ଟିକସ ହ୍ରାସ ପଛର କାହାଣୀ: ବାବୁମାନଙ୍କୁ ଦିଆଯାଇଥିଲା ୭୨ ଘଣ୍ଟାର ସମୟ

ଟିକସ ହ୍ରାସ ପଛର କାହାଣୀ: ବାବୁମାନଙ୍କୁ ଦିଆଯାଇଥିଲା ୭୨ ଘଣ୍ଟାର ସମୟ

ନୂଆଦିଲ୍ଲୀ: ଗତ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂପାନି ଟିକସ ହ୍ରାସ ବିଷୟରେ ଘୋଷଣା କରିଥିଲେ। ଏହି ଘୋଷଣା ଏତେ ସହଜ ନଥିଲା। ଏହା ପୂର୍ବରୁ ଦିଲ୍ଲୀରେ ବସିଥିବା ବାବୁମାନେ ଦିନରାତି ଏକ କରି ପରିଶ୍ରମ କରିଥିଲେ। ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଏହି ଘୋଷଣା ଠିକ୍ ସମୟରେ ହୋଇପାରିଥିଲା।

କଂପାନି ଟିକସ କମାଇବା ଲାଗି ଗତ ବୁଧବାର ଦିନ ଅର୍ଥମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ କାଗଜପତ୍ର ପ୍ରସ୍ତୁତ କରିବା ଲାଗି ଅର୍ଥ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ବାବୁମାନଙ୍କୁ ନିର୍ଦେଶ ଦେଇଥିଲେ। ସେମାନଙ୍କୁ ଦିଆଯାଇଥିଲା ମାତ୍ର ୭୨ ଘଣ୍ଟାର ମହଲତ। ଏତେ କମ୍ ସମୟ ଭିତରେ ବାବୁମାନଙ୍କୁ ଆୟକର ନିୟମରେ ସଂଶୋଧନ କରିବା ଲାଗି ଏକ ଅଧ୍ୟାଦେଶ ପ୍ରସ୍ତୁତ କରିବାର ଥିଲା। କେବଳ ସେତିକି ନୁହେଁ କଂପାନି ଟିକସ ହ୍ରାସକୁ ଆଇନଗତ ଓ ବୈଧାନିକ ଦିଗରୁ ମଧ୍ୟ ଅନୁଧ୍ୟାନ କରିବାର ଥିଲା। ପାହାଡ଼ ଭଳି ଏହି କାର୍ଯ୍ୟକୁ ଶେଷ କରିବା ଲାଗି ବାବୁମାନେ ଓ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଅର୍ଥ ମନ୍ତ୍ରଣାଳୟର ଅନ୍ୟ କର୍ମଚାରୀମାନେ ଲାଗିପଡ଼ିଥିଲେ। ଅଧିକ ସମୟ କାମ (ଓଭର ଟାଇମ୍) କରିଥିଲେ।

କାଗଜପତ୍ର ପ୍ରସ୍ତୁତି କାମ ଗତ ଶୁକ୍ରବାର ଭୋର ସମୟରେ ଶେଷ ହୋଇଥିଲା। ଏହାର କିଛି ସମୟ ପରେ ନିର୍ମଳା ଓ ତାଙ୍କ ଟିମ୍ ଜିଏସ୍‌ଟି ପରିଷଦ ବୈଠକରେ ଯୋଗ ଦେବା ଲାଗି ଗୋଆ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ପୂର୍ବାହ୍ନ ୧୦ଟାରେ ଡକାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ମଳାଙ୍କୁ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ବାବୁମାନଙ୍କ ପାଇଁ ତଥାପି ଆହୁରି ବହୁତ କାମ ବାକିଥିଲା। କିଛି ଘଣ୍ଟା ଭିତରେ ଅଧ୍ୟାଦେଶକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା, ତା’ ପରେ ସେଠାରୁ ତାହାକୁ ନେଇ ରାଷ୍ଟ୍ରପତିଙ୍କ ଦସ୍ତଖତ ଆଣିବା ଏବଂ ଶେଷରେ ଟିକସ ହ୍ରାସ ଉପରେ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରସ୍ତୁତ କରିବାର କାମ ବାକି ଥିଲା। ଅର୍ଥମନ୍ତ୍ରୀ ଦିଲ୍ଲୀରୁ ଗୋଆ ପର୍ଯ୍ୟନ୍ତ ଯାତ୍ରା କରୁଥିବା ବେଳେ ଦିଲ୍ଲୀରେ କାମ କରୁଥିବା ବାବୁମାନେ ଏହି ସବୁ କାର୍ଯ୍ୟ ଶେଷ କରିବାରେ ଲାଗିପଡ଼ିଥିଲେ।

publive-image

ନିର୍ଦ୍ଧାରିତ ସମୟରେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଥିଲା। ଗଣମାଧ୍ୟମ ଜଗତ ଭାବୁଥିଲା ଯେ ଜିଏସ୍‌ଟି ପରିଷଦ ବୈଠକ ଥିବାରୁ ଜିଏସ୍‌ଟି ବିଷୟରେ ହିଁ ଅର୍ଥମନ୍ତ୍ରୀ କିଛି କହିବେ। କିନ୍ତୁ ସେ କଂପାନି ଟିକସ ହ୍ରାସ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ତାଙ୍କ ସାମ୍ବାଦିକ ସମ୍ମିଳନୀ ଚାଲିଥିବା ସମୟରେ ଅଧ୍ୟାଦେଶରେ ରାଷ୍ଟ୍ରପତିଙ୍କ ମୋହର ବାଜି ସାରିଥିଲା ଏବଂ ପ୍ରେସ୍ ବିଜ୍ଞପ୍ତି ମଧ୍ୟ ପ୍ରସ୍ତୁତ ହୋଇ ଗୋଆରେ ଥିବା ଅଧିକାରୀଙ୍କ ପାଖରେ ପହଞ୍ଚିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe