ନୂଆଦିଲ୍ଲୀ: କେବଳ କୋର୍ଟଙ୍କ ନିର୍ଦେଶ ପାଳନ କରିବାକୁ କୁହାଯାଇଥିଲା। ଏଥିରେ ଲୁଚାଇବାର କ’ଣ ଅଛି? କାହିଁକି ମୁଦ ଲଫାପା ଦେଉଛ। ଏହି ଧାରା ବନ୍ଦ କର ବୋଲି କହି ଆଟଣ୍ଙର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣୀଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମ୍କୋର୍ଟ। ୱାନ୍ ରୢାଙ୍କ୍ ୱାନ୍ ପେନ୍ସନ୍ (ଓଆର୍ଓପି) ସମ୍ପର୍କିତ ମାମଲାର ଶୁଣାଣି ବେଳେ ମୁଦ ଲଫାପାକୁ ନେଇ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ପ୍ରବଳ ବିରକ୍ତ ହୋଇଥିଲେ। ଆଟର୍ଣ୍ଣି ଜେନେରାଲ୍ ଦାଖଲ କରିଥିବା ମୁଦ ଲଫାପା ଗ୍ରହଣ କରିବାକୁ ସେ ମନା କରିଦେଇଥିଲେ। ନିଜେ ପଢ଼ ଅନ୍ୟଥା ଫେରାଇ ନିଅ ବୋଲି ସେ ଆଟଣ୍ଣି ଜେନେରାଲ୍ଙ୍କୁ କହିଥିଲେ।
ପ୍ରଧାନ ବିଚାରପତି ଶ୍ରୀ ଚନ୍ଦ୍ରଚୂଡ଼ କହିଥିଲେ ଯେ କୌଣସି ଗୋପନୀୟ କିମ୍ବା ମୁଦ ଲଫାପାକୁ ଆମେ ଗ୍ରହଣ କରିବୁନି। ବ୍ୟକ୍ତିଗତ ଭାବେ ଏହାକୁ ମୁଁ ପସନ୍ଦ କରେନି। କୋର୍ଟରେ ସ୍ବଚ୍ଛତା ରହିବା ଦରକାର। ଏହା ହେଉଛି ଏକ ନିର୍ଦେଶ ପାଳନ କରିବା ପ୍ରସଙ୍ଗ। ଏଥିରେ ଲୁଚାଇବାର କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ସୁପ୍ରିମକୋର୍ଟ ଗ୍ରହଣ କରିବେ ତେବେ ହାଇକୋର୍ଟଗୁଡ଼ିକରେ ମଧ୍ୟ ସେହି ଧାରାକୁ ଅନୁସରଣ କରିବେ। ମୁଦ ଲଫାକା ନ୍ୟାୟିକ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିରୋଧୀ। କେବଳ ଯେଉଁ ମାମଲାରେ ସୂଚନାର ଉତ୍ସ କିମ୍ବା କାହା ଜୀବନ ପ୍ରତି ବିପଦ ଥିବ ସେଥିରେ ମୁଦ ଲଫାପା ଗ୍ରହଣ କରାଯାଇପାରେ ବୋଲି ସେ କହିଛନ୍ତି।
ପ୍ରତିରକ୍ଷା କର୍ମଚାରୀମାନଙ୍କ ଲାଗି ଲାଗୁ ହୋଇଥିବା ୱାନ୍ ରୢାଙ୍କ୍ ୱାନ୍ ପେନ୍ସନ୍ (ଓଆର୍ଓପି)ରେ ୨୦୧୯-୨୨ ପର୍ଯ୍ୟନ୍ତର ଯେଉଁ ୨୮ ହଜାର କୋଟି ଟଙ୍କା ବକେୟା ରହିଛି ତାହାକୁ ୨୦୨୪ ଫେବ୍ରୁଆରି ୨୮ ସୁଦ୍ଧା ଜାରି କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟ କହିଛନ୍ତି। ୨୦୨୨ରେ ଏନେଇ ଯେଉଁ ରାୟ ପ୍ରକାଶ ପାଇଥିବା ତାହାକୁ ପାଳନ କରିବା ସରକାରଙ୍କ କର୍ତ୍ତବ୍ୟ ବୋଲି ସୁପ୍ରିମ୍କୋର୍ଟ ମନେ ପକାଇଦେଇଛନ୍ତି।
ଓଆର୍ଓପି ସମ୍ପର୍କିତ ବକେୟା ଦେୟ ଲାଗି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସରକାରଙ୍କ ପାଇଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ୨.୫ ନିୟୁତ ପେନ୍ସନ୍ଭୋଗୀଙ୍କ ମଧ୍ୟରୁ ୪,୦୦,୦୦୦ ଅଧିକ ପେନ୍ସନ୍ ପାଉଥିବାରୁ ସେମାନେ ଓଆର୍ଓପି ସ୍କିମ୍ ପାଇଁ ଯୋଗ୍ୟ ନୁହନ୍ତି। ବିଭିନ୍ନ ବର୍ଗର ପେନ୍ସନ୍ଭୋଗୀଙ୍କୁ କେବେ ସୁଦ୍ଧା ବକେୟା ରାଶି ଦିଆଯିବ, କୋର୍ଟ ସେନେଇ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ୬,୦୦,୦୦୦ ପେନ୍ସନ୍ଭୋଗୀ ଓ ସାହସିକତା ପୁରସ୍କାର ବିଜେତାଙ୍କୁ ୨୦୨୩ ଏପ୍ରିଲ୍ ସୁଦ୍ଧା ଓଆର୍ଓପି ବକେୟା ଦେବାକୁ କୋର୍ଟ କହିଛନ୍ତି। ପ୍ରାୟ ୫ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀ ଏବଂ ୭୦ ବର୍ଷରୁ ଅଧିକ ବୟସର ପେନ୍ସନ୍ଭୋଗୀଙ୍କୁ ଜୁନ୍ ୩୦ ସୁଦ୍ଧା ଏବଂ ଅବଶିଷ୍ଟ ପେନ୍ସନ୍ଭୋଗୀମାନଙ୍କୁ ୨୦୨୪ ୨୮ ସୁଦ୍ଧା ବକେୟା ରାଶି ଦେବାକୁ କୋର୍ଟ ସରକାରଙ୍କୁ କହିଛନ୍ତି। ଓଆର୍ଓପି ପେନ୍ସନ୍କୁ ଚାରିଟି କିସ୍ତିରେ ଦେବା ଲାଗି ସରକାର ନେଇଥିବା ନିର୍ଦେଶକୁ ସର୍ବୋଚ୍ଚ ନ୍ୟାୟାଳୟ ମାର୍ଚ୍ଚ ୧୩ ଶୁଣାଣି ବେଳେ କଡ଼ା ସମାଲୋଚନା କରିଥିଲେ।
ଓଆର୍ଓପି କ’ଣ?
ଏହା ହେଉଛି ୱାନ୍ ରୢାଙ୍କ, ୱାନ୍ ପେନ୍ସନ୍। ସମାନ ରୢାଙ୍କରେ ସମାନ ସମୟ ଲାଗି କାମ କରିଥିବା ସଶସ୍ତ୍ର ସେନାର କର୍ମଚାରୀମାନଙ୍କୁ ସେମାନଙ୍କ ଅବସର ତାରିଖ ଯାହା ବି ହୋଇଥାଉନା କାହିଁକି ସମାନ ପେସନ୍ସନ୍ ଦେବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ୧୯୭୩ ପର୍ଯ୍ୟନ୍ତ ଏହି ପେନ୍ସନ୍ ମଡେଲ୍ ଲାଗୁ ଥିଲା। ସେହିବର୍ଷ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓଆର୍ଓପିକୁ ଉଚ୍ଛେଦ କରିଥିଲେ। ୧୯୮୬ରେ ରାଜୀବ ଗାନ୍ଧୀଙ୍କ ସରକାର ରୢାଙ୍କ୍ ପେ’ ସ୍କିମ୍ ଲାଗୁ କରିଥିଲେ। ଏହା ଲାଗୁ ହେବା ପରେ କିଛି କର୍ମଚାରୀଙ୍କ ପେନ୍ସନ୍ ହ୍ରାସ ପାଇଥିଲା। ଏହି ପ୍ରସଙ୍ଗରେ ସରକାର ଭଗବତ ସିଂହ କୋଶିୟାରିଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ୨୦୧୧ରେ କମିଟି ଏହାର ରିପୋର୍ଟ ଦେଇଥିଲା। ଓଆର୍ଓପି ସ୍କିମ୍କୁ ଲାଗୁ କରିବା ଲାଗି ୨୦୧୪ରେ ସରକାର ନିର୍ଦେଶ ଦେଇଥିଲେ।
Follow Us