ଷ୍ଟାର୍ଟଅପ୍‌ରେ ଓଡ଼ିଶା ମହିଳା ବିପ୍ଳବ ଆଣିଛନ୍ତି: ଓମ୍‌କାର ରାଏ

Advertisment
ଷ୍ଟାର୍ଟଅପ୍‌ରେ ଓଡ଼ିଶା ମହିଳା ବିପ୍ଳବ ଆଣିଛନ୍ତି: ଓମ୍‌କାର ରାଏ

ଭୁବନେଶ୍ବର: ପୂର୍ବରୁ ମହିଳାମାନେ ଅଳ୍ପ କେତୋଟି ବୃତ୍ତିରେ ସୀମିତ ଥିଲେ। ବ୍ୟବସାୟ ମୁଖ୍ୟତଃ ପୁରୁଷକୈନ୍ଦ୍ରିକ ଥିଲା। କିନ୍ତୁ ସଂପ୍ରତି ଏ କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ମହିଳାମାନେ ଏବେ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ହାସଲ କରିଛନ୍ତି। ଷ୍ଟାର୍ଟଅପ୍ ସଂସ୍କୃତି ଅର୍ଥନୀତି ପାଇଁ ଏକ ଗେମ୍ ଚେଞ୍ଜର୍‌ ପାଲଟିଥିବାବେଳେ ଓଡ଼ିଶାର ମହିଳାମାନେ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମ୍‌କାର୍‌ ରାଏ କହିଛନ୍ତି। ସେ କହିଛନ୍ତି ଯେ ସ୍ବାସ୍ଥ୍ୟସେବା ଏବଂ ଜୀବ ବିଜ୍ଞାନ ଷ୍ଟାର୍ଟଅପ୍‌ର ୪୮ ପ୍ରତିଶତ, ଖାଦ୍ୟ ପ୍ରକ୍ରିୟାକରଣ, ଖାଦ୍ୟ ଡେଲିଭରି, ଖାଦ୍ୟ ଓ ପାନୀୟ ଷ୍ଟାର୍ଟଅପ୍‌ର ୪୬ ପ୍ରତିଶତ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ବୟନଶିଳ୍ପ ଓ ପୋଷାକ କ୍ଷେତ୍ରରେ ୫୮ ପ୍ରତିଶତ ଷ୍ଟାର୍ଟଅପ ଏବଂ ସୋସିଆଲ ଇମ୍ପାକ୍ଟ କ୍ଷେତ୍ରରେ ୬୩ ପ୍ରତିଶତ ଷ୍ଟାର୍ଟଅପ୍‌ ମହିଳାଙ୍କ ଦ୍ବାରା ଆରମ୍ଭ ହୋଇଛି। କରୋନା ମହାମାରୀ ମଧ୍ୟ ରାଜ୍ୟର ସହରାଞ୍ଚଳର ଉଚ୍ଚାଭିଳାଷୀ ମହିଳାଙ୍କ ପାଇଁ ଉଦ୍ୟୋଗ ଆରମ୍ଭ କରିବା କ୍ଷେତ୍ରରେ ସୁଯୋଗ ଆଣିଛି। ବିଭିନ୍ନ ବୟସର ମହିଳାମାନେ ସେମାନଙ୍କ ଉଦ୍ୟୋଗୀ ସ୍ବପ୍ନ ସାକାର କରିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ବ ଦେଉଥିବାରୁ ରାଜ୍ୟରେ ମହିଳାଙ୍କ ନେତୃତ୍ବରେ ଷ୍ଟାର୍ଟଅପ୍ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୭ ଓ ୨୦୧୮ ବେଳକୁ ମହିଳାମାନେ ୨୦ ପ୍ରତିଶତରୁ କମ୍ ଷ୍ଟାର୍ଟଅପ୍ ଉଦ୍ୟୋଗ ପରିଚାଳନା କରୁଥିବାବେଳେ ୨୦୨୨ରେ ୪୩ ପ୍ରତିଶତ ଷ୍ଟାର୍ଟଅପରେ ମହିଳାମାନେ ସହ ପ୍ରତିଷ୍ଠାତା ରହିଛନ୍ତି। ରାଜ୍ୟ ସରକାରଙ୍କ ଅନୁକୂଳ ନୀତି ଯୋଗୁ ଏହା ସମ୍ଭବ ହୋଇଛି। ଅଧିକନ୍ତୁ ଜାତୀୟ ସ୍ତରରେ ମହିଳାମାନଙ୍କ ଦ୍ବାରା ହାରାହାରି ୧୮ ପ୍ରତିଶତ ଷ୍ଟାର୍ଟଅପ୍ ହୋଇଥିବାବେଳେ ଓଡ଼ିଶାରେ ଏହା ୪୩ ପ୍ରତିଶତ ରହିଛି। ଷ୍ଟାର୍ଟଅପ କ୍ଷେତ୍ରରେ ମହିଳାଙ୍କ ଅଗ୍ରଗତି ପ୍ରେରଣା ଦେଉଥିଲେ ମଧ୍ୟ ଏ କ୍ଷେତ୍ରରେ ଆଗକୁ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି ଶ୍ରୀ ରାଏ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe