ଭୁବନେଶ୍ୱର: ଡାଲି, ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ଜିଏସ୍ଟିରେ ଟିକସମୁକ୍ତ କରାଯାଇ ଥିବାରୁ ଓଡ଼ିଶା ଏ ବାବଦରେ ବର୍ଷକୁ ପ୍ରାୟ ୬୦୦ କୋଟି ଟଙ୍କା ହରାଉଛି। ସେହିଭଳି ଓଡ଼ିଶାର ଏକ ମୁଖ୍ୟ ଟିକସ ଉତ୍ସ ହେଉଛି ଖଣିଜ ସାମଗ୍ରୀ। ସମୁଦାୟ ଟିକସର ପ୍ରାୟ ୧୨ ପ୍ରତିଶତ ଖଣିଜ ସାମଗ୍ରୀରୁ ରାଜ୍ୟକୁ ମିଳିଥାଏ। ଜିଏସ୍ଟି କାର୍ଯ୍ୟକାରୀ ହେବା ପୂର୍ବରୁ ସରକାର ଖଣିଜ ସାମଗ୍ରୀ ଉପରୁ ୫ ପ୍ରତିଶତ ଭାଟ୍ ସହିତ ୧ ପ୍ରତିଶତ ପ୍ରବେଶ ଶୁଳ୍କ ଆଦାୟ କରୁଥିଲେ। ଏବେ ଏହି ସାମଗ୍ରୀ ଉପରୁ ୫ ପ୍ରତିଶତ ଜିଏସ୍ଟି ଆଦାୟ ହେଉଥିଲେ ମଧ୍ୟ ଓଡ଼ିଶାକୁ ଏହାର ଅଂଶ ବାବଦରେ ମିଳିବ ମାତ୍ର ୨.୫ ପ୍ରତିଶତ ଟିକସ ରାଜସ୍ୱ। ଜିଏସ୍ଟି ବ୍ୟବସ୍ଥାରେ ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟକୁ କେନ୍ଦ୍ର ସରକାର ଟିକସ ହ୍ରାସଜନିତ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି। ତାହା ପରେ କ’ଣ ହେବ ସେ ନେଇ ସ୍ପଷ୍ଟ ହୋଇନାହିଁ। ଏସବୁ ଅନିଶ୍ଚିତତା ଓ କ୍ଷତି ସତ୍ତ୍ୱେ ଓଡ଼ିଶା ସରକାର ବ୍ୟବସାୟ ବାତାବରଣକୁ ସହଜ କରିବା ଲକ୍ଷ୍ୟରେ ଏହି ଟିକସ ସଂସ୍କାରକୁ ସମ୍ପୂର୍ଣ୍ଣ ସମର୍ଥନ କରି ଆସୁଛନ୍ତି ବୋଲି ରାଜ୍ୟ ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ମତ ଦେଇଛନ୍ତି। ସ୍ଥାନୀୟ ଜୟଦେବ ଭବନ ପରିସରରେ ଜିଏସ୍ଟିର ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଜିଏସ୍ଟି ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବେହେରା ଏହା କହିଛନ୍ତି। ଏତଦ୍ବ୍ୟତୀତ ମୟୂରଭଞ୍ଜ ଜିଲ୍ଲାର ଜନଜାତିମାନଙ୍କର ମୁଖ୍ୟ ଜୀବନଜୀବିକା ଓ ପରିବେଶ ଅନୁକୂଳ ଶାଳ ଏବଂ ଶିଆଳି ପତ୍ରରେ ନିର୍ମିତ କପ୍ପ୍ଲେଟ୍ ଓ ସବାଇ ଘାସରେ ନିର୍ମିତ ଦଉଡ଼ିକୁ କରମୁକ୍ତ କରିବାକୁ ଓଡ଼ିଶା ଦାବି କରି ଆସୁଛି। ଜିଏସ୍ଟି ପରିଷଦ ଦ୍ୱାରା ଗଠିତ ଫିଟ୍ମେଣ୍ଟ କମିଟି ଏହାକୁ କରମୁକ୍ତ କରିବା ଉପରେ ବିଚାର କରୁଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡ଼ିଶାର ବୁଣାକାର, ଓଡ଼ିଆ ଭାଷାରେ ପ୍ରସ୍ତୁତ ଆଞ୍ଚଳିକ ସିନେମା ଜିଏସ୍ଟି ବ୍ୟବସ୍ଥା ଯୋଗୁଁ କ୍ଷତି ସହୁଛନ୍ତି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ, ଜିଏସ୍ଟି, କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ବିଭାଗର ମୁଖ୍ୟ ଆୟୁକ୍ତ ରାଜେଶ କୁମାର ଶର୍ମା, ରାଜ୍ୟଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଅଶୋକ କୁମାର ମୀନା ଓ ରାଜ୍ୟ ବାଣିଜ୍ୟିକ ଟିକସ ଓ ଜିଏସ୍ଟି ଆୟୁକ୍ତ ଶାଶ୍ୱତ ମିଶ୍ର ଧନ୍ୟବାଦ ଦେଇଥିଲେ।
କ୍ଷତି ସତ୍ତ୍ୱେ ଜିଏସ୍ଟିକୁ ଓଡ଼ିଶାର ସମର୍ଥନ
Advertisment
Follow Us