କରୋନା ମହାମାରୀ: ପେଟ୍ରୋଲ, ଡିଜେଲ ବିକ୍ରି ୮୦% ହ୍ରାସ

୭୯ ଟପିଲା ପେଟ୍ରୋଲ: ଶନିବାର ପେଟ୍ରୋଲ ୫୨ ପଇସା, ଡିଜେଲ ୬୦ ପଇସା ବଢ଼ିଲା

Image Source: Hindustan Times

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପାଇଁ ସରକାର ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଏଥିଯୋଗୁଁ ଗାଡ଼ି ଚଳାଚଳ ପ୍ରାୟତଃ ବନ୍ଦ ହୋଇଯାଇଛି। ଫଳରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ସ୍ବାଭାବିକ ଦିନ ଗୁଡ଼ିକ ତୁଳନାରେ ୮୦ ପ୍ରତିଶତ ହ୍ରାସ ପାଇଛି। ଅର୍ଥାତ୍ ଦେଶରେ ପେଟ୍ରୋଲ ପମ୍ପ ଗୁଡ଼ିକ ଏବେ ସେମାନଙ୍କ ଦୈନିକ ସ୍ବାଭାବିକ ବିକ୍ରି ତୁଳନାରେ ମାତ୍ର ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲ ବିକ୍ରି କରୁଛନ୍ତି। କିନ୍ତୁ ଅଶୋଧିତ ତେଲକୁ ପେଟ୍ରୋଲ ଏବଂ ଡିଜେଲ ସମେତ ଅନ୍ୟ ପେଟ୍ରୋଲିୟମ ଉତ୍ପାଦନ ପ୍ରସ୍ତୁତ କରୁଥିବା ବିଶୋଧନାଗାର ଗୁଡ଼ିକରେ ଏସବୁ ସାମଗ୍ରୀର ମହଜୁଦ ମାତ୍ରା ଏବେ ବଢ଼ିଯାଇଛି। ଫଳରେ ଅଶୋଧିତ ତେଲ ଧରି ଦେଶକୁ ଆସୁଥିବା ଜାହାଜ ଗୁଡ଼ିକୁ କମ୍ପାନି ଗୁଡ଼ିକ ଫେରାଇ ଦେବାକୁ ବାଧ୍ୟ ହେଉଛନ୍ତି। ଦେଶରେ ‌ବିକ୍ରି ହ୍ରାସ ପାଇଥିଲେ ମଧ୍ୟ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ଏବଂ ଦେଶରେ ପେଟ୍ରୋଲ, ଡିଜେଲର ଚାହିଦା କମିବା କାରଣରୁ ସରକାରଙ୍କୁ ଗୋଟିଏ ପ୍ରକାର ଲାଭ ମିଳିବ ବୋଲି ବିଶେଷଜ୍ଞମାନ‌େ ମତପ୍ରକାଶ କରିଛନ୍ତି। ଲକ୍‌ଡାଉନ୍ ଅବଧିକୁ ଯଦି ବଢ଼ାଯାଏ ଏବଂ ଏହା ୩ ମାସ ପର୍ଯ୍ୟନ୍ତ ଜାରି ରହେ ତାହେଲେ ସରକାରଙ୍କ ତୈଳ ଆମଦାନି ବାବଦ ବିଲ୍ ପ୍ରାୟ ୨ ଲକ୍ଷ କୋଟି ଟଙ୍କା କମିଯିବ।

ସାରା ଦେଶରେ ପ୍ରାୟ ୭୮ ହଜାର ପେଟ୍ରୋଲ ପମ୍ପ ରହିଛି। ସାଧାରଣ ଦିନ ଗୁଡ଼ିକରେ ପେଟ୍ରୋଲ ପମ୍ପ ଗୁଡ଼ିକ ଦୈନିକ ୧୦ କୋଟି ଲିଟର ପେଟ୍ରୋଲ ଏବଂ ୩୨ କୋଟି ଲିଟର ଡିଜେଲ ବିକ୍ରି କରିଥାନ୍ତି। ତେବେ ଭାରତ ବିଶ୍ବର ଏକ ପ୍ରମୁଖ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାରକାରୀ ଦେଶ ହୋଇଥିଲେ ମଧ୍ୟ ମୋଟ ଚାହିଦାର ୮୦ ପ୍ରତିଶତରୁ ଅଧିକ ଆମଦାନି ମାଧ୍ୟମରେ ପୂରଣ ହୋଇଥାଏ। ଏଥିପାଇଁ ସରକାରଙ୍କୁ ମୋଟା ଅଙ୍କର ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିଥାଏ। କିନ୍ତୁ ଏବେ ଚାହିଦା ହ୍ରାସ ଯୋଗୁଁ ଆମଦାନି କମିଯାଇଛି। ଫଳରେ ଆମଦାନି ବାବଦ ବିଲ୍ ମଧ୍ୟ କମିଯିବ। ତଥ୍ୟାଭିଜ୍ଞ ମହଲର କହିବାନୁଯାୟୀ, ତେଲ ଆମଦାନି ହ୍ରାସ ଯୋଗୁଁ ସରକାର ଏବର୍ଷ ୨ ଲକ୍ଷ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସମର୍ଥ ହୋଇପାରନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ତେଲ ଆମଦାନି ବାବଦରେ ସରକାରଙ୍କୁ ପ୍ରାୟ ୭.୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଲକ୍‌ଡାଉନ୍‌ କାରଣରୁ ଚଳିତବର୍ଷ ଏହା ୨ ଲକ୍ଷ କୋଟି ଟଙ୍କା କମିଯିବ। ଅର୍ଥାତ ସରକାର ଏ ବାବଦରେ ସିଧା ୨ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବାକୁ ସକ୍ଷମ ହେବେ। କିନ୍ତୁ ଚିନ୍ତାର ବିଷୟ ହେଲା ତେଲ ଚାହିଦା ହ୍ରାସ ଯୋଗୁଁ ସରକାରଙ୍କ ଉତ୍ପାଦ ଶୁଳ୍କ ଆଦାୟ ରାଶି ସାଂଘାତିକ ମାତ୍ରାରେ ହ୍ରାସ ପାଇବ। ନିକଟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିଲେ। କିନ୍ତୁ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ୮୦ରୁ ୯୦ ପ୍ରତିଶତ ହ୍ରାସ ଘଟିଥିବାରୁ ଉତ୍ପାଦ ଶୁଳ୍କ ଆଦାୟ ରାଶି ମଧ୍ୟ ସମାନ ମାତ୍ରାରେ ହ୍ରାସ ଘଟିଛି। ସାଧାରଣ ଦିନ ଗୁଡ଼ିକର ତେଲ ଚାହିଦାକୁ ହିସାବକୁ ନେଲେ ସରକାର ଏବେ ପେଟ୍ରୋଲର ଉତ୍ପାଦ ଶୁଳ୍କ ବାବଦରେ ଦିନକୁ ପ୍ରାୟ ୨୦୬ କୋଟି ଟଙ୍କା ଏବଂ ଡିଜେଲ ବାବଦରେ ୫୫୦ କୋଟି ଟଙ୍କା ହରାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe