Reuters
ନୂଆଦିଲ୍ଲୀ: କାର୍ର ସିଟ୍ ବେଲ୍ଟ ଆଲାର୍ମକୁ ଅଚଳ କରିବା ଲାଗି ବ୍ୟବହାର କରାଯାଉଥିବା ଉପକରଣ ବିକ୍ରି ବନ୍ଦ କରିବା ଲାଗି ଅନ୍ଲାଇନ୍ ସପିଙ୍ଗ୍ ସାଇଟ୍ ଆମାଜନକୁ ସରକାର ନିର୍ଦେଶ ଦେଇଛନ୍ତି। ଏହା ଏକ ମେଟାଲ୍ ଚିପ୍ ଯାହା ୨୫୦ ଟଙ୍କା ଭଳି କମ୍ ଦାମ୍ରେ ମିଳିଯାଉଛି। ଏହି ଚିପ୍ର ବିକ୍ରି ବେଆଇନ ନୁହେଁ। ତଥାପି ତାହାର ବିକ୍ରି ବନ୍ଦ କରିବା ଲାଗି ଆମାଜନକୁ କୁହାଯାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ ପ୍ରାଣ ହରାଇବା ପରେ ସଡ଼କ ସୁରକ୍ଷା ଉପରେ ଗୁରୁତ୍ବ ବଢ଼ିଯାଇଛି।ବହୁ ଗାଡ଼ିରେ ସିଟ୍ ବେଲ୍ଟ ଆଲାର୍ମ ବ୍ୟବସ୍ଥା ରହିଛି। ଗାଡ଼ିରେ ବସିଥିବା ଯାତ୍ରୀ ବିଶେଷ କରି ଚାଳକ ସିଟ୍ ବେଲ୍ଟ ଲଗାଇନଥିଲେ ସେହି ଆଲାର୍ମ ବାଜିଥାଏ। ମାତ୍ର ଆମାଜନ୍ରେ ବିକ୍ରି ହେଉଥିବା ମେଟାଲଏ୍ ଚିପ୍କୁ ସିଟ୍ ବେଲ୍ଟରେ ଲଗାଇଲେ ସେହି ଆଲାର୍ମ ବାଜିବା ବନ୍ଦ ହୋଇଯାଉଛି। ସିଟ୍ ବେଲ୍ଟ ପିନ୍ଧିବାକୁ ଚାହୁନଥିବା ଓ ଆଲାର୍ମର କର୍କଷ ଶବ୍ଦକୁ ଏଡ଼ାଇବା ଲାଗି ବହୁ ଲୋକ ଆମାଜନରୁ ସେହି ଚିପ୍ ମଗାଇ ଗାଡ଼ିରେ ବ୍ୟବହାର କରୁଛନ୍ତି।
Follow Us