କୁକୁଡ଼ା ଦାନା ଦରବୃଦ୍ଧି, ମାଲେସିଆକୁ ରପ୍ତାନି ପାଇଁ ଅଣ୍ଡା ମହଙ୍ଗା

Advertisment
କୁକୁଡ଼ା ଦାନା ଦରବୃଦ୍ଧି, ମାଲେସିଆକୁ ରପ୍ତାନି ପାଇଁ ଅଣ୍ଡା ମହଙ୍ଗା

Exporters India

ନୂଆଦିଲ୍ଲୀ: ଦେଶରେ ଅଣ୍ଡା ମୂଲ୍ୟରେ ହୋଇଥିବା ବୃଦ୍ଧିର ଦୁଇଟି ପ୍ରମୁଖ କାରଣ ସାମ୍ନାକୁ ଆସିଛି। କୁକୁଡ଼ା ଦାନା ମୂଲ୍ୟରେ ବୃଦ୍ଧି ଓ ମାଲେସିଆକୁ ବିପୁଳ ପରିମାଣର ରପ୍ତାନି କରାଯାଉଥିବାରୁ ଅଣ୍ଡା ଦାମ୍‌ ବଢ଼ିଛି। ଗତବର୍ଷ ଅକ୍ଟୋବର ପରେ ଅଣ୍ଡା ମୂଲ୍ୟ ୩୪ ପ୍ରତିଶତ ବଢ଼ିଛି। ଆଗାମୀ ଦିନରେ ମଧ୍ୟ ଦାନା ମୂଲ୍ୟ ଅଧିକ ରହିବ। ତେଣୁ ଫେବ୍ରୁଆରି ପର୍ଯ୍ୟନ୍ତ ଅଣ୍ଡା ମୂଲ୍ୟ ଉଚ୍ଚରେ ରହିପାରେ ବୋଲି ବ୍ୟବସାୟୀମାନେ ଭାବୁଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ୧୦୦ଟି ଅଣ୍ଡାର ଦାମ୍ ଦିଲ୍ଲୀରେ ୪୩୨ ଟଙ୍କା ପାଖାପାଖି ଥିଲା। ଚଳିତ ବର୍ଷ ଜାନୁଆରିରେ ତାହା ୫୫୮ ଟଙ୍କାକୁ ବୃଦ୍ଧି ପାଇଛି।

ବ୍ୟବସାୟୀଙ୍କ ମତରେ ଚଳିତ ବର୍ଷ ଜାନୁଆରି ପହିଲାରୁ ମାଲେସିଆକୁ ୫୦ ନିୟୁତ ଅଣ୍ଡା ପଠାଯାଇଛି। ପୂର୍ବରୁ ଓମାନ ଓ ସାଉଦି ଆରବକୁ ଅଣ୍ଡା ପଠାଯାଉଥିଲା। ମାଲେସିଆରେ ଅଭାବ ଦେଖାଦେବାରୁ ସେହି ଦେଶ ଭାରତରୁ ଅଣ୍ଡା ମଗାଇବା ଆରମ୍ଭ କରିଛି। ସେଠ‌ାରେ ମଧ୍ୟ କୁକୁଡ଼ା ଦାନା ମହଙ୍ଗା ହେବାରେ ଲାଗିଛି। ବିଶ୍ବସ୍ତରରେ ବାର୍ଡ ଫ୍ଲୁ ବ୍ୟାପିବା କାରଣରୁ ମଧ୍ୟ ଅଣ୍ଡାର ଅଭାବ ଦେଖାଦେଇଛି। ଭାରତରୁ ଅଣ୍ଡା ମଗାଇବା ପରେ ମାଲେସିଆରେ ଦରଦାମ୍ ନିୟନ୍ତ୍ରଣକୁ ଆସିଥିବା କୁହାଯାଉଛି। ଏକ ସମୟରେ ମାଲେସିଆରେ ୧୫.୭ କୋଟି ଅଣ୍ଡାର ଅଭାବ ଥିଲା। ଏବେ ସେହି ଅନ୍ତର ୧ ନିୟୁତକୁ ହ୍ରାସ ପାଇଛି।

ସ୍ଥାନୀୟ ବ୍ୟବସାୟୀଙ୍କ ମତରେ ଅଣ୍ଡା ଦର ବୃଦ୍ଧିର ବଡ଼ କାରଣ ମାଲେସିଆକୁ ରପ୍ତାନି ବୃଦ୍ଧି ନୁହେଁ। କୁକୁଡ଼ା ଦାନା ମୂଲ୍ୟରେ ବୃଦ୍ଧି ଅଣ୍ଡାକୁ ମହଙ୍ଗା କରିଛି। ଜାତୀୟ ଅଣ୍ଡା ସମନ୍ବୟ କମିଟି (ଏନ୍‌ଇସିସି)ର ସଞ୍ଜୀବ ଚିନ୍ତାୱାର କହିଛନ୍ତି ଯେ ଭାରତରେ ସପ୍ତାହକୁ ପ୍ରାୟ ୨୧୦୦ ନିୟୁତ ଅଣ୍ଡା ଉତ୍ପାଦନ ହେଉଛି। ସେଥିରୁ ୧୦ ନିୟୁତ ମାଲେସିଆକୁ ପଠାଯାଉଛି। ତାହା ଅଣ୍ଡା ଦରକୁ ବିଶେଷ ପ୍ରଭାବିତ କରୁନାହିଁ। ମାତ୍ର କୁକୁଡ଼ା ଦାନା ମୂଲ୍ୟରେ ବୃଦ୍ଧି ଅଣ୍ଡା ଦାମ୍‌କୁ ପ୍ରଭାବିତ କରୁଛି। କୁକୁଡ଼ା ଦାନା ତିଆରିରେ ମକା ଓ ସୋୟା ମିଲ୍‌ ଅଧିକ ବ୍ୟବହାର ହୁଏ। ଏହି ଦୁଇ ସାମଗ୍ରୀ ଦାମ୍‌ ଇତି ମଧ୍ୟରେ ବହୁତ ବଢ଼ିଛି। କରୋନା ମହାମାରୀ ପୂର୍ବରୁ ଅଣ୍ଡା ପିଛା ଦାନା ମୂଲ୍ୟ ୨ ଟଙ୍କା ୪୦ ପଇସା ଥିଲା। ଏବେ ତାହା ୪ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। ଚାରି ବର୍ଷରୁ କମ୍ ସମୟ ଭିତରେ ଏହି ମୂଲ୍ୟ ୮୮ ପ୍ରତିଶତ ବୃଦ୍ଧି ପାଇବା ହେଉଛି ଚିନ୍ତାର ବିଷୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe