ବର୍ଷକରେ ପେଟ୍ରୋଲ୍ ୨୬ ଟଙ୍କା ମହଙ୍ଗା

Advertisment
ପାକିସ୍ତାନରେ ପେଟ୍ରୋଲ୍‌ ଦାମ୍‌ ୨୮୨ ଟଙ୍କା

The Hans India

ନୂଆଦିଲ୍ଲୀ: ‌ନିୟମିତ ଦରବୃଦ୍ଧି ପ୍ରଭାବରେ ବର୍ଷକ ଭିତରେ ପେଟ୍ରୋଲ୍ ମୂଲ୍ୟରେ ୨୬ ଟଙ୍କାର ବୃଦ୍ଧି ହୋଇଛି। ସେହି ସମୟରେ ଡିଜେଲ୍ ଦାମ୍ ୨୫ ଟଙ୍କା ବଢ଼ିଛି। ଭାରତରେ ତୈଳ ଦରରେ ଏଭଳି ବୃଦ୍ଧି ପୂର୍ବରୁ କେବେବି ହୋଇନଥିଲା। ଗତ ମାସ ଠାରୁ ତୈଳ କଂପାନିଗୁଡ଼ିକ ପ୍ରାୟ ସବୁଦିନ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ୩୦-୩୫ ପଇସା ଲେଖାଏଁ ବଢ଼ାଉଛନ୍ତି। ମାସକ ଭିତରେ ପେଟ୍ରୋଲ୍ ଦାମ୍ ୫ ଟଙ୍କା ଓ ଡିଜେଲ୍ ମୂଲ୍ୟ ୬ ଟଙ୍କା ବଢ଼ିଗଲାଣି।

ଏକ ହିସାବରୁ ଜଣାପଡ଼ିଛି ଯେ ଗତ ଦୁଇ ବର୍ଷରେ ପେଟ୍ରୋଲ୍ ଦାମ୍ ୩୪ ପଇସା ବଢ଼ିଥିବା ବେଳେ ଡିଜେଲ୍ ୨୯ ଟଙ୍କା ୫୦ ପଇସା ମହଙ୍ଗା ହୋଇଛି। ଶତାଂଶ ହିସାବରେ ଦୁଇ ବର୍ଷରେ ପେଟ୍ରୋଲ୍ ଦାମ୍ ୪୬% ଓ ଡିଜେଲ୍‌ ଦାମ୍ ୪୫% ବଢ଼ିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୮୫ ଡଲାର ପାଖାପାଖି ପହଞ୍ଚିଥିବା ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୫ ଟଙ୍କା ସ୍ତରରେ ରହିଥିବାରୁ ଏବେ ପ୍ରାୟ ସବୁ ଦିନ ତେଲ ଦାମ୍ ବଢ଼ୁଛି। ଅଶୋଧିତ ତୈଳ ଦାମ୍‌ରେ ହ୍ରାସ ନହେଲେ କିମ୍ବା ସରକାର ନିଜ ଆଡ଼ୁ ଟିକସ କମ୍ ନକଲେ ତେଲ୍ ଦାମ୍ ହ୍ରାସ ପାଇବ ନାହିଁ। ଚିନ୍ତାର ବିଷୟ ହେଉଛି ଯଦି ଏହି ଧାରା ଜାରି ରହିବ ତେବେ ଦାମ୍‌ ଆଗକୁ ଆହୁରି ବଢ଼ିବ।
ଗତବର୍ଷ କରୋନା ମହାମାରୀ ବ୍ୟାପିବା ପରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୩୦ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇଥିଲା। କିନ୍ତୁ ତାହାର ଲାଭ ପାଇବାରୁ ଗ୍ରାହକମାନେ ବଞ୍ଚିତ ହୋଇଥିଲେ। ସ୍ଥିତିର ଫାଇଦା ଉଠାଇ କେନ୍ଦ୍ର ସରକାର ଏକାଥରେ ପେଟ୍ରୋଲ୍‌ ଓ ଡିଜେଲ୍‌ରେ ଟିକସ ବହୁତ ବଢ଼ାଇଦେଇଥିଲେ। ଏବେ ଦେଶରେ ପ୍ରାୟ ୧୦୫ ଟଙ୍କାରେ ବିକ୍ରି ହେଉଥିବା ଏକ ଲିଟର ପେଟ୍ରୋଲ୍‌ରୁ ୫୭ ଟଙ୍କା ୨୪ ପଇସା ଏବଂ ଡିଜେଲ୍‌ରୁ ୪୫ ଟଙ୍କା ୫୭ ପଇସାର ଟିକସ ସଂଗ୍ରହ କରାଯାଉଛି। ଆଜି ମଧ୍ୟ ପେଟ୍ରୋଲ୍ ମୂଲ୍ୟରେ ୩୫ ପଇସାର ବୃଦ୍ଧି ଘଟିଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ୍‌ ଦାମ୍ ୧୦୬ ଟଙ୍କା ୮୯ ପଇସା ହୋଇଥିବା ବେଳେ ଡିଜେଲ୍ ଦାମ୍ ୯୫ ଟଙ୍କା ୬୦ ପଇସା ରହିଛି। ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ୍ ଦାମ୍ ସର୍ବାଧିକ ୧୧୮ ଟଙ୍କା ୫୦ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ୍ ଦାମ୍ ୧୦୯ ଟଙ୍କା ୪୦ ପଇସା ରହିଛି।

କରୋନା ମହାମାରୀର ଦ୍ବିତୀୟ ଲହର ପ୍ରଭାବ ଦୂର ହେବା ପରେ ସାରା ବିଶ୍ବର ଅର୍ଥନୀତି ହଠାତ୍‌ ଚଳଚଞ୍ଚଳ ହୋଇପଡ଼ିବାରୁ ଇନ୍ଧନ ଓ ଶକ୍ତି ଚାହିଦା ବୃଦ୍ଧି ପାଇଛି। ଚାହିଦାରେ ଏଭଳି ବୃଦ୍ଧି ହେବ ବୋଲି ତୈଳ ଯୋଗାଣକାରୀ ଦେଶଗୁଡ଼ିକ ଆକଳନ କରିପାରିନଥିଲେ। ତେଣୁ‌ ସେମାନେ ଉତ୍ପାଦନ ବଢ଼ାଇନଥିଲେ। ଏବେ ଉତ୍ପାଦନ ବଢ଼ାଇବା ଲାଗି ଏହି ଦେଶଗୁଡ଼ିକ ଯେତେ ଉଦ୍ୟମ କରୁଥିଲେ ମଧ୍ୟ ତାହା ଚାହିଦା ପୂରଣ କରିବାକୁ ସକ୍ଷମ ହେଉନାହିଁ। ବଜାରରେ ଯୋଗାଣ ତୁଳନାରେ ଚାହିଦା ଅଧିକ ରହୁଥିବାରୁ ‌ତେଲ ଚଢ଼ା ଦାମ୍‌ରେ ବିକ୍ରି ହେଉଛି। ଭାରତ ଯାହା ନିଜର ୮୦% ତୈଳ ଆବଶ୍ୟକତା ଆମଦାନି ଜରିଆରେ ପୂରଣ କରିଥାଏ ତାହା ଆଉ ଏକ ସମସ୍ୟା ଦେଇ ଗତି କରୁଛନ୍ତି। ତାହା ହେଉଛି ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ। ଏକ ବ୍ୟାରେଲ ଅଶୋଧିତ ତୈଳ କିଣିବା ଲାଗି ପୂର୍ବରୁ ତୈଳ ବିଶୋଧନକାରୀ ସଂସ୍ଥାଗୁଡ଼ିକ ଭାରତୀୟ ମୁଦ୍ରାରେ ଯେତିକି ଖର୍ଚ୍ଚ କରୁଥିଲେ ଏବେ ସେହି ସମାନ ପରିମାଣର ତେଲ କିଣିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe