ପୁରୁଣା ପେନ୍‌ସନ୍‌ ସ୍କିମ୍‌: ନାଗରିକଙ୍କ ଉପରେ ବୋଝ

Advertisment

ଚିନ୍ତା ପ୍ରକଟ କଲେ ନିତି ଆୟୋଗ ଉପାଧ୍ୟକ୍ଷ, ଏବେର ସରକାର ନିଷ୍ପତ୍ତି ନେବେ, ଫଳ ଭୋଗିବେ ଆଗାମୀ ସରକାର

ଚିନ୍ତା ପ୍ରକଟ କଲେ ନିତି ଆୟୋଗ ଉପାଧ୍ୟକ୍ଷ, ଏବେର ସରକାର ନିଷ୍ପତ୍ତି ନେବେ, ଫଳ ଭୋଗିବେ ଆଗାମୀ ସରକାର

ପୁରୁଣା ପେନ୍‌ସନ୍‌ ସ୍କିମ୍‌: ନାଗରିକଙ୍କ ଉପରେ ବୋଝ

Business Today

ନୂଆଦିଲ୍ଲୀ : ବହୁ ବର୍ଷ ପୂର୍ବରୁ ବନ୍ଦ କରିଦିଆଯାଇଥିବା ପୁରୁଣା ପେନ୍‌ସନ୍‌ ସ୍କିମ୍‌କୁ କିଛି ରାଜ୍ୟ ପୁଣି ଥରେ ଲାଗୁ କରୁଥିବାରୁ ତାହାକୁ ନେଇ ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ଚିନ୍ତା ପ୍ରକଟ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ କିଛି ରାଜ୍ୟର ସେହି ନିଷ୍ପତ୍ତି ଭବିଷ୍ୟତରେ ଟିକସଦାତାଙ୍କ ଉପରେ ଚାପ ସୃଷ୍ଟି କରିବ। ସେ କହିଲେ, ପୁରୁଣା ପେନ୍‌ସନ୍‌ ସ୍କିମ୍‌ ବର୍ତ୍ତମାନର ନୁହେଁ ବରଂ ଭବିଷ୍ୟତର ଟିକସଦାତା ଓ ନାଗରିକଙ୍କ ଉପରେ ବୋଝ ହେବ।

ପୁରୁଣା ପେନ୍‌ସନ୍‌ ସ୍କିମ୍‌ରେ କର୍ମଚାରୀଙ୍କ ପେନ୍‌ସନ୍‌ ଟଙ୍କାକୁ ସରକାର ସମ୍ପୂର୍ଣ୍ଣ ରୂପେ ବହନ କରନ୍ତି। ଏନ୍‌ଡିଏ ସରକାରଙ୍କ ଅମଳରେ ୨୦୦୪ରେ ସେହି ସ୍କିମ୍‌କୁ ବନ୍ଦ କରିଦିଆଯାଇଥିଲା। ସେହି ସ୍ଥାନରେ ନୂଆ ପେନ୍‌ସନ୍ ସ୍କିମ୍ (ଏନ୍‌ପିଏସ୍‌) ଲାଗୁ କରାଯାଇଛି। ଏଥିରେ କର୍ମଚାରୀଙ୍କ ମୂଳ ଦରମାର ୧୦ ପ୍ରତିଶତ କର୍ମଚାରୀଙ୍କ ଯୋଗଦାନ ଏବଂ ୧୪ ପ୍ରତିଶତ ରାଶି ରାଜ୍ୟ ସରକାରଙ୍କ ଯୋଗଦାନ ଭାବେ ଜମା କରାଯାଉଛି। ନିକଟରେ ରାଜସ୍ଥାନ ଓ ଛତିଶଗଡ଼ ସରକାର ପୁରୁଣା ପେନ୍‌ସନ୍‌ ସ୍କିମ୍‌କୁ ପୁଣି ଥରେ ଲାଗୁ କରିଛନ୍ତି। ବିଜେପି ଶାସିତ ହିମାଚଳପ୍ରଦେଶ ତାହାକୁ ନିର୍ବାଚନୀ ପ୍ରତିଶ୍ରୁତି ଭାବେ ବ୍ୟବହାର କରିଛି। ଝାଡ଼ଖଣ୍ଡ ଏବଂ ପଞ୍ଜାବ ମଧ୍ୟ ପୁରୁଣା ପେନ୍‌ସନ୍ ସ୍କିମ୍ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଏବେ ଭୋଟରଙ୍କୁ ପ୍ରଲୋଭିତ କରିବାର ଏକ ବଡ଼ ଅସ୍ତ୍ରରେ ପରିଣତ ହୋଇଛି। ଶ୍ରୀ ବେରି କହିଛନ୍ତି ଯେ ଏହା ହେଉଛି ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରସଙ୍ଗ। ଏଥିରେ ବର୍ତ୍ତମାନର ସରକାର ଭୋଟ୍‌ ପାଇବା ଲାଗି ଯେଉଁ ନିଷ୍ପତ୍ତି ନେବେ ତାହାର ଫଳ ଭବିଷ୍ୟତରେ ଆସିବାକୁ ଥିବା ସରକାରଙ୍କୁ ଭୋଗିବାକୁ ପଡ଼ିବ।

