ପ୍ରତିଭୂତିରୁ ୧୦୦୦ କୋଟି ଜୁଟାଇବ ଓଡ଼ିଶା: ଖୁଚୁରା ନିବେଶକ ବିଡ୍‌ ଦାଖଲ କରିପାରିବେ

ଚଳିତ ମାସରେ ଓଡ଼ିଶା ସରକାର ପ୍ରତିଭୂତି ନିଲାମ କରି ୧୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ ଓଡ଼ିଶା ୮ ବର୍ଷିଆ ଓ ୨୪ ବର୍ଷିଆ ଅବଧିର ସରକାରୀ ପ୍ରତିଭୂତି ନିଲାମ କରିବ।

reserve bank

Photograph: (Mint)

ଭୁବନେଶ୍ବର: ଚଳିତ ମାସରେ ଓଡ଼ିଶା ସରକାର ପ୍ରତିଭୂତି ନିଲାମ କରି ୧୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ ଓଡ଼ିଶା ୮ ବର୍ଷିଆ ଓ ୨୪ ବର୍ଷିଆ ଅବଧିର ସରକାରୀ ପ୍ରତିଭୂତି ନିଲାମ କରିବ। ଉଭୟ ମିଆଦର ପ୍ରତିଭୂତିରୁ ୫୦୦ କୋଟି ଟଙ୍କା ଲେଖାଏଁ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ମାସରେ ଓଡ଼ିଶା ସମେତ ୮ଟି ରାଜ୍ୟ ପ୍ରତିଭୂତି ନିଲାମ କରି ମୋଟ ୧୨,୮୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମହାରାଷ୍ଟ୍ର ସର୍ବାଧିକ ୫୦୦୦ କୋଟି ଟଙ୍କା, ଉତ୍ତରପ୍ରଦେଶ ୨୦୦୦ କୋଟି ଟଙ୍କା, ବିହାର ୧୫୦୦ କୋଟି ଟଙ୍କା, ଗୁଜରାଟ ୧୦୦୦ କୋଟି ଟଙ୍କା ଓ ତାମିଲନାଡ଼ୁ ୧୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଚାହୁଛି। ଚଳିତ ମାସ ୧୪ରେ ରିଜର୍ଭ ବ୍ୟାଙ୍କର ଇ-କୁବେରରେ ଏହି ପ୍ରତିଭୂତିଗୁଡ଼ିକୁ ନିଲାମ କରାଯିବ। ଏହି ନିଲାମ ପ୍ରକ୍ରିୟାରେ ଖୁଚୁରା ନିବେଶକମାନେ ଭାଗ ନେଇ ବିଡ୍‌ ଦାଖଲ କରିପାରିବେ ଓ ପ୍ରତିଭୂତି ନିଲାମ ପ୍ରକ୍ରିୟାର ଅଂଶ ହୋଇପାରିବେ। ସେମାନେ ରିଜର୍ଭ ବ୍ୟାଙ୍କର ରିଟେଲ୍‌ ଡାଇରେକ୍ଟ ପୋର୍ଟାଲ୍‌ରେ ନିଲାମ ପାଇଁ ବିଡ୍‌ ଦାଖଲ କରିପାରିବେ। 

ଏହା ପୂର୍ବରୁ ଗତ ଅଗଷ୍ଟରେ ହୋଇଥିବା ସରକାରୀ ପ୍ରତିଭୂତି ନିଲାମରେ ବିଭିନ୍ନ ରାଜ୍ୟ ମିଳିତ ଭାବେ ୨୮,୮୯୨ କୋଟି ଟଙ୍କା ସଂଗ୍ରହ କରିଥିଲେ। ଯେହେତୁ ଏହା ଏକ ସୁରକ୍ଷିତ ନିବେଶ ବିକଳ୍ପ, ତେଣୁ ଏଥିପ୍ରତି ନିବେଶକମାନଙ୍କ ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳୁଛି। ସେହି ପର୍ଯ୍ୟାୟରେ ଓଡ଼ିଶା ୮ ବର୍ଷିଆ ଅବଧିର ୧୦୦୦ କୋଟି ଟଙ୍କାର ପ୍ରତିଭୂତି ନିଲାମ କରିଥିଲା ଯାହାର ୟିଲ୍‌ଡ ୭.୨୫ ପ୍ରତିଶତ ଧାର୍ଯ୍ୟ କରାଯାଇଛି। ଅର୍ଥାତ ଯେଉଁ ନିବେଶକମାନେ ସେଥିରେ ନିବେଶ କରିଛନ୍ତି, ସେମାନଙ୍କୁ ୭.୨୫ ପ୍ରତିଶତର ରିଟର୍ଣ୍ଣ ମିଳିବ। ପୂର୍ବରୁ ହୋଇଥିବା କିଛି ପର୍ଯ୍ୟାୟ ନିଲାମରେ ଉପଲବ୍ଧ ପ୍ରତିଭୂତିଠାରୁ ଅଧିକ ବିଡ୍‌ ଦାଖଲ  ହେଉଛି। ରାଜ୍ୟଗୁଡ଼ିକ ମଧ୍ୟ ବିଡ୍‌କୁ ଗ୍ରହଣ କରିବା ବେଳେ ବେଶ୍ ସତର୍କତା ଅବଲମ୍ବନ କରୁଛନ୍ତି। ଅଧିକ ମୂଲ୍ୟର ବିଡ୍‌କୁ ସେମାନେ ଗ୍ରହଣ କରିବାକୁ ଚାହୁନାହାନ୍ତି। କେତେକ ରାଜ୍ୟ ୨୫-୩୦ ବର୍ଷ ଭଳି ଲମ୍ବା ଅବଧିର ପ୍ରତିଭୂତି ଜାରି କରି ପାଣ୍ଠି ସଂଗ୍ରହ କରିବାକୁ ଉପରେ ଜୋର ଦେଉଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe