ଓଡ଼ିଶାରେ ତଟବର୍ତ୍ତୀ ପବନ ଶକ୍ତି ସମ୍ଭାବନା ୧୨ ଗିଗାୱାଟ୍

ଓଡ଼ିଶାରେ ତଟବର୍ତ୍ତୀ ପବନ ଶକ୍ତି ସମ୍ଭାବନା ୧୨ ଗିଗାୱାଟ୍

ଭୁବନେଶ୍ବର: ଦେଶର ତଟବର୍ତ୍ତୀ ପବନ ଶକ୍ତି ସମ୍ଭାବନା ୧୧୬୪ ଗିଗାୱାଟ୍ ରହିଥିବା ବେଳେ ଓଡ଼ିଶାରେ ତାହା ୧୨ ଗିଗାୱାଟ୍ ରହିଛି। ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ୱିଣ୍ଡ ଏନର୍ଜି (ଏନ୍‌ଆଇଡବ୍ଲୁଇ) ତରଫରୁ ଏହା ଆକଳନ କରାଯାଇଛି ବୋଲି ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା)ର ନିର୍ଦ୍ଦେଶକ (ଅର୍ଥ) ଡ. ବି କେ ମହାନ୍ତି କହିଛନ୍ତି।

ବିଶ୍ବ ପବନ ଶକ୍ତି ଦିବସ ପରିପ୍ରେକ୍ଷୀରେ କେନ୍ଦ୍ର ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଇରେଡା ସହଯୋଗରେ ଆୟୋଜିତ ଏକ କାର୍ଯ୍ୟକ୍ରମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଲିତ ବୋହରାଙ୍କ ବାର୍ତ୍ତାକୁ ଡ. ମହାନ୍ତି ପାଠ କରିଥିଲେ। ଏହି ଅବସରରେ ଇରେଡାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ କହିଛନ୍ତି ଯେ ଓଡ଼ିଶାରେ ସବୁଜ ଶକ୍ତିର ବିପୁଳ ସମ୍ଭାବନା ରହିଛି। ଏହା ଗ୍ରିନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ନେତୃତ୍ବ ନେଇପାରିବ ବୋଲି ସେ କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଇରେଡା ପକ୍ଷରୁ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ୧,୨୫,୯୧୭ କୋଟି ଟଙ୍କାର ଋଣ ଅକ୍ଷୟ ଶକ୍ତି କ୍ଷେତ୍ରକୁ ଜାରି କରାଯାଇଛି। ସେଥିରୁ ୨୬,୯୧୩ କୋଟି ଟଙ୍କା ପବନ ଶକ୍ତି ପ୍ରକଳ୍ପକୁ ଦିଆଯାଇଛି।

ଏହି ଅବସରରେ ସେ ରାଜ୍ୟର ଅକ୍ଷୟ ଶକ୍ତି ନୀତି ଉପରେ ଆଲୋକପାତ କରିଛନ୍ତି ଯେଉଁଥିରେ ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ ଓ ଭାସମାନ ସୋଲାର ଭଳି ଉଦୀୟମାନ ପ୍ରଯୁକ୍ତି ଓ ଅକ୍ଷୟ ଶକ୍ତି ବିନିର୍ମାଣ ଉପରେ ଗୁରୁତ୍ବାରୋପ କରାଯାଇଥିବା ସେ କହିଛନ୍ତି। ଓଡ଼ିଶ‌ାର ଅକ୍ଷୟ ଶକ୍ତି କ୍ଷେତ୍ରରେ ଥିବା ସମ୍ଭାବନାକୁ ହାସଲ କରିବା ଲାଗି ଆଗେଇ ଆସିବାକୁ ସେ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe