ଭୁବନେଶ୍ବର: ରାଜ୍ୟ ସରକାର ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ୪୦୦୦ କୋଟି ଟଙ୍କା ଋଣ କରିବେ। ନଭେମ୍ବର ଓ ଡିସେମ୍ବରରେ ସରକାର ଏହି ଋଣ ଆଣିବାକୁ ଯୋଜନା ରଖିଛନ୍ତି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ସରକାର ନଭେମ୍ବର ମାସରେ ୧୦୦୦ କୋଟି ଟଙ୍କା ଏବଂ ଡିସେମ୍ବର ମାସରେ ୩୦୦୦ କୋଟି ଟଙ୍କା ଋଣ ଆଣିବେ। ବିଭିନ୍ନ ରାଜ୍ୟର ସରକାରଙ୍କ ସହ ଆଲୋଚନା କରି ରିଜର୍ଭ ବ୍ୟାଙ୍କ ରାଜ୍ୟଗୁଡ଼ିକର ବଜାର ଋଣର ଏକ ସମ୍ଭାବ୍ୟ ଋଣ କ୍ୟାଲେଣ୍ଡର ଜାରି କରିଛି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ରାଜ୍ୟଗୁଡ଼ିକ ବଜାରରୁ ୩,୨୦,୧୨୧ କୋଟି ଟଙ୍କାର ଋଣ କରିବେ ବୋଲି ରିଜର୍ଭ ବ୍ୟାଙ୍କକୁ ଜଣାଇଛନ୍ତି। ସାପ୍ତାହିକ ଭିତ୍ତିରେ ଏଥିପାଇଁ ନିଲାମ ହେବ।
ଓଡ଼ିଶା ସରକାର ନଭେମ୍ବର ୧୯, ଡିସେମ୍ବର ୩, ଡିସେମ୍ବର ୧୭ ଓ ଡିସେମ୍ବର ୨୪ରେ ହେବାକୁ ଥିବା ନିଲାମରେ ଅଂଶଗ୍ରହଣ କରିବେ। ପ୍ରତି ଥର ବଜାରରୁ ୧୦୦୦ କୋଟି ଟଙ୍କାର ଋଣ ଆଣିବେ ବୋଲି ସୂଚନା ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟଗୁଡ଼ିକର ପ୍ରକୃତରେ କେତେ ଟଙ୍କା ଋଣ କରିବେ ତାହା ନିଲାମର କିଛି ଦିନ ପୂର୍ବରୁ ଜଣାପଡ଼ିବ। ରାଜ୍ୟଗୁଡ଼ିକର ଆବଶ୍ୟକତା, ଭାରତ ସରକାରଙ୍କ ଅନୁମୋଦନ ଓ ବଜାର ସ୍ଥିତି ଉପରେ ତାହା ନିର୍ଭର କରିବ। ବଜାର ସ୍ଥିତିକୁ ନଜରରେ ରଖି ଏହି ନିଲାମକୁ କିଭଳି ନିରବଚ୍ଛିନ୍ନ ଭାବେ ସମ୍ପାଦନ କରିହେବ ତାହା ଉପରେ ରିଜର୍ଭ ବ୍ୟାଙ୍କ ଧ୍ୟାନ ଦେଉଛି।
Follow Us