ଶ୍ରୀ ବେରୀ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ରାଜ୍ୟଗୁଡ଼ିକ ପାଇଁ ଋଣର ସୀମା ଧାର୍ଯ୍ୟ କରିଛନ୍ତି। ସେମାନେ ସେହି ଅନୁସାରେ ନିଜର ଟିକସ ଏବଂ ବ୍ୟୟ ପ୍ରାଥମିକତା ଧାର୍ଯ୍ୟ କରି ତାହାର ରାଜନୈତିକ ଫଳ ଭୋଗିପାରିବେ। ବିକଶିତ ଦେଶଗୁଡ଼ିକରେ ରାଜ୍ୟ ଓ ପୌରପାଳିକାଗୁଡ଼ିକ ଲାଗି ପୃଥକ କ୍ରେଡିଟ୍ ରେଟିଂ ବ୍ୟବସ୍ଥା ରହିଛି। ଭାରତରେ ସେଭଳି ସ୍ଥିତି ଆସିବା ଲାଗି ଆହୁରି ସମୟ ଲାଗିବ। କିନ୍ତୁ ଏବେଠାରୁ ସେନେଇ ପ୍ରସ୍ତୁତି ଆରମ୍ଭ ହେବା ଦରକାର ବୋଲି ସେ କହିଛନ୍ତି।

ଦାରିଦ୍ର୍ୟ ସୀମା ରେଖା ଧାର୍ଯ୍ୟ କରିବା ସମ୍ପର୍କରେ ସେ କହିଛନ୍ତି ଯେ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)ର ବହୁମୁଖୀ ଦାରିଦ୍ର୍ୟ ସୂଚୀକୁ ଆୟୋଗ ଏବେ ବ୍ୟବହାର କରୁଛି। ସେଥିରେ ସ୍ବାସ୍ଥ୍ୟ, ପୁଷ୍ଟି, ଶିକ୍ଷା, ଜୀବନଧାରଣ ମାନ ଭଳି ୧୨ଟି ଗୁରୁତ୍ବପୂର୍ଣ୍ଣ ମାନଦଣ୍ଡ ବିଚାରକୁ ନିଆଯାଉଛି। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ଉପଭୋକ୍ତା‌ ବ୍ୟୟ ସର୍ବେକ୍ଷଣ ଜାରି କରିବା ପରେ ସରକାରୀ ସ୍ତରରେ ଦାରିଦ୍ର୍ୟ ସୀମା ରେଖା ଧାର୍ଯ୍ୟ କରାଯିବ। ଏହି ସର୍ବେକ୍ଷଣ ରିପୋର୍ଟ ୨୦୨୪ରେ ଆସିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe