ପେଟ୍ରୋଲ, ଡିଜେଲ ଦର ହ୍ରାସ ପ୍ରସଙ୍ଗ : ନିଜ ମୁଣ୍ଡକୁ ବୋଝ ନେଲେନି ନିର୍ମଳା

Advertisment

ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ଛାଡ଼ିଲେ

ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ଛାଡ଼ିଲେ

୨୨ ରାଜ୍ୟ କମାଇଲେ ଭାଟ୍‌

ନୂଆଦିଲ୍ଲୀ :ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବହୁ ଅଧିକ ହୋଇଯାଇଛି। ଅଧିକାଂଶ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଦର ୯୦ ଟଙ୍କା ଉପରେ ଥିବାବେଳେ କିଛି ସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଛି। ଗ୍ରାହକ ଯେଉଁ ଦରରେ ପେଟ୍ରୋଲ, ଡିଜେଲ କିଣୁଛି ସେଥିରେ ପାଖାପାଖି ୬୦ ପ୍ରତିଶତ ଟିକସ କେନ୍ଦ୍ର ଓ ରାଜ୍ୟ ସରକାର ଭିଡ଼ି ନେଉଛନ୍ତି।

ଗତବର୍ଷ କରୋନା ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ବହୁ ତଳକୁ ଖସିଯାଇଥିଲା। ରାଜସ୍ବ ଆଦାୟ ପାଇଁ କେନ୍ଦ୍ର ସରକାର ତେଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କକୁ ବହୁ ଅଧିକ ବଢ଼ାଇ ଦେଇଥିଲେ। ଏହାପରେ ରାଜ୍ୟ ସରକାର ମଧ୍ୟ ଭାଟ୍‌ ବଢ଼ାଇ ଦେଇଥିଲେ। କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ପରେ ଏପର୍ଯ୍ୟନ୍ତ କେନ୍ଦ୍ର ଏବଂ ରାଜ୍ୟ ଟିକସ ରାଶି ଛାଡ଼ିବାକୁ ରାଜିନାହାନ୍ତି। ଫଳରେ ପେଟ୍ରୋଲ ଏବଂ ଡିଜେଲ କିଣିବା ସମୟରେ ଉଚ୍ଚ ଦର ଗ୍ରାହକଙ୍କୁ ବହୁମାତ୍ରାରେ ବାଧୁଛି।

ଯଦିଓ ଚଳିତବର୍ଷ ଫେବ୍ରୁଆରି ୧ ତାରିଖରେ ଉପସ୍ଥାପିତ କେନ୍ଦ୍ରୀୟ ବଜେଟ୍‌ରେ ଅର୍ଥମନ୍ତ୍ରୀ କେନ୍ଦ୍ରୀୟ ଉତ୍ପାଦ ଶୁଳ୍ପ କମାଇଥିଲେ କିନ୍ତୁ ତାହା ସ୍ଥାନରେ ସେତିକି ପରିମାଣର ସେସ୍‌ ଲଗାଇଥିଲେ। ଫଳରେ ଗ୍ରାହକଙ୍କୁ ଉତ୍ପାଦ ଶୁଳ୍କ ହ୍ରାସର କୌଣସି ଫାଇଦା ମିଳିଲା ନାହିଁ। ସାଧାରଣରେ ଟିକସ ହ୍ରାସ ପାଇଁ ଦାବି ହେଉଥିବା ସମୟରେ ଅର୍ଥମନ୍ତ୍ରୀ ଆଜି ବୋଝ ନିଜ ମୁଣ୍ଡକୁ ନେଇନାହାନ୍ତି। ତେଲ ଉପରୁ ଟିକସ କମାଇବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି କହିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରାଯାଉଥିବା ଟିକସକୁ ଉଭୟ କେନ୍ଦ୍ର ଓ ରାଜ୍ୟ ନେଇଥାନ୍ତି। କେନ୍ଦ୍ର ଯେଉଁ ଟିକସ ଆଦାୟ କରୁଛି ସେଥିରୁ ୪୧ ପ୍ରତିଶତ ରାଜ୍ୟଗୁଡ଼ିକୁ ଯିବ । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ଏହା ଉପରେ ଆଲୋଚନା କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ସେହିଭଳି ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରକୁ ଅଣା ଯାଇପାରିଲେ ଦର କମିପାରନ୍ତା ଏବଂ ଦେଶର ସବୁସ୍ଥାନରେ ଏହାର ଗୋଟିଏ ଦର ରୁହନ୍ତା ବୋଲି ଯାହା କୁହାଯାଉଛି ତାହା ଉପରେ ପ୍ରତିକ୍ରିୟା ରଖି ଅର୍ଥମନ୍ତ୍ରୀ କହିଛନ୍ତି ଏହି ନିଷ୍ପତ୍ତି ଜିଏସ୍‌ଟି ପରିଷଦ ହିଁ ନେଇପାରିବ। ଜିଏସ୍‌ଟି ପରିଷଦର ଆଗାମୀ ବୈଠକରେ ଏହି ପ୍ରସଙ୍ଗ ଉଠାଯିବ କି ବୋଲି ପଚାରିବାକୁ ସେ କହିଥିଲେ ବୈଠକ ସମୟ ଆସିଲେ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ଯଥାକ୍ରମେ ୧୩ ଟଙ୍କା ଏବଂ ୧୬ ଟଙ୍କା ବଢ଼ାଇଥିଲେ। ନିକଟରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅର୍ଥନୀତିଜ୍ଞଙ୍କ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ପେଟ୍ରୋଲକୁ ଯଦି ଜିଏସଟି ପରିସରକୁ ଅଣାଯିବ ଏହାର ଲିଟର ପିଛା ଦର ୭୫ ଟଙ୍କାକୁ ହ୍ରାସ ପାଇବ। ସେହିଭଳି ଡିଜେଲ ଦର ଲିଟର ପିଛା ୬୮ ଟଙ୍କାକୁ କମିଯିବ। ତେବେ ସରକାରଙ୍କୁ ୧ ଲକ୍ଷ କୋଟି ଟଙ୍କା ବା ଜିଡିପିର ୦.୪ ପ୍ରତିଶତ ରାଜସ୍ବ କ୍ଷତି ସହିବାକୁ ପଡ଼ିବ। ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୬୦ ଡଲାର ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୩ ଡଲାର ରହିଲେ ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟ ଉପରୋକ୍ତ ସ୍ତରରେ ରହିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe