୪ ମାସ ହେଲା ୧୦୩ରେ ଅଟକିଛି ପେଟ୍ରୋଲ୍, ଲାଭ ପାଇବାରୁ ଗ୍ରାହକ ବଞ୍ଚିତ

Advertisment
ପେଟ୍ରୋଲ୍‌ ଦାମ୍ ବି କମିବ: ୨୦୨୨ ଏପ୍ରିଲ୍‌ରୁ ଦାମ୍‌ କମିନି

Image Courtesy of India.com

ନୂଆଦିଲ୍ଲୀ, ୨୬/୯: ଯେଉଁ ଅଶୋଧିତ ତୈଳକୁ ବିଶୋଧନ କରି ପେଟ୍ରୋଲ ଓ ଡିଜେଲ୍ ପ୍ରସ୍ତୁତ କରାଯାଉଛି ତାହାର ବ୍ୟାରେଲ ପିଛା ଦାମ୍ ୮୦ ଡଲାର ତଳକୁ ଖସିଲାଣି। ସେହି ଅନୁସାରେ ବିଶ୍ବର ବିଭିନ୍ନ ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ହ୍ରାସ ପାଉଛି। କିନ୍ତୁ ଭାରତରେ ତାହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। ଗତ ମେ’ ୨୧ ପରଠାରୁ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ସ୍ଥିର ରହିଛି। ଏହି ଚାରି ମାସ (୧୨୮ ଦିନ) ଭିତରେ ତେଲ ଦାମ୍‌ ହ୍ରାସ ପାଇନାହିଁ। କେବଳ ଓଡ଼ିଶା ନୁହେଁ ସର୍ବଭାରତୀୟ ସ୍ତରରେ କୌଣସି ସ୍ଥାନରେ ପେଟ୍ରୋଲ ଓ ଡିଜେଲ୍ ଦାମ୍‌ରେ ପରିବର୍ତ୍ତନ ହୋଇନାହିଁ। କେତେକ ରାଜ୍ୟ ତେଲ ଉପରୁ ଭାଟ୍ ହ୍ରାସ କରିବା ଯୋଗୁଁ ସେହି ରାଜ୍ୟଗୁଡ଼ିକରେ ଦାମ୍‌ରେ ଯାହା କିଛି ପରିବର୍ତ୍ତନ ହୋଇଛି। ଚାରି ମାସ ହେଲାଣି ଭୁବନେଶ୍ବରରେ ପେଟ୍ରୋଲ୍‌ ଦାମ୍ ୧୦୩ ଟଙ୍କା ୧୯ ପଇସା ଏବଂ ଡିଜେଲ ଦାମ୍ ୯୪ ଟଙ୍କା ୭୬ ପଇସାରେ ସ୍ଥିର ରହିଛି।

ଦରଦାମ୍ ସ୍ଥିତି ଅଣାୟତ୍ତ ହୋଇପଡ଼ିବାରୁ ଗତ ମେ’ ୨୧ରେ କେନ୍ଦ୍ର ସରକାର ପେଟ୍ରୋଲ୍‌ର ଟିକସରେ ୮ ଟଙ୍କା ଓ ଡିଜେଲ୍‌ରେ ୬ ଟଙ୍କାର ହ୍ରାସ ଘୋଷଣା କରିଥିଲେ। ସେହି ସମୟରେ ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ମୂଲ୍ୟ ୧୧୩ ଡଲାର ପାଖାପାଖି ଥିଲା। ଇତି ମଧ୍ୟରେ ସେଥିରେ ୩୩ ଡଲାର ହ୍ରାସ ହୋଇଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଦାମ୍‌କୁ କଂପାନିଗୁଡ଼ିକ କମ୍ କରୁନାହାନ୍ତି। ଅଶୋଧିତ ତୈଳ ଦରରେ ହୋଇଥିବା ହ୍ରାସର ଲାଭ ପାଇବାରୁ ସାଧାରଣ ଗ୍ରାହକ ବଞ୍ଚିତ ହୋଇଛନ୍ତି। ସରକାରଙ୍କ କହିବାନୁଯାୟୀ, ବଜାର ହିଁ ପେଟ୍ରୋଲ ଓ ଡିଜେଲ୍‌ ଦର ନିର୍ଧାରଣରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। ସେହି ପ୍ରଥାକୁ କେବଳ ଅଶୋଧିତ ତୈଳ ଦ‌ରରେ ବୃଦ୍ଧି ବେଳେ ପାଳନ କରାଯାଉଛି। ଦାମ୍ ହ୍ରାସ ବେଳେ କଂପାନିଗୁଡ଼ିକ ଏହି କଥା ଭୁଲି ଯାଉଛନ୍ତି। ତୈଳ ଦର ନିର୍ଧାରଣ କରିବା ଲାଗି କଂପାନିଗୁଡ଼ିକୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିବା ନେଇ ସରକାର ଯାହା ଦୃଢ଼ ଭାବେ କହୁଛନ୍ତି ତାହା ଅନେକ ସମୟରେ ମିଛ ପ୍ରମାଣିତ ହେଉଛି। ବିଶେଷ କରି ନିର୍ବାଚନ ସମୟରେ ହଠାତ୍ ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିବା ବନ୍ଦ ହୋଇଯାଏ। ନିର୍ବାଚନ ଫଳାଫଳ ବାହାରିବା ପରେ ପୁଣି ହୁ ହୁ ହୋଇ ଦର ବଢ଼ିଥାଏ। ଯେହେତୁ ଦେଶରେ ପେଟ୍ରୋଲ ଓ ଡିଜେଲ୍ ବିକ୍ରି କରୁଥିବା ତିନି ପ୍ରମୁଖ ସଂସ୍ଥା ଇଣ୍ଡିଆନ ଅଏଲ୍‌, ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଓ ଭାରତ ପେଟ୍ରୋଲିୟମ୍‌ ସରକାରଙ୍କ ନିୟନ୍ତ୍ରଣରେ ରହିଛି, ସେଥିପାଇଁ ସରକାରଙ୍କ ଅଦୃଶ୍ୟ ନିର୍ଦେଶରେ ତେଲ ଦରରେ ପରିବର୍ତ୍ତନ ହଠାତ ବନ୍ଦ ହୋଇଯାଉଛି ବୋଲି କୁହାଯାଉଛି।

publive-image

ତେଲ ଦର ନିର୍ଧାରଣ କରିବାରେ ଯେଉଁ ଦୁଇଟି ବିଷୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ତାହା ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦାମ୍ ଏବଂ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ। ଗତ ମେ’ ୨୧ ବେଳକୁ ଅଶୋଧିତ ତୈଳ ଦାମ୍ ୧୧୩ ଡଲାର ଏବଂ ଡଲାର ଦାମ୍ ୭୭ ଟଙ୍କା ୫୦ ପଇସା ପାଖାପାଖି ଥିଲା। ସେହି ଅନୁସାରେ ପେଟ୍ରୋଲ୍ ଦାମ୍ ୧୦୩ ଟଙ୍କା ଏବଂ ଡିଜେଲ ଦାମ୍ ୯୪-୯୫ ଟଙ୍କା ସ୍ତରରେ ଥିଲା। ଏବେ ଅଶୋଧିତ ତୈଳ ଦାମ୍ ୮୦ ଡଲାରକୁ ହ୍ରାସ ପାଇଥିବା ବେଳେ ଡଲାର ତୁଳନାରେ କିନ୍ତୁ ଟଙ୍କା ମୂଲ୍ୟ ୮୧ ଟଙ୍କା ପାଖାପାଖି ସ୍ତରରେ ପହଞ୍ଚିଛି। ଏହି ଦୁଇ ତଥ୍ୟକୁ ବିଚାରକୁ ନେଲେ ନିଶ୍ଚିତ ରୂପେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ କିଛି ଟଙ୍କାର ହ୍ରାସ ଘଟିବା ଉଚିତ। କିନ୍ତୁ କଂପାନିଗୁଡ଼ିକ ସେହି ଲାଭ ଗ୍ରାହକଙ୍କୁ ଦେବାକୁ ଚାହୁନାହାନ୍ତି। ରାଜସ୍ବ ହାନି ଭୟରେ ସରକାର ମଧ୍ୟ ଟିକସ କମ୍ କରିବାକୁ ଚାହୁନାହାନ୍ତି। ଗତ ସେପ୍ଟେମ୍ବର ୧୬ର ଦିଲ୍ଲୀ ମୂଲ୍ୟ ହିସାବରେ ଟିକସ ପୂର୍ବରୁ ପେଟ୍ରୋଲ୍‌ ଦାମ୍ ୫୭ ଟଙ୍କା ୩୫ ପଇସା ଥିଲା। ସେଥିରେ କେନ୍ଦ୍ର ସରକାରଙ୍କ ୧୯ ଟଙ୍କା ୯୦ ପଇସା ଓ ରାଜ୍ୟ ସରକାରଙ୍କ ୧୫ ଟଙ୍କା ୭୧ ପଇସାର ଟିକସ ସମେତ ୩ ଟଙ୍କା ୭୬ ପଇସାର ଡିଲର କମିସନ ଯୋଡ଼ିବା ପରେ ବିକ୍ରି ଦାମ୍ ୯୬ ଟଙ୍କା ୭୨ ପଇସା ରହିଥିଲା। ସେହିପରି, ଡିଜେଲ୍‌ର ମୂଳ ଦାମ୍ ୫୮ ଟଙ୍କା ୧୬ ପଇସା ଥିବା ବେଳେ ତାହା ଉପରେ କେନ୍ଦ୍ର ସରକାର ୧୫ ଟଙ୍କା ୮୦ ପଇସା ଓ ରାଜ୍ୟ ସରକାର ୧୩ ଟଙ୍କା ୧୧ ପଇସାର ଟିକସ ଲଗାଇଛନ୍ତି। ସେଥିରେ ୨ ଟଙ୍କା ୫୫ ପଇସାର ଡିଲର କମିସନ ଯୋଡ଼ିବା ପରେ ଡିଜେଲ୍‌ର ବିକ୍ରି ମୂଲ୍ୟ ୮୯ ଟଙ୍କା ୬୨ ପଇସା ହୋଇଛି।

ଚଳିତ ବର୍ଷ ମାର୍ଚ୍ଚରେ ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବା ପରେ ଅଶୋଧିତ ତୈଳ ଦର ଲଗାତାର ଭାବେ ବୃଦ୍ଧି ପାଇ ୧୪୦ ଡଲାର ହୋଇଯାଇଥିଲା। ତାହାର ପ୍ରଭାବରେ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ମଧ୍ୟ ରେକର୍ଡ ବୃଦ୍ଧି ହୋଇଥିଲା। ପେଟ୍ରୋଲ୍ ଦାମ୍ ୧୧୦ ଟଙ୍କାରୁ ଅଧିକ ହୋଇଯାଇଥିଲା। ଶେଷ ଥର ପାଇଁ ୨୦୨୧ ନଭେମ୍ବର ୨ ତାରିଖରେ ଗଙ୍ଗନଗର ନାମକ ସ୍ଥାନରେ ପେଟ୍ରୋଲ୍‌ ମୂଲ୍ୟ ସର୍ବାଧିକ ୧୨୨ ଟଙ୍କା ୬୨ ପଇସାରେ ବିକ୍ରି ହୋଇଥିଲା। ୨୦୨୧ ନଭେମ୍ବର ବେଳକୁ ପେଟ୍ରୋଲ ଉପରେ କେନ୍ଦ୍ର ସରକାର ୩୨ ଟଙ୍କା ୯୦ ପଇସା ଓ ଡିଜେଲ୍‌ରେ ୩୧ ଟଙ୍କା ୮୦ ପଇସାର ଟିକସ ଲଗାଇଥିଲେ। ବର୍ତ୍ତମାନ ପେଟ୍ରୋଲ୍ ଉପରେ କେନ୍ଦ୍ରୀୟ ଟିକସ ୧୯ ଟଙ୍କା ୯୦ ପଇସା ଓ ଡିଜେଲ୍ ଉପରେ ୧୫ ଟଙ୍କା ୮୦ ପଇସାର ଟିକସ ରହିଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ଶାସନ ଭାର ଗ୍ରହଣ କରିବା ବେଳେ ପେଟ୍ରୋଲ୍ ଉପରେ କେନ୍ଦ୍ରୀୟ ଟିକସ ପରିମାଣ ୧୦ ଟଙ୍କା ୪୨ ପଇସା ଓ ଡିଜେଲ୍‌ରେ ୧୨ ଟଙ୍କା ୨୩ ପଇସା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe