ବିରୋଧୀଙ୍କ ଦାବି: ତେଲ, ଗ୍ୟାସ୍‌ ଦରବୃଦ୍ଧି ପ୍ରତ୍ୟାହାର କର

ବିରୋଧୀଙ୍କ ଦାବି: ତେଲ, ଗ୍ୟାସ୍‌ ଦରବୃଦ୍ଧି ପ୍ରତ୍ୟାହାର କର

photo-fortune

ନୂଆଦିଲ୍ଲୀ: ପେଟ୍ରୋଲ୍‌, ଡିଜେଲ୍, ଗ୍ୟାସ୍‌ ଓ ସିଏନ୍‌ଜି ଦରରେ ହୋଇଥିବା ବୃଦ୍ଧିକୁ ନେଇ ବିରୋଧୀମାନେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାକୁ ସେମାନେ ସାଧାରଣ ଲୋକଙ୍କ ପକେଟ୍‌ ଲୁଟ୍‌ ସହ ତୁଳନା କରିବା ସହ ତୁରନ୍ତ ଦରବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ରୁଷ-ୟୁକ୍ରେନ୍ ଯୁଦ୍ଧ ପାଇଁ ଦରବୃଦ୍ଧି ହେଉଥିବା ନେଇ ସରକାର ଦେଇଥିବା ମନ୍ତବ୍ୟକୁ ବିରୋଧୀମାନେ ଗ୍ରହଣ କରିନାହାନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ବିବୃତି ରଖନ୍ତୁ ବୋଲି ସେମାନେ କହିଛନ୍ତି।

ଶୂନ୍ୟ କାଳ ସମୟରେ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ଦରବୃଦ୍ଧି ଜରିଆରେ ସରକାର ଲୋକମାନଙ୍କୁ ଲୁଟୁଥିବାରୁ ସେମାନେ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ପେଟ୍ରୋଲ୍, ଡିଜେଲ୍, ସିଏନ୍‌ଜି ଓ ପିଏନ୍‌ଜି ଆଦିର ଦାମ୍‌ ଲାଗାତାର ବୃଦ୍ଧି ପାଉଥିବାରୁ ଦେଶରେ ‘ମହଙ୍ଗା ମୁକ୍ତ ଭାରତ ଅଭିଯାନ’ ଆରମ୍ଭ କରିବାକୁ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଏପ୍ରିଲ୍‌ରୁ ୮୦୦ ଅତ୍ୟାବଶ୍ୟକ ଔଷଧ ମୂଲ୍ୟରେ ହେବାକୁ ଥିବା ବୃଦ୍ଧି ପ୍ରସ୍ତାବକୁ ମଧ୍ୟ ସେ କଡ଼ା ବିରୋଧ କରିଛନ୍ତି। ଲୋକମାନଙ୍କ ପାଇଁ ଅଚ୍ଛେ ଦିନ୍ ଆଣିବାକୁ ପ୍ରତିଶ୍ରୁତି ଦେଇଥିବା ସରକାର ସେମାନଙ୍କୁ ସବୁଠୁ ଖରାପ ଦିନ ଦେଖାଇଛନ୍ତି। ଏହି ପ୍ରସଙ୍ଗରେ ଗୃହରେ ବିତର୍କ ହେଉ ବୋଲି ସେ ଦାବି କରିଛନ୍ତି। ଦରବୃଦ୍ଧି ବିରୋଧରେ କଂଗ୍ରେସ ଗୃହ ଭିତରେ ଓ ବାହାରେ ସ୍ବର ଉତ୍ତୋଳନ ଜାରି ରଖିବ ବୋଲି ସେ କହିଛନ୍ତି।
ଗୋଟିଏ ସପ୍ତାହ ଭିତରେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ କିଭଳି ୪ ଟଙ୍କା ମହଙ୍ଗା ହୋଇଗଲା ତାହାକୁ ନେଇ ଡିଏମ୍‌କେ ନେତା ଟି ଆର୍‌ ବାଲୁ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଦରବୃଦ୍ଧି ଯୋଗୁଁ ବେତନଭୋଗୀମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ପେଟ୍ରୋଲ୍‌ ଓ ଡିଜେଲ୍ ଦାମ୍ ୫୦% ହ୍ରାସ ପାଇବ ବୋଲି ନିର୍ବାଚନ ସମୟରେ ‌‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ଶ୍ରୀ ବାଲୁ ମନେ ପକାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏବେ କିଭଳି ଚୁପ୍ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଉପା ସରକାରଙ୍କ ଅମଳରେ ତେଲ ଦାମ୍‌କୁ ନିୟନ୍ତ୍ରଣରେ ରଖିବା ଲାଗି ସରକାର ୧୦ ଲକ୍ଷ କୋଟି ଟଙ୍କାର ସବ୍‌ସିଡି ଦେଇଥିଲେ। କିନ୍ତୁ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର କେବଳ ତେଲରୁ ୨୬ ଲକ୍ଷ କୋଟି ଟଙ୍କା ଆୟ କରିଥିବା ‌ସେ କହିଛନ୍ତି।

ଟିଏମ୍‌ସି ସଦସ୍ୟ ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି ଯେ ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସ୍‌ ଦରବୃଦ୍ଧିକୁ ନେଇ ସାରା ଗୃହ ଚିନ୍ତା ପ୍ରକଟ କରିଛି। ନିର୍ବାଚନ ଆସିଲେ ଦରବୃଦ୍ଧି ଅଟକିଯିବ ଓ ଶେଷ ହେଲେ ଦରଦାମ୍ ପୁଣି ବଢ଼ିବ ବୋଲି ଲୋକମାନଙ୍କ ମନରେ ଯେଉଁ ଆଶଙ୍କା ରହିଥିଲା ତାହା ସତ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି। ଏ ଦରବୃଦ୍ଧି କେତେ ଦିନ ପର୍ଯ୍ୟନ୍ତ ଚାଲିବ ତାହା ଆମେ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଶୁଣିବାକୁ ଚାହୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe