ଜିଏସ୍‌ଟି ଅଭିବୃଦ୍ଧିରେ ଓଡ଼ିଶା ଦ୍ବିତୀୟ: ପେଟ୍ରୋଲ୍, ମଦରୁ ୮୨୪ କୋଟି ଆୟ

ପେନ୍‌ ଉପରୁ ଜିଏସ୍‌ଟି କମାଇବାକୁ ନିବେଦନ

Jagran

ଭୁବନେଶ୍ବର: ଚଳିତ ବର୍ଷ ଜୁଲାଇ ମାସରେ ରାଜ୍ୟରେ ପେଟ୍ରୋଲିୟମ୍ ସାମଗ୍ରୀ ଓ ମଦରୁ ୮୨୪.୫୩ କୋଟି ଟଙ୍କାର ମୂଲ୍ୟ ଯୁକ୍ତ ଟିକସ (ଭାଟ୍) ସଂଗ୍ରହ କରାଯାଇଛି। ଗତବର୍ଷ ଜୁଲାଇରେ ହୋଇଥିବା ୬୧୧.୩୬ କୋଟି ଟଙ୍କାର ଭାଟ୍ ଆୟ ତୁଳନାରେ ଏହା ୩୪.୮୬ ପ୍ରତିଶତ ଅଧିକ। ଚଳିତ ବର୍ଷ ଜୁଲାଇରେ ପେଟ୍ରୋଲ୍ ଓ ଡିଜେଲ୍ ଭଳି ପେଟ୍ରୋଲିୟମ୍ ସାମଗ୍ରୀ ବିକ୍ରିରୁ ୬୭୪.୫୩ କୋଟି ଟଙ୍କାର ଭାଟ୍ ମିଳିଛି ଯାହା ପୂର୍ବବର୍ଷ ଜୁଲାଇରେ ହୋଇଥିବା ୫୦୧.୩୬ କୋଟି ଟଙ୍କା ସଂଗ୍ରହ ତୁଳନାରେ ୩୪.୫୪ ପ୍ରତିଶତ ଅଧିକ। ସେହିପରି ମଦ ବିକ୍ରିରୁ ୧୫୦.୦୧ କୋଟି ଟଙ୍କାର ଭାଟ୍ ସଂଗ୍ରହ କରାଯାଇଛି। ମଦ ଭାଟ୍‌ରେ ଚଳିତ ବର୍ଷ ଜୁଲାଇରେ ୩୬.୩୬ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ଜୁଲାଇରେ ମଦରୁ ୧୧୦.୪୩ କୋଟି ଟଙ୍କାର ଭାଟ୍ ମିଳିଥିଲା ବୋଲଇ ଓଡ଼ିଶା ବାଣିଜ୍ୟକର ଓ ଜିଏସ୍‌ଟି କମିସନରେଟ୍‌ଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି।

ଜିଏସ୍‌ଟି ସମ୍ପର୍କରେ ସୂଚନା ଦେଇ କମିସନରେଟ ତରଫରୁ କୁହାଯାଇଛି ଯେ ଜୁଲାଇ ମାସରେ ରାଜ୍ୟରେ ୩୬୧୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ପୂର୍ବବର୍ଷ ଜୁଲାଇରେ ହୋଇଥିବା ୨୩୪୮ କୋଟି ଟଙ୍କା ତୁଳନାରେ ୫୪% ଅଧିକ। ଜୁଲାଇରେ ୧୦୬୭ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି), ୯୨୭ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି), ୧୦୨୮ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୫୯୨ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି। ଜୁଲାଇରେ ରାଜ୍ୟରେ ଦ୍ବିତୀୟ ସର୍ବାଧିକ ମାସିକ ଜିଏସ୍‌ଟି ସଂଗ୍ରହ ହୋଇଛି। ଏହା ପୂର୍ବରୁ ଏପ୍ରିଲ୍‌ରେ ୩୮୪୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଥିଲା। ଓଡ଼ିଶାର ଅଭିବୃଦ୍ଧି ହାର ମହାରାଷ୍ଟ୍ର ପରେ ଦ୍ବିତୀୟ ସର୍ବାଧିକ ରହିଛି।

ଲୌହ ଇସ୍ପାତ ସାମଗ୍ରୀ ଓ ଖଣିଜ ଦ୍ରବ୍ୟ ମୂଲ୍ୟରେ ବୃଦ୍ଧି ଯୋଗୁଁ ଜିଏସ୍‌ଟି ସଂଗ୍ରହ ଅଧିକ ହୋଇପାରିଛି। ଟିକସଦାତାଙ୍କ ସଂଖ୍ୟା ବଢ଼ାଇବା ଲାଗି କମିସନରେଟ୍ ତରଫରୁ ଉଦ୍ୟମ କରାଯାଉଥିବାରୁ ଚଳିତ ବର୍ଷ ଜୁଲାଇ ସୁଦ୍ଧା ୯୩୮୬ ଜଣ ନୂଆ ଟିକସଦାତା ସାମିଲ କରାଯାଇଛି। ୨୦୨୧ରେ ଜୁଲାଇ ମାସ ପର୍ଯ୍ୟନ୍ତ ରାଜ୍ୟରେ ୧୩,୬୬୧ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି। ଚଳିତ ବର୍ଷ ୨୮% ବୃଦ୍ଧି ସହ ୧୧.୨୩ ଲକ୍ଷ ଇ-ୱେ ବିଲ୍ ସୃଷ୍ଟି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe