ଉପକୃତ ହେବ ଓଡ଼ିଶା: ବୟନ ଶିଳ୍ପ ପାଇଁ ୧୦,୬୮୩‌ କୋଟିର ଯୋଜନା

Advertisment
ଉପକୃତ ହେବ ଓଡ଼ିଶା: ବୟନ ଶିଳ୍ପ ପାଇଁ ୧୦,୬୮୩‌ କୋଟିର ଯୋଜନା

The Indian Wire

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ବୟନ ଶିଳ୍ପ ଲାଗି ୧୦,୬୮୩ କୋଟି ଟଙ୍କାର ପ୍ରୋତ୍ସାହନ ଭିତ୍ତିକ ଯୋଜନା ଘୋଷଣା କରିଛନ୍ତି। ପାଞ୍ଚ ବର୍ଷରେ ଏହି ପ୍ରୋତ୍ସାହନ ପ୍ରଦାନ କରାଯିବ। ଏହି ଯୋଜନା ଦ୍ବାରା ଓଡ଼ିଶା ସମେତ ଗୁଜରାଟ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଉପକୃତ ହେବେ। ଏହି ଯୋଜନା ଫଳରେ ଦେଶରେ ଅଧିକ ମୂଲ୍ୟ ବିଶିଷ୍ଟ କପଡ଼ା, ପୋଷାକ ଏବଂ ବୈଷୟିକ ବସ୍ତ୍ର ଉତ୍ପାଦନକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିପାରିବ। ଏହାର ଅନ୍ତର୍ଗତ ପ୍ରୋତ୍ସାହନ ଢାଞ୍ଚାକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯାହାଦ୍ୱାରା ଉଦ୍ୟୋଗଗୁଡ଼ିକ ଏହି କ୍ଷେତ୍ର ଏବଂ ଖଣ୍ଡର ନୂତନ କ୍ଷମତାରେ ନିବେଶ କରିବା ଲାଗି ପ୍ରୋତ୍ସାହିତ ହେବେ। ଯାହା ଫଳରେ ଭାରତ ବିଶ୍ଵ ବୟନ ବାଣିଜ୍ୟ କ୍ଷେତ୍ରରେ ନିଜର ଆଧିପତ୍ୟ ପୁଣିଥରେ ହାସଲ କରିବାରେ ସକ୍ଷମ ହୋଇପାରିବ।

ଏହି ଯୋଜନାରେ ପାଞ୍ଚ ବର୍ଷ ମଧ୍ୟରେ ୧୯,୦୦୦ କୋଟି ଟଙ୍କାର ନୂତନ ନିବେଶ ଏବଂ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଉତ୍ପାଦନ ଆଧାରିତ କାରବାର କାରବାର ହେବାର ଆକଳନ କରାଯାଇଛି। ଏହାଛଡ଼ା ଏହି ଯୋଜନା ଏହି କ୍ଷେତ୍ରରେ ଅତିରିକ୍ତ ୭.୫ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ସହାୟକ କାର୍ଯ୍ୟରେ ଲକ୍ଷାଧିକ ପରୋକ୍ଷ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବ। ଏହି ଯୋଜନାରେ କପଡ଼ା ଓ ପୋଷାକ ଏବଂ ବୈଷୟିକ ବସ୍ତ୍ର ଉତ୍ପାଦନ ଲାଗି ପ୍ରୋତ୍ସହନ ପ୍ରଦାନ କରାଯିବ। ସର୍ବନିମ୍ନ ୩୦୦ କୋଟି ଟଙ୍କା ନିବେଶ କରିବାକୁ ଚାହୁଥିବା ବ୍ୟକ୍ତି କିମ୍ବା ସଂସ୍ଥାଙ୍କୁ ଏହି ଯୋଜନାରେ ପ୍ରଥମ ଭାଗିଦାରୀ ଭାବେ ଆବେଦନ କରିବାର ସୁଯୋଗ ମିଳିବ। ସର୍ବନିମ୍ନ ୧୦୦ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତିଙ୍କୁ ଯୋଜନାର ଦ୍ବିତୀୟ ଭାଗଦାରୀ ଭାବେ ବିଚାର କରାଯିବ। ବୈଷୟିକ ବସ୍ତ୍ର ହେଉଛି ନୂତନ ପିଢ଼ିର ବସ୍ତ୍ର, ଏହାର ଉପଯୋଗ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ହୋଇଥାଏ। ଏଥିରେ ଭିତ୍ତିଭୂମି, ଜଳ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ପ୍ରତିରକ୍ଷା, ସୁରକ୍ଷା, ଅଟୋମୋବାଇଲ, ବିମାନ ଚଳାଚଳ ଆଦି ସାମିଲ ରହିଛି। ବୈଷୟିକ ବସ୍ତ୍ରର ଉପଯୋଗ ଫଳରେ ଅର୍ଥ ବ୍ୟବସ୍ଥାର ଏହି କ୍ଷେତ୍ରର ଦକ୍ଷତାରେ ଯଥେଷ୍ଟ ବୃଦ୍ଧି ଘଟିବ।

ଉଲ୍ଲେଖଯୋଗ୍ୟ, ୨୦୨୧-୨୨ କେନ୍ଦ୍ର ବଜେଟରେ ୧.୯୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା କରାଯାଇଥିଲା। ବୟନ ଶିଳ୍ପ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଏହାର ଅଂଶବିଶେଷ। ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା ସହିତ ଭାରତରେ ଆଗାମୀ ୫ ବର୍ଷ ମଧ୍ୟରେ ୩୭.୫ ଲକ୍ଷ କୋଟି ଟଙ୍କାର ସର୍ବନିମ୍ନ ଉତ୍ପାଦନ ହେବ ବୋଲି ଅନୁମାନ କରାଯାଉଛି। ଏଥିସହିତ ପାଞ୍ଚ ବର୍ଷ ମଧ୍ୟରେ ଅତିକମରେ ୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe