ମାନ୍ଦାବସ୍ଥା ମୁକାବିଲା ପାଇଁ ଆଉ ଏକ ପ୍ୟାକେଜ୍‌ : ରପ୍ତାନି, ଗୃହ ନିର୍ମାଣ ପାଇଁ ୭୦ ହଜାର କୋଟି

ସରକାରୀ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ଅଗ୍ରିମ ସୁଧ କମିବ, ଦୁବାଇ ଢାଞ୍ଚାରେ ବାଣିଜ୍ୟ ମେଳା, ରପ୍ତାନିକାରୀଙ୍କୁ ଅଧିକ ପ୍ରୋତ୍ସାହନ, ରିହାତି ମିଳିବ

ପୁନରୁଦ୍ଧାର ଯୋଜନାକୁ କ୍ୟାବିନେଟ୍‌ର ମଞ୍ଜୁରି : ୟେସ୍‌ ବ୍ୟାଙ୍କ ଉପରୁ ହଟିବ କଟକଣା

Faking News

ନୂଆଦିଲ୍ଲୀ : କିଛିଦିନର ବ୍ୟବଧାନ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅର୍ଥନୀତିରେ ସୁଧାର ଆଣିବା ନିମନ୍ତେ ଆଉ ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଗତମାସ ୨୩ ତାରିଖରେ ଅର୍ଥମନ୍ତ୍ରୀ ଅଟୋମୋବାଇଲ ସମେତ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ବୃହତ୍ ଶିଳ୍ପ ପାଇଁ ପ୍ୟାକେଜ ଘୋଷଣା କରିଥିଲେ। ଏଥିସହିତ ବ୍ୟାଙ୍କଗୁଡ଼ିକର ପୁଞ୍ଜିସ୍ଥିତିରେ ସୁଧାର ଆଣିବା ଲାଗି ୭୦ ହଜାର କୋଟି ଟଙ୍କାର ଏକ ପ୍ୟାକେଜ ପ୍ରଦାନ କରିଥିଲେ। କିନ୍ତୁ ପରିସ୍ଥିିିତିରେ ଉନ୍ନତି ନଘଟିବାରୁ ଅର୍ଥମନ୍ତ୍ରୀ ଆଜି ଆଉ ଏକ ମେଗା ପ୍ୟାକେଜ ଘୋଷଣା ‌କରିଛନ୍ତି। ଏଥିରେ ଗୃହ ନିର୍ମାଣ ଏବଂ ରପ୍ତାନି କ୍ଷେତ୍ରପାଇଁ ୭୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଦେଶରେ ବନ୍ଦ ହୋଇ ପଡ଼ିଥିବା ଗୃହ ନିର୍ମାଣ ପ୍ରକଳ୍ପ ଗୁଡ଼ିକର ନିର୍ମାଣ ଶେଷ କରିବା ଲାଗି ୨୦ ହଜାର କୋଟି ଟଙ୍କାର ଏକ ପାଣ୍ଠି ବ୍ୟବସ୍ଥା କରାଯାଇଛି। ସୁଲଭ ଏବଂ ମଧ୍ୟମ ଆୟ ବର୍ଗର ଲୋକଙ୍କ ପାଇଁ ନିର୍ମିତ ଘର ପାଇଁ ଏହି ପାଣ୍ଠି ଗଠନ କରାଯାଇଛି। ୨୦ ହଜାର କୋଟି ଟଙ୍କା ମଧ୍ୟରୁ ୧୦ ହଜାର କୋଟି ଟଙ୍କା ସରକାର ଯୋଗାଇ ଦେବେ। ଅବଶିଷ୍ଟ ୧୦ ହଜାର କୋଟି ଟଙ୍କା ଏଲଆଇସି, ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠି (ଏନଆଇଆଇଏଫ) ଭଳି ନିବେଶକମାନେ ଯୋଗାଇଦେବେ। ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ଘରର ନିର୍ମାଣ ସମ୍ପୂର୍ଣ୍ଣ କରିବା ଦିଗରେ ଏହି ପାଣ୍ଠି ବିନିଯୋଗ ହେବ। ଗୃହ ନିର୍ମାଣ ଏବଂ ଋଣ ପ୍ରଦାନ କ୍ଷେତ୍ରରେ ଅଭିଜ୍ଞତା ଥିବା ପେସାଦାର ବ୍ୟକ୍ତିମାନଙ୍କ ଦ୍ବାରା ଏହି ପାଣ୍ଠିର ପରିଚାଳନା କରାଯିବ। ତେବେ ଅନା‌େଦୟ ଋଣ ବା ଏନପିଏ ଓ ଏନସିଏଲଟି ବିବାଦରେ ଫସିଥିବା ପ୍ରକଳ୍ପ ଗୁଡ଼ିକ ଏହି ପାଣ୍ଠିରୁ ଉପକୃତ ହୋଇପାରିବେ ନାହିଁ। କେବଳ ସେତିକି ନୁହେଁ, ସରକାରୀ କର୍ମଚାରୀମାନଙ୍କୁ ନୂଆ ଘର କିଣିବା ଲାଗି ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ଗୃହ ନିର୍ମାଣ ଅଗ୍ରିମର ସୁଧ ହାର ହ୍ରାସ କରାଯିବ ଏବଂ ଏହାକୁ ୧୦ ବର୍ଷିଆ ସରକାରୀ ସିକ୍ୟୁରିଟିଜ୍‌ର ରିଟର୍ଣ୍ଣ ସହ ଯୋଡ଼ାଯିବ।

ରପ୍ତାନି କ୍ଷେତ୍ରରେ ସୁଧାର ଆଣିବା ଲାଗି ଅର୍ଥମନ୍ତ୍ରୀ ୬ଟି ପଦକ୍ଷେପ ଘୋଷଣା କରିଛନ୍ତି। ଏଥିରେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର ୪ଟି ସ୍ଥାନରେ ଦୁବାଇ ଢାଞ୍ଚାରେ ବୃହତ୍ ବାର୍ଷିକ ବାଣିଜ୍ୟ ମେଳା ଆୟୋଜନ କରାଯିବ। ଏଥିସହିତ ଆସନ୍ତାମାସରୁ ରପ୍ତାନିକାରୀଙ୍କ ପାଇଁ ନୂଆ ସ୍ବୟଂକ୍ରିୟ ଅର୍ଥ ଫେରସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହି ବାଣିଜ୍ୟ ମେଳା ୪ଟି ମୁଖ୍ୟ ପ୍ରସଙ୍ଗକୁ ନେଇ ହେବ। ସେଗୁଡ଼ିକ ହେଲା ଜେମ୍ସ ଆଣ୍ଡ ଜୁଏଲାରି, ହସ୍ତଶିଳ୍ପ/ଯୋଗ/ପର୍ଯ୍ୟଟନ, ବୟନଶିଳ୍ପ ଏବଂ ଚମଡ଼ା ସାମଗ୍ରୀ। ରପ୍ତାନିକାରୀଙ୍କ ପାଇଁ ଉଦ୍ଦିଷ୍ଟ (ମର୍କାଣ୍ଡାଇଜ୍‌ ଏକ୍ସପୋର୍ଟସ ଫ୍ରମ୍ ଇଣ୍ଡିଆ ସ୍କିମ୍‌) ପରିବର୍ତ୍ତେ ରିମିସନ୍ ଅଫ୍ ଡ୍ୟୁଟିଜ୍ ଅର୍ ଟ୍ୟାକ୍ସେସ୍ ଅନ୍ ଏକ୍ସପୋର୍ଟ ପ୍ରଡକ୍ଟସ (ଆରଓଡିଟିଇପି) କାର୍ଯ୍ୟକାରୀ ହେବ। ଏଥିରେ ରପ୍ତାନିକାରୀଙ୍କୁ ଟିକସ ବା ଶୁଳ୍କ ରିହାତି ପ୍ରଦାନ କରାଯିବ। ଏଥିପାଇଁ ପ୍ରୋତ୍ସାହନ ବାବଦରେ ସରକାରଙ୍କୁ ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ। ବୟନ ଶିଳ୍ପ କ୍ଷେତ୍ରରେ ବର୍ତ୍ତମାନ ପ୍ରଚଳିତ ଏମଇଆଇଏସ ଏବଂ ପୁରୁଣା ଆରଓଏସଏଲ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ବୟନଶିଳ୍ପ ସମେତ ଅନ୍ୟ ଯେଉଁ ଶିଳ୍ପ ଏମଇଆଇଏସରେ ୨ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋତ୍ସାହନ ପାଉଛନ୍ତି ୨୦୨୦ ଜାନୁଆରି ପହିଲାରୁ ସେମାନେ ଆରଓଡିଟିଇପି ପରିସରକୁ ଯିବେ। ଜିଏସଟି ବ୍ୟବସ୍ଥାରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍‌କୁ ତ୍ବରାନ୍ବିତ କରାଯିବ। ଏଥିପାଇଁ ବ୍ୟବସ୍ଥାରେ ଚାଲିଥିବା ଆଧୁନିକୀକରଣ କାର୍ଯ୍ୟ ଚଳିତମାସ ଶେଷ ସୁଦ୍ଧା ଶେଷ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ରପ୍ତାନି ଋଣ ବୀମା ଯୋଜନା (ଇସିଆଇଏସ)ର ପରିସରକୁ ରପ୍ତାନି ଋଣ ଗ୍ୟାରେଣ୍ଟି ନିଗମ (ଇସିଜିସି) ପକ୍ଷରୁ ବ୍ୟାପକ କରାଯିବ। ଫଳରେ ରପ୍ତାନି ପାଇଁ କାର୍ଯ୍ୟକାରୀ ପୁଞ୍ଜି ଯୋଗାଉଥିବା ବ୍ୟାଙ୍କଗୁଡ଼ିକୁ ଅଧିକ ପରିମାଣର ବୀମା ସୁବିଧା ମିଳିବ। ସେହିଭଳି ଏମଏସଏମଇ ଗୁଡ଼ିକ ପାଇଁ ରପ୍ତାନିରେ ପ୍ରୋତ୍ସାହନ ପ୍ରଦାନ କରାଯିବ। ରପ୍ତାନି ଋଣକୁ ଅଗ୍ରାଧିକାର ଋଣ ପରିସରକୁ ଆଣିବା ପ୍ରସ୍ତାବ ରିଜର୍ଭ ବ୍ୟାଙ୍କର ବିଚାରାଧୀନ ରହିଛି। ଏହାହେଲେ ଅତିରିକ୍ତ ୩୬ ହଜାର କୋଟି ଟଙ୍କାର ରପ୍ତାନି ଋଣ ମିଳିପାରିବ। ରପ୍ତାନି ଋଣ ସଂକ୍ରାନ୍ତ ତଥ୍ୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ ପ୍ରକାଶ କରାଯାଉଛି। ବାଣିଜ୍ୟ ମନ୍ତ୍ରାଳୟ ଦ୍ବାରା ଏହାର ଅନୁଧ୍ୟାନ କରାଯିବ ବୋଲି ଅର୍ଥମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ଏତଦବ୍ୟତୀତ ରପ୍ତାନି କ୍ଷେତ୍ର ପାଇଁ ଅନ୍ୟାନ୍ୟ କେତେକ ପଦକ୍ଷେପ ମଧ୍ୟ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe