ପେ‌ଟ୍ରୋଲ ଦରକୁ ନେଇ ରାଜନୀତି: କଂଗ୍ରେସ-ବିଜେପି ମୁହାଁମୁହିଁ

Advertisment
ଲକ୍ଷଦ୍ବୀପରେ ତେଲ ୧୫ ଟଙ୍କା କମିଲା

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନ ଶେଷ ହେବା ପରେ ପରେ ଦରଦାମ୍‌ ବୃଦ୍ଧି ପର୍ବ ଆରମ୍ଭ ହୋଇଯାଇଛି। କର୍ଣ୍ଣାଟକ ସରକାର ଶନିବାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛନ୍ତି। ବେଙ୍ଗାଲୁରୁରେ ପେଟ୍ରୋଲ ଦର ଲିଟର ପିଛା ୩ ଟଙ୍କା ଏବଂ ଡିଜେଲ ଦର ୩ ଟଙ୍କା ୨ ପଇସା ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ବିକ୍ରି କର ବୃଦ୍ଧି କରିବା ପରେ ତେଲ ମହଙ୍ଗା ହୋଇଛି। ଟିକସ ବଢ଼ିବା ପରେ ବେଙ୍ଗାଲୁରୁରେ ପେଟ୍ରୋଲ ଦର ଲିଟର ପିଛା ୧୦୨ ଟଙ୍କା ୮୪ ପଇସା ଏବଂ ଡିଜେଲ ଦର ଲିଟର ପିଛା ୮୮ ଟଙ୍କା ୯୫ ପଇସାରେ ପହଞ୍ଚିଛି। ତେଲ ଦର ବୃଦ୍ଧି ଘୋଷଣା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।

ଲୋକସଭା ନିର୍ବାଚନ ବେଳେ ଦରବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରିଥିବା କଂଗ୍ରେସର ଏହା ଅସଲ ଚେହେରା ବୋଲି କେନ୍ଦ୍ର ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ତେବେ ତେଲ ଦରବୃଦ୍ଧି ନିଷ୍ପତ୍ତିକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ସମର୍ଥନ କରିଛନ୍ତି। ସାର୍ବଜନୀନ ସେବା ଓ ବିକାଶମୂଳକ ପ୍ରକଳ୍ପଗୁଡ଼ିକ ଲାଗି ଏହି ପାଣ୍ଠି ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ତୈଳ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ପ୍ରତି ପରିବାରର ମହିଳାଙ୍କୁ ମାସିକ ୮୫୦୦ ଟଙ୍କା ଦେବାର ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା କଂଗ୍ରେସ ନେତୃତ୍ବାଧୀନ କର୍ଣ୍ଣାଟକ ସରକାର ତେଲ ଦର ବଢ଼ାଇ ଲୋକଙ୍କୁ ଦୁଃଖୀତ କରିଛନ୍ତି ବୋଲି ସେ କହିଛନ୍ତି। ତେଲ ମହଙ୍ଗା ହୋଇଥିବାରୁ କର୍ଣ୍ଣାଟକ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପୋଷାକ, ଔଷଧ ଆଦି ସବୁ କିଛି ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ ବୋଲି ସେ କହିଛନ୍ତି। ବିଜେପି ଶାସିତ ରାଜ୍ୟଗୁଡ଼ିକ ତୁଳନାରେ ଅନ୍ୟ ରାଜ୍ୟରେ ତେଲ ଅଧିକ ଦାମ୍‌ରେ ବିକ୍ରି ହେଉଥିବା ସେ କହିଛନ୍ତି। କର୍ଣ୍ଣାଟକର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ଏମ୍‌ବି ପାଟିଲ ଏହି ଦରବୃଦ୍ଧିକୁ ଯଥାର୍ଥ ଦର୍ଶାଇଛନ୍ତି। ରାଜ୍ୟର ଗ୍ୟାରେଣ୍ଟି ସ୍କିମ୍‌ ଏବଂ ବିକାଶମୂଳକ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଦାମ୍‌ ବୃଦ୍ଧି କରାଯାଇଛି। ଏପରିକି ଦର ବୃଦ୍ଧି ପରେ ମଧ୍ୟ କର୍ଣ୍ଣାଟକରେ ପେଟ୍ରୋଲ ଓ ଡିଜେଲ ଦର ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ ଭାବେ କମ୍‌ ରହିଥିବା ସେ କହିଛନ୍ତି।ଅନ୍ୟପକ୍ଷରେ କର୍ଣ୍ଣାଟକର ବିଜେପି ଶାଖା ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ସୋମବାର ରାଜ୍ୟବ୍ୟାପୀ ଏହାର ପ୍ରତିବାଦ କରାଯିବ ବୋଲି ବିଜେପି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe