ନିତି ଆୟୋଗକୁ ଏସ୍‌ଡିଜି ପରାମର୍ଶ ଚିଠା ପଠାଇବ ଓଡ଼ିଶା

Advertisment
ନିତି ଆୟୋଗ ରିପୋର୍ଟ: କୋଟିଏରୁ ଅଧିକ ଓଡ଼ିଆ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ

Jagran Josh

ଭୁବନେଶ୍ବର: ଓଡ଼ିଶା ସରକାର ଖୁବ୍‌ଶୀଘ୍ର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଇଣ୍ଡେକ୍ସ ୪.୦କୁ ନେଇ ଏକ ପରାମର୍ଶ ନୋଟ୍ ନିତି ଆୟୋଗକୁ ପଠାଇବେ। ସେଥିରେ ସବୁ ବିଭାଗରୁ ମିଳିଥିବା ମତ ରହିବ। ଆଜି ଖାରବେଳ ଭବନରେ ଏସ୍‌ଡିଜିକୁ ନେଇ ରାଜ୍ୟ ସରକାର ଓ ନିତି ଆୟୋଗ ମଧ୍ୟରେ ହୋଇଥିବା କର୍ମଶାଳାରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିତି ଆୟୋଗ ଉପଦେଷ୍ଟା ସଂଯୁକ୍ତା ସମାଦାର କହିଛନ୍ତି ଯେ ଓଡ଼ିଶା ହେଉଛି ସଂସ୍କାର ଓ ନବସୃଜନର ଏକ ରାଜ୍ୟ। ଏସ୍‌ଡିଜି ଫ୍ରେମ୍‌ୱର୍କକୁ ସୁଦୃଢ଼ କରିବା ଲାଗି ନିତି ଆୟୋଗ ଟିମ୍ ସର୍ବଦା ଏଠାରୁ ମୂଲ୍ୟବାନ ପରାମର୍ଶ ପାଇଥାଏ। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏସ୍‌ଡିଜି ଇଣ୍ଡେକ୍ସ ୪.୦ର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଆଜିର କର୍ମଶାଳାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ ମାନବ ବିକାଶ ସୂଚୀ ପାଇଁ ରହିଥିବା ଲକ୍ଷ୍ୟକୁ ହାସଲ କରିବା ଲାଗି ବିଭିନ୍ନ ପ୍ରକାର ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ତାହାର ଲାଭ ସମାଜର ପ୍ରତିଟି ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରାଯାଉଛି। ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ୪.୦ରେ ଥିବା ୧୬ ପ୍ରକାର ଲକ୍ଷ୍ୟର ଯେଉଁ ୧୧୫ ମାନଦଣ୍ଡ ରହିଛି ତାହା ଉପରେ ନିଜର ମତାମତ ପ୍ରଦାନ କରିବା ଲାଗି ସେ ସବୁ ବିଭାଗଗୁଡ଼ିକୁ କହିଛନ୍ତି। ଉନ୍ନୟନ କମିସନର ପ୍ରଦୀପ ଜେନା କହିଛନ୍ତି ଯେ ଏସ୍‌ଡିଜିରେ ଓଡ଼ିଶାର ସ୍କୋରରେ ଉନ୍ନତି ହେଉଛି। ୨୦୧୮ରେ ସ୍କୋର ୫୮ ଥିଲା ଯାହା ୨୦୨୧ରେ ୬୧କୁ ବୃଦ୍ଧି ପାଇଛି। ଏସ୍‌ଡିଜିର ୨୦୨୦-୨୧ ସୂଚୀରେ ଏସ୍‌ଡିଜି-୧୩ ଓ ଏସ୍‌ଡିଜି ୧୪ରେ ଓଡ଼ିଶା ଏକ ନମ୍ବର ରୢାଙ୍କ ହାସଲ କରିଥିବା ବେଳେ ୯ଟି ମାନଦଣ୍ଡରେ ଅଗ୍ରଣୀ ଓ ଗୋଟିଏ ମାନଦଣ୍ଡରେ ପ୍ରଦର୍ଶନକାରୀ ଭାବେ ଉଭା ହୋଇଛି। ଏହି ଅବସରରେ ନିତି ଆୟୋଗର ଏସ୍‌ଡିଜି ଅଫିସର ସୌମ୍ୟା ଗୁହା, କୃଷି ଉତ୍ପାଦନ କମିସନର ସଞ୍ଜୀବ ଚୋପ୍ରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe