ଚର୍ଚ୍ଚିତ ଚେହେରା: ପରାଗ ଅଗ୍ରୱାଲ୍: ୩୭ ବର୍ଷ ବୟସରେ ଟ୍ବିଟର୍‌ର ସିଇଓ

Advertisment
ଚର୍ଚ୍ଚିତ ଚେହେରା: ପରାଗ ଅଗ୍ରୱାଲ୍: ୩୭ ବର୍ଷ ବୟସରେ ଟ୍ବିଟର୍‌ର ସିଇଓ

NDTV.com

ନୂଆଦିଲ୍ଲୀ : ‌ସୋସିଆଲ୍ ମିଡିଆ ସଂସ୍ଥା ଟ୍ବିଟର୍‌ର ସହ ପ୍ରତିଷ୍ଠାତା ତଥା ସିଇଓ ଜ୍ୟାକ୍ ଡୋର୍ଜି ନିଜ ପଦରୁ ଗତକାଲି ଇସ୍ତଫା ଦେବା ସହ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ୍‌ଙ୍କୁ କଂପାନିର ନୂଆ ସିଇଓ ଭାବେ ନିଯୁକ୍ତ କରାଯାଇଛି। ଆଇଟି ଦୁନିଆରେ ଏହି ନାମଟି ଗତକାଲି ପର୍ଯ୍ୟନ୍ତ ଏତେଟା ଜଣାଶୁଣା ନଥିଲା। ମାତ୍ର ୩୭ ବର୍ଷ ବୟସରେ ଟ୍ବିଟର୍‌ ଭଳି କଂପାନିର ସିଇଓ ଭାବେ ନିଯୁକ୍ତ ହେବା ପରେ ତାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ଏତେ କମ୍ ବୟସରେ ଏକ ବିଶାଳ କଂପାନିର ସିଇଓ ହେବାରେ ସେ ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ ଦେଇଛନ୍ତି। ସମ୍ମାନଜନକ ଏସ୍‌ଆଣ୍ଡ୍‌ପି ୫୦୦ ତାଲିକାରେ ଥିବା କଂପାନିଗୁଡ଼ିକ ମଧ୍ୟରୁ କୌଣସି କଂପାନିର ମଙ୍ଗ ସମ୍ଭାଳିବାରେ ପରାଗ ହେଉଛନ୍ତି ସର୍ବକନିଷ୍ଠ।

୧୯୮୪ ପରେ ପରାଗଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା। ତାଙ୍କ ମା’ ଜଣେ ସ୍କୁଲ ଶିକ୍ଷୟିତ୍ରୀ ହୋଇଥିବା ବେଳେ ବାପା ଆଣବିକ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ। ତାଙ୍କ ପତ୍ନୀ ବିନିତା ଏକ ଭେଞ୍ଚର କ୍ୟାପିଟାଲ୍‌ର ପାର୍ଟନର୍ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ପୁଅ ନାମ ହେଉଛି ଅଂଶ। ପରାଗ ମୁମ୍ବାଇର ଆଟମିକ୍ ଏନର୍ଜି ସେଣ୍ଟ୍ରାଲ୍ ସ୍କୁଲ୍‌ରେ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ। ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଭା‌ବେ ସେ ପରିଚିତ ଥିଲେ। ତାଙ୍କ ଗଣିତ ଜ୍ଞାନ ବେଶ ଚମତ୍କାର ଥିଲା। ସ୍କୁଲ ପାଠପଢ଼ା ଶେଷ କରିବା ପରେ ସେ ଆଇଆଇଟି-ମୁମ୍ବାଇରେ କମ୍ପ୍ୟୁଟର ସାଇନ୍ସ ବିଷୟରେ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିଥିଲେ। ୨୦୦୫ରେ ସେ ଆମେରିକା ଚାଲିଯାଇଥିଲେ। ୨୦୧୧ରେ ଟ୍ବିଟର୍‌ରେ ଯୋଗ ଦେବା ବେଳେ ସେ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟରେ ନିଜ ପିଏଚ୍‌ଡି ‌ଶେଷ କରିବାକୁ ଉଦ୍ୟମ କରୁଥିଲେ। ଟ୍ବିଟର୍‌ରେ ଯୋଗ ଦେବା ପୂର୍ବରୁ ପିଏଚ୍‌ଡି କରୁଥିବା ବେଳେ ସେ ମାଇକ୍ରୋସଫ୍ଟ, ଏଟିଆଣ୍ଡ୍‌ଟି ଓ ୟାହୁ ଭଳି ସଂସ୍ଥାରେ କାର୍ଯ୍ୟ କରିଥିଲେ। ୨୦୧୭ରେ ଟ୍ବିଟର୍‌ରେ ତାଙ୍କୁ ସିଟିଓ ଭାବେ ନିଯୁକ୍ତି ମିଳିଥିଲା।

ଟ୍ବିଟର୍‌ର ସିଇଓ ଭାବେ ନିଯୁକ୍ତ ହେବା ପରେ ପରାଗ ଅଗ୍ରୱାଲ୍‌ଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏହାର ନେତୃତ୍ବ ନେଇଥିଲେ ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ। ଭାରତୀୟ ପ୍ରତିଭାଙ୍କ ଦ୍ବାରା ଯୁକ୍ତରାଷ୍ଟ୍ର ଆମେରିକା ବିଶେଷ ଭାବେ ଲାଭବାନ ହୋଇଥିବା ସେ ଟ୍ବିଟର୍‌ରେ ଲେଖିଛନ୍ତି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି, ଷ୍ଟ୍ରାଇପ୍‌ର ସିଇଓ ପାଟ୍ରିକ୍ କୋଲିସନ୍ ବେଦାନ୍ତର ମୁଖ୍ୟ ଅନିଲ ଅଗ୍ରୱାଲ୍ ଏବଂ ବଲିଉଡ୍‌ର ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲ ପରାଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe