ଓଲା-ଉବର ମିଶ୍ରଣ ଆଲୋଚନା: ରିପୋର୍ଟକୁ ଓଲା ସହ ପ୍ରତିଷ୍ଠାତାଙ୍କ ଖଣ୍ଡନ

Advertisment
ଓଲା-ଉବର ମିଶ୍ରଣ ଆଲୋଚନା: ରିପୋର୍ଟକୁ ଓଲା ସହ ପ୍ରତିଷ୍ଠାତାଙ୍କ ଖଣ୍ଡନ

ନୂଆଦିଲ୍ଲୀ: ଭାରତୀୟ କ୍ୟାବ୍‌ ସେବା ପ୍ରଦାନକାରୀ ଓଲା ଓ ଆମେରିକାର କ୍ୟାବ ସେବା ପ୍ରଦାନକାରୀ କମ୍ପାନି ଉବର ଟେକ୍ନୋଲୋଜି ମଧ୍ୟରେ ମିଶ୍ରଣ ହୋଇପାରେ। ମିଶ୍ରଣ ପାଇଁ ଦୁଇ କମ୍ପାନି ମଧ୍ୟରେ ଆଲୋଚନା ହୋଇଛି ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି। ଓଲାର ସହ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଭବୀଶ ଅଗରୱାଲ ଉବରର ବରିଷ୍ଠ ଅଧିକାରୀଙ୍କୁ ଆମେରିକାର ସାନ୍‌ ଫ୍ରାନସିସ‌୍‌କୋଠାରେ ନିକଟରେ ଭେଟିଛନ୍ତି। କିନ୍ତୁ ରିପୋର୍ଟରେ ସମ୍ଭାବ୍ୟ ମିଶ୍ରଣ ସମ୍ପର୍କିତ କୌଣସି ଆର୍ଥିକ ସୂଚନା ଦିଆଯାଇନାହିଁ। ଭାରତର ତୀବ୍ର ପ୍ରତିଯୋଗିତାମୂଳକ ବଜାରରେ ଉଭୟ କମ୍ପାନି ସଂଘର୍ଷ କରୁଛନ୍ତି। ଯାତ୍ରୀମାନଙ୍କୁ ପ୍ରୋତ୍ସାହନ ଓ ରି‌ହାତି ଆକାରରେ ବିପୁଳ ଅର୍ଥ ଖର୍ଚ୍ଚ କରିଛନ୍ତି। ନିକଟରେ ସେମାନେ ଖାଦ୍ୟ ଓ ଗ୍ରୋସରି ଡେଲିଭରି ଭଳି ସେବା ମଧ୍ୟ ଆରମ୍ଭ କରିଛନ୍ତି।

ତେବେ ଶୁକ୍ରବାର ରାତିରେ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି ଭବୀଶ ଅଗରୱାଲ। ସେ କହିଛନ୍ତି ଏହା ନିହାତି ବାଜେ କଥା। ଆମେ ଏକ ଅତି ଲାଭଦାୟକ କମ୍ପାନି ଏବଂ ଭଲଭାବେ ଆଗକୁ ବଢ଼ୁଛୁ। ଯଦି ଭାରତରେ କୌଣସି କମ୍ପାନି ସେମାନଙ୍କ ବ୍ୟବସାୟ ଛାଡ଼ିବାକୁ ଚାହୁଛନ୍ତି ଆମେ ସେମାନଙ୍କୁ ସ୍ବାଗତ କରୁଛୁ। ଆମର କଦାପି ମିଶ୍ରଣ ହେବନାହିଁ ବୋଲି ଅଗରୱାଲ ଟ୍ବିଟରରେ କହିଛନ୍ତି। ଉଭୟ ଓଲା ଓ ଉବରରେ ଜାପାନର ମାସାୟୋସି ସନ୍‌ଙ୍କ କମ୍ପାନି ସଫ୍ଟବ୍ୟାଙ୍କ ଅର୍ଥ ନି‌େବଶ କରିଛି। ତେଣୁ ଅତୀତରେ ଦୁଇ କମ୍ପାନି ମଧ୍ୟରେ ମିଶ୍ରଣ ପାଇଁ ସଫ୍ଟବ୍ୟାଙ୍କ ଚାପ ପ୍ରୟୋଗ କରିଥିଲା। କିନ୍ତୁ ସେହି ସମୟରେ ତାହା ସଫଳ ହୋଇ ନଥିଲା। ଅନ୍ୟପକ୍ଷରେ ଓଲା ପାଖାପାଖି ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କୁହାଯାଉଛି। ଓଲା ଏହାର ତାମିଲନାଡ଼ୁ କାରଖାନାରେ ଉତ୍ପାଦନ ମଧ୍ୟ ବନ୍ଦ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe