ପିଏଫ୍‌ଏମ୍‌ଏସ୍‌ର ଏକକ ନୋଡାଲ୍‌ ଏଜେନ୍ସି ଡ୍ୟାସ୍‌ବୋର୍ଡ ଆରମ୍ଭ: ସାରା ଦେଶର ଓଡ଼ିଶା ଏକମାତ୍ର ଉପସ୍ଥାପକ ରାଜ୍ୟ

Advertisment
ପିଏଫ୍‌ଏମ୍‌ଏସ୍‌ର ଏକକ ନୋଡାଲ୍‌ ଏଜେନ୍ସି ଡ୍ୟାସ୍‌ବୋର୍ଡ ଆରମ୍ଭ: ସାରା ଦେଶର ଓଡ଼ିଶା ଏକମାତ୍ର ଉପସ୍ଥାପକ ରାଜ୍ୟ

The Economic Times

ଭୁବନେଶ୍ୱର: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ନୂଆଦିଲ୍ଲୀଠାରେ ଆୟୋଜିତ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ ଆର୍ଥିକ ପରିଚାଳନା ବ୍ୟବସ୍ଥା (ପିଏଫ୍‌ଏମ୍‌ଏସ୍‌)ର ଏକକ ନୋଡାଲ ଏଜେନ୍ସି (ଏସ୍‌ଏନ୍‌ଏ)ର ଡ୍ୟାସ୍‌ବୋର୍ଡକୁ ଆରମ୍ଭ କରିଛନ୍ତି। ଏହି ଡ୍ୟାସ୍‌ବୋର୍ଡ ମାଧ୍ୟମରେ ବିଭିନ୍ନ ରାଜ୍ୟର ସରକାରୀ ଆର୍ଥିକ ଜନିତ ତଥ୍ୟ ଜନ ସାଧାରଣଙ୍କ ପାଇଁ ଉପଲବ୍ଧ ହେବ। ଏହି ଅବସରରେ ଓଡିଶା ସରକାରଙ୍କ ଅର୍ଥ ବିଭାଗର ଅଧିକାରୀ ରାଜ୍ୟରେ ଏସ୍‌ଏନ୍‌ଏ ମଡେଲ ପ୍ରଚଳନ ସମ୍ବନ୍ଧରେ ଏକ ଉପସ୍ଥାପନା କରିଥିଲେ। ଏସ୍‌ଏନ୍‌ଏ ମଡେଲ୍‌ ପ୍ରଚଳନ କରିବାରେ ଏକ ପ୍ରାରମ୍ଭିକ ରାଜ୍ୟ ହୋଇଥିବାରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ରାଜ୍ୟ ମଧ୍ୟରେ ଓଡିଶାକୁ ଏକମାତ୍ର ଉପସ୍ଥାପକ ଭାବେ ଆମନ୍ତ୍ରଣ କରିଥିଲେ। ଏହା ବିଜ୍ଞ ଆର୍ଥିକ ପରିଚାଳନା, ବଜେଟ୍‌ ପ୍ରସ୍ତୁତି ତଥା ଏସ୍‌ଏନ୍‌ଏ ମଡେଲ ପ୍ରଚଳନ କରିବାରେ ଓଡିଶାର ସଫଳତାର ପରିଚାୟକ। ସରକାରୀ ଆର୍ଥିକ ପରିଚାଳନା ବ୍ୟବସ୍ଥା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଥିବା ଓଡିଶା ପାଇଁ ଜାତୀୟ ସ୍ଥରରେ ଏହା ଏକ ସ୍ୱୀକୃତି ଅଟେ।

ଭାରତ ସରକାର ମାର୍ଚ୍ଚ ୨୦୨୧ ରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅଧିନରେ ପାଣ୍ଠି ପ୍ରଦାନ ଓ ଏହାର ନିରୀକ୍ଷଣ ନିମିତ୍ତ ଏକ ନୂତନ ଏସ୍‌ଏନ୍‌ଏ ମଡେଲ ପ୍ରବର୍ତ୍ତନ କରିଥିଲେ। ଏହି ମଡେଲ ରାଜ୍ୟ ଏବଂ ରାଜ୍ୟ ଅଧିନସ୍ଥ ଯୋଜନା ପ୍ରଚଳନକାରୀ ସଂସ୍ଥାମାନଙ୍କୁ ସଠିକ୍‌ ସମୟରେ ପାଣ୍ଠି ପ୍ରଦାନ, ପାଣ୍ଠିର ସୁବିନିଯୋଗ, ପାଣ୍ଠିର ଟ୍ରାକିଂ ମାଧ୍ୟମରେ ସରକାରଙ୍କ ଉତ୍ତମ ଆର୍ଥିକ ପରିଚାଳନାରେ ସହାୟକ ହେବ। ବଳିଷ୍ଠ ସମନ୍ୱିତ ଆର୍ଥିକ ପରିଚାଳନା ପଦ୍ଧତି (ଆଇଏଫ୍‌ଏମ୍‌ଏସ୍‌), ଉତ୍ତମ ଆର୍ଥିକ ସ୍ଥିତି ଓ ପିଏଫ୍‌ଏମ୍‌ଏସ୍‌ ପ୍ରଚଳନରେ ଏକ ପ୍ରାରମ୍ଭିକ ରାଜ୍ୟ ହୋଇଥିବାରୁ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଏସ୍‌ଏନ୍‌ଏ ମଡେଲ ପ୍ରଚଳନରେ ଓଡିଶା ଅଗ୍ରଣୀ ହୋଇପାରିଛି। ଏତଦ୍ୱ୍ୟତୀତ କେନ୍ଦ୍ର ଓ ରାଜ୍ୟର ପିଏଫ୍‌ଏମ୍‌ଏସ୍‌ ଟିମ୍‌ର ସକ୍ରିୟ ସହଯୋଗ ତଥା ରାଜ୍ୟର ନିରବଚ୍ଛିନ୍ନ ନିରୀକ୍ଷଣ, ସ୍ପଷ୍ଟ କାର୍ଯ୍ୟଶୈଳୀ ଏବଂ ପ୍ରଚଳନଜନିତ ସମସ୍ୟାଗୁଡିକର ସମୟୋଚିତ ସମାଧାନ, ସିଏସ୍‌ଏସ୍‌ର ସମସ୍ତ ‘ରାଜ୍ୟସଂଯୁକ୍ତ ଯୋଜନା’କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପିଏଫ୍‌ଏମ୍‌ଏସ୍‌ ପ୍ଲାଟ୍‌ଫର୍ମ ସହିତ ସଂଯୁକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏସ୍‌ଏନ୍‌ଏ ମଡେଲ ପ୍ରଚଳନରେ ଅକ୍ଳାନ୍ତ ଉଦ୍ୟମ ଏବଂ ଆର୍ଥିକ ପରିଚାଳନା କ୍ଷେତ୍ରରେ ଅନ୍ୟାନ୍ୟ ସଂସ୍କାର ପାଇଁ ଓଡିଶା ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି। ଏହି ଉତ୍ସବରେ କେନ୍ଦ୍ର ଅର୍ଥ ସଚିବ ଡ. ଟି.ଭି. ସୋମନାଥନ, ମହାଲେଖା ନିୟନ୍ତ୍ରକ ସୋନାଲି ସିଂହ, ଅତିରିକ୍ତ ମହାଲେଖା ନିୟନ୍ତ୍ରକ ଧରିତ୍ରୀ ପଣ୍ଡା (ପିଏଫ୍‌ଏମ୍‌ଏସ୍‌ ଡିଭିଜନ୍‌) ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe