ଲେବାନନରେ ପେଜର୍‌ ବିସ୍ଫୋରଣ ପ୍ରଭାବ: ଚୀନର ସିସିଟିଭି ଉପରେ ରୋକ୍‌ ଲାଗିବ!

ଭାରତରେ ସିସିଟିଭି କ୍ୟାମେରା ବିକ୍ରି କରୁଥିବା ଚୀନ କମ୍ପାନିଙ୍କ ଅଡ଼ୁଆ ବଢ଼ିବାକୁ ଯାଉଛି। ଲେବାନନରେ ଭୟଙ୍କର ପେଜର୍‌ ବିସ୍ଫୋରଣ ପରେ ଭାରତ ସରକାର ସତର୍କ ହୋଇଛନ୍ତି। ସିସିଟିଭି ଯୋଗାଣ ପ୍ରକ୍ରିୟାରୁ ଚୀନ କମ୍ପାନିଗୁଡ଼ିକୁ ବାଦ୍‌ ଦେବାପାଇଁ ଉଦ୍ୟମ ଆରମ୍ଭ ହୋଇଛି।

cctv

ନୂଆଦିଲ୍ଲୀ: ଭାରତରେ ସିସିଟିଭି କ୍ୟାମେରା ବିକ୍ରି କରୁଥିବା ଚୀନ କମ୍ପାନିଙ୍କ ଅଡ଼ୁଆ ବଢ଼ିବାକୁ ଯାଉଛି। ଲେବାନନରେ ଭୟଙ୍କର ପେଜର୍‌ ବିସ୍ଫୋରଣ ପରେ ଭାରତ ସରକାର ସତର୍କ ହୋଇଛନ୍ତି। ସିସିଟିଭି ଯୋଗାଣ ପ୍ରକ୍ରିୟାରୁ ଚୀନ କମ୍ପାନିଗୁଡ଼ିକୁ ବାଦ୍‌ ଦେବାପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପଦକ୍ଷେପ ଦ୍ବାରା ଭାରତରେ ସ୍ଥାନୀୟ କମ୍ପାନିଙ୍କ ଦ୍ବାରା ସିସିଟିଭି କ୍ୟାମେରା ଉତ୍ପାଦନ ବଢ଼ିବା ସମ୍ଭାବନା ରହିଛି। 

ଇସ୍ରାଏଲ-ହେଜବୁଲ୍ଲା ମଧ୍ୟରେ ଯୁଦ୍ଧ ଭିତରେ ଲେବାନନରେ ନିକଟରେ ପେଜର୍‌ ବିସ୍ଫୋରଣ ହୋଇଥିଲା। ଏଥିରେ ଅନେକ ବ୍ୟକ୍ତି ମୃତା‌ହତ ହୋଇଛନ୍ତି। ତେଣୁ ସିସିଟିଭି ଭଳି କେତେକ ଗୁରୁତ୍ବପୂର୍ଣ୍ଣ ଉପକରଣ ଯେଉଁସବୁ ସ୍ଥାନରୁ ଆମଦାନି କରାଯାଉଛି ତାହାର ସମୀକ୍ଷାକୁ ଭାରତ ସରକାର ତ୍ବରାନ୍ବିତ କରିବେ। ସିସିଟିଭି କ୍ୟାମେରା ଯୋଗାଣ ଉପରେ କଟକଣା ଲଗାଇବା ପାଇଁ ସରକାର ଯଦିଓ ଗତ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ବିଜ୍ଞପ୍ତି ଜାରି କରିଛନ୍ତି ତଥାପି ଏହାକୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରାଯାଇ ନାହିଁ। ଆସନ୍ତାମାସ ୮ ତାରିଖରୁ ଏହି ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରାଯିବାର ସମ୍ଭାବନା ରହିଛି। ବିଶ୍ବସ୍ତ ଦେଶଗୁଡ଼ିକରୁ ଏସବୁ ସାମଗ୍ରୀ ଆମଦାନି କରି ଭାରତରେ ବିକ୍ରି କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇପାରନ୍ତି। ଥରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ଚୀନ କମ୍ପାନି ଭାରତୀୟ ବଜାରରେ ଦେଖିବାକୁ ମିଳିବେ ନାହିଁ। 

ବିଶେଷଜ୍ଞଙ୍କ କହିବାନୁଯାୟୀ, ପେଜର୍‌ ବିସ୍ଫୋରଣ ପାଇଁ ସରକାର ପଦକ୍ଷେପ ତ୍ବରାନ୍ବିତ କରିଥାଇ ପାରନ୍ତି। କିନ୍ତୁ ମାର୍ଚ୍ଚରେ ଏସବୁ ସାମଗ୍ରୀର ସୁରକ୍ଷା ପ୍ରମାଣନ ନେଇ ସରକାର ଯେଉଁ ମାର୍ଗଦର୍ଶିକା ଜାରି କରିଥିଲେ ତାହାକୁ ଅକ୍ଟୋବରରୁ କାର୍ଯ୍ୟକାରୀ କରିବେ। ତେବେ ଏହା ପଛରେ ପେଜର୍‌ ବି‌ସ୍ଫୋରଣ ଅପେକ୍ଷା ସିସିଟିଭି ସ୍ଥାପନ ହୋଇଥିବା ଦେଶର ସମ୍ବେଦନଶୀଳ ସ୍ଥାନଗୁଡ଼ିକର ତଥ୍ୟ ଲିକ୍‌ ଆଶଙ୍କା ଅଧିକ। ତେଣୁ ବିଶ୍ବାସ ବା ଆସ୍ଥା ନଥିବା ଦେଶ କିମ୍ବା ସ୍ଥାନରେ ନିର୍ମାଣ ହୋଇଥିବା ସିସିଟିଭି କ୍ୟାମେରା ବ୍ୟବହାର ଉପରେ ରୋକ୍‌ ଲଗାଯିବାର ଆବଶ୍ୟକତା ରହିଛି। ହଠାତ୍‌ ନୂଆ ନିୟମ କାର୍ଯ୍ୟକାରୀ ହେବା ଦ୍ବାରା ଭାରତୀୟ ନିର୍ମାତାଙ୍କ ଖର୍ଚ୍ଚ ବଢ଼ିଯିବ। ସେମାନଙ୍କୁ ଉନ୍ନତମାନର ସିସିଟିଭି ଉତ୍ପାଦନ ପାଇଁ ଗବେଷଣା ଓ ବି‌କାଶ ବାବଦରେ ଅଧିକ ଅର୍ଥ ବିନିଯୋଗ କରିବାକୁ ପଡ଼ିବ। ଏଥିସହିତ ସିସିଟିଭି କ୍ୟାମେରାରେ ବ୍ୟବହୃତ ଯନ୍ତ୍ରାଂଶ ଓ ଉପକରଣକୁ ଅଧିକରୁ ଅଧିକ ମାତ୍ରାରେ ଭାରତରେ ନିର୍ମାଣ କରିବାକୁ ହେବ। 

କାଉଣ୍ଟରପଏଣ୍ଟ୍‌ ରିସର୍ଚ୍ଚର ଗବେଷଣା ବିଶ୍ଳେଷକ ବରୁଣ ଗୁପ୍ତାଙ୍କ କହିବାନୁଯାୟୀ, ଉଭୟ ହାର୍ଡୱେର ଓ ସଫ୍ଟୱେରକୁ କଠୋରଭାବେ ଯାଞ୍ଚ କରିବାକୁ ହେବ। ସାର୍ଟିଫିକେସନ ଜରିଆରେ ଏସବୁ ସାମଗ୍ରୀକୁ ଅଧିକ ସୁରକ୍ଷିତ କରାଯାଇ ପାରିବ। ଶ୍ରୀ ଗୁପ୍ତାଙ୍କ କହିବାନୁଯାୟୀ, ଭାରତରେ ବର୍ତ୍ତମାନ ସିପି ପ୍ଲସ, ହିକ୍‌ଭିଜନ ଏବଂ ଦହୁଆ ୬୦ ପ୍ରତିଶତରୁ ଅଧିକ ବଜାରଅଂଶ ନିୟନ୍ତ୍ରଣ କରୁଛନ୍ତି। ସିପି ପ୍ଲସ ଭାରତୀୟ କମ୍ପାନି ହୋଇଥିବାବେଳେ ହିକ୍‌ଭିଜନ ଓ ଦହୁଆ ଚୀନର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe