତ ଅନେକ କିଛି କାର୍ଯ୍ୟ ମୋବାଇଲ୍‌ ଫୋନ୍ ମାଧ୍ୟମରେ ହେଉଛି। ଏବେବି ରାଜ୍ୟର ୨୪ ପ୍ରତିଶତ ଲୋକ ଏହି ସବୁ ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି।

ରାଜ୍ୟରେ ସରକାରୀ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ସମେତ ଘରୋଇ କଂପାନି ଭାରତୀ ଏୟାରଟେଲ୍‌, ରିଲାଏନ୍ସ ଜିଓ ଓ ଭୋଡାଫୋନ୍ ଆଇଡିଆ ମୋବାଇଲ୍‌ ସେବା ପ୍ରଦାନ କରୁଛନ୍ତି। ଚଳିତ ବର୍ଷ ଅକ୍ଟୋବରରେ ଏୟାରଟେଲ୍‌ ୭୫୨୯, ଭୋଡାଫୋନ୍ ଆଇଡିଆ ୨୧,୧୦୦ ଓ ବିଏସ୍‌ଏନ୍‌ଏଲ୍‌ ୩୩,୬୦୭ ଜଣ ଗ୍ରାହକ ହରାଇଛନ୍ତି। ଏକମାତ୍ର କଂପାନି ଭାବେ ଜିଓ ୭୨,୩୮୧ ନୂଆ ଗ୍ରାହକ ଯୋଡ଼ିଛି। ଯେହେତୁ ଅନେକ ଗ୍ରାହକ ମୋବାଇଲ୍‌ ନେଟ୍‌ୱର୍କରୁ ବାହାରି ଯାଇଛନ୍ତି ତେଣୁ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ମୋବାଇଲ୍‌ ଗ୍ରାହକ ସଂଖ୍ୟା ମାତ୍ର ୧୦,୧୩୦ ବୃଦ୍ଧି ଘଟିଛି। ରାଜ୍ୟରେ ଏବେ ୩ କୋଟି ୩୩ ଲକ୍ଷ ୧୭ ହଜାର ୨୭୩ ଜଣ ମୋବାଇଲ୍ ଗ୍ରାହକ ଅଛନ୍ତି। ‌ସେଥିରୁ ଜିଓ ପାଖରେ ୧ କୋଟି ୩୪ ଲକ୍ଷ ୮୧, ୪୭୨ ଜଣ, ଏୟାରଟେଲ୍‌ରେ ୧ କୋଟି ୮ ଲକ୍ଷ ୩୪ ହଜାର ୫୮୩ ଜଣ, ଭୋଡାଫୋନ୍‌ ଆଇଡିଆରେ ୨୬ ଲକ୍ଷ ୭୬ ହଜାର ୭୭୮ ଜଣ ଓ ବିଏସ୍‌ଏନ୍‌ଏଲ୍‌ ପାଖରେ ୬୩ ଲକ୍ଷ ୨୪ ହଜାର ୬୯ ଜଣ ଗ୍ରାହକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe