ଇପିଏଫ୍‌ଓକୁ ଫେରିବେ ବିଦାୟୀ ସଦସ୍ୟ: ମାସକୁ ୫୦୦ ଟଙ୍କା ଦେବାକୁ ପଡ଼ିପାରେ

Advertisment
ବର୍ଦ୍ଧିତ ପେନସନ ଚୟନ କରିବାର ଶେଷ ତାରିଖ ଜୁଲାଇ ୧୧କୁ ବଢାଇଲା ଇପିଏଫଓ

Zee India News

ନୂଆଦିଲ୍ଲୀ: ଚାକିରି ହରାଇବା କାରଣରୁ ହେଉ କିମ୍ବା ସ୍ବଇଚ୍ଛାରେ ବିଦାୟ ନେଇଥିବା ପୁରୁଣା ସଦସ୍ୟମାନଙ୍କୁ ଫେରାଇ ଆଣିବା ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଏକ ଯୋଜନା ଉପରେ କାର୍ଯ୍ୟ କରୁଛି। ବିଦାୟୀ ସଦସ୍ୟମାନେ ମାସିକ ୫୦୦ ଟଙ୍କାର ଅବଦାନ ଦେଇ ପୁଣି ଥରେ ଇପିଏଫ୍‌ଓର ଅଂଶ ହୋଇପାରିବେ। ଏ ସମ୍ପର୍କିତ ଏକ ପ୍ରସ୍ତାବ ଉପରେ ଏବେ ମାନସମନ୍ଥନ ଜାରି ରହିଛି। କେଉଁ ଉପାୟରେ ପୁରୁଣା ସଦସ୍ୟଙ୍କୁ ଫେରାଇ ଆଣିବା ସହଜ ହେବ ‌ତାହାର ଏକ ରୂପରେଖ ପ୍ରସ୍ତୁତ କରିବା ଉପରେ ବିଚାର କରାଯାଉଛି। ୨୦୧୮-୨୦ ଭିତରେ ଇପିଏଫ୍‌ଓରୁ ୪୮ ଲକ୍ଷ ସଦସ୍ୟ ବିଦାୟ ନେଇଛନ୍ତି। ସେମାନଙ୍କ ତଥ୍ୟ ଇପିଏଫ୍ଓ ପାଖରେ ରହିଛି। ମହାମାରୀ ବ୍ୟାପିଥିବା ବର୍ଷ ୨୦୨୦ରେ ବହୁ ସଂଖ୍ୟକ ସଦସ୍ୟ ସଂଗଠନରୁ ବିଦାୟ ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ସେମାନଙ୍କୁ ପୁର୍ନବାର ଇପିଏଫ୍‌ଓ ପରିସରକୁ ଫେରିବା ସୁଯୋଗ ମିଳିବ ତେବେ ଲକ୍ଷ ଲକ୍ଷ ‌ଶ୍ରମିକଙ୍କ ପାଇଁ ତାହା ବରଦାନ ସଦୃଶ ହେବ।

ଇପିଏଫ୍ଓ ନୂଆ ସ୍କିମ୍ ଜାରି କରିପାରିବ ବୋଲି ସାମାଜିକ ସୁରକ୍ଷା କୋଡ୍‌ ୨୦୨୦ରେ ବ୍ୟବସ୍ଥା ରହିଛି। ଏହି କୋଡ୍ ଆସନ୍ତା ବର୍ଷରୁ ଲାଗୁ ହେବାକୁ ଯାଉଛି। ତାହା ହେଲେ ସହଜରେ ନୂଆ ସ୍କିମ୍ ଘୋଷଣା କରାଯାଇପାରିବ। ୟୁନିଭର୍ସାଲ୍‌ ଆକାଉଣ୍ଟ୍‌ ନମ୍ବର (ୟୁଏଏନ୍) ସହିତ ଆଧାର ଲିଙ୍କ୍‌ କରିଥିବା ବିଦାୟୀ ସଦସ୍ୟମାନଙ୍କ ତଥ୍ୟ ଇପିଏଫ୍ଓ ପାଖରେ ରହିଛି। ସେହି ତଥ୍ୟକୁ ବ୍ୟବହାର କରି ସେମାନଙ୍କୁ ପୁଣି ଥରେ ଫେରାଇ ଆଣିହେବ। ଇପିଏଫ୍‌ଓ ପରିସରକୁ ଫେରିବାରେ ସଫଳ ହେଲେ ବିଦାୟ ନେଇଥିବା ସଦସ୍ୟମାନେ ପୁଣି ଥରେ ସଂଗଠିତ କ୍ଷେତ୍ରର ଅଂଶ ହେବେ। ସେମାନେ ଯେଉଁ ଅବଦାନ ରାଶି ଦେବେ ତାହା ଉପରେ ଅନ୍ୟ ଯେକୌଣସି ବ୍ୟବସ୍ଥା ଯଥା ବ୍ୟାଙ୍କର ଫିକ୍ସଡ୍ ଡିପୋଜିଟ୍ ତୁଳନାରେ ଅଧିକ ସୁଧ ମିଳିବ ଏହି ଅଭିଯାନ ଜରିଆରେ ଇପିଏଫ୍‌ଓ ଏହାର ସଦସ୍ୟ ସଂଖ୍ୟା ମଧ୍ୟ ବଢ଼ାଇପାରିବ। ଇପିଏଫ୍‌ ସ୍କିମ୍‌ରେ ସାମିଲ ହୋଇ ସଦସ୍ୟମାନେ ପେନ୍‌ସନ୍, ଭବିଷ୍ୟନିଧି ପାଣ୍ଠି ଓ ବୀମା ଭଳି ସୁବିଧା ପାଇପାରିବେ। ଇପିଏଫ୍ଓ ପ୍ରତିବର୍ଷ ଯେଉଁ ନିବେଶ କରୁଛି ତାହାର ଉପ‌ରେ ମିଳୁଥିବା ରିଟର୍ଣ୍ଣର ଲାଭ ପାଇବାକୁ ମଧ୍ୟ ସେମାନେ ଯୋଗ୍ୟ ବିବେଚିତ ହେବେ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଇପିଏଫ୍‌ଓ ଏହାର ସଦସ୍ୟଙ୍କୁ ୮.୫% ସୁଧ ଦେଇଛି। ଏବେ ଇପିଏଫ୍ଓ ଅଧୀନରେ ୬.୯ କୋଟି ସଦସ୍ୟ ଓ ୭୧ ଲକ୍ଷ ପେନ୍‌ସନ୍‌ଭୋଗୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe