୨୦୨୦ରେ ଦାରିଦ୍ର୍ୟ ୨ ଗୁଣା ହୋଇଛି, ଦ୍ବିତୀୟ ଲହର ଆହୁରି ଜଟିଳ ସ୍ଥିତି ଆଣିବ

Advertisment
୨୦୨୦ରେ ଦାରିଦ୍ର୍ୟ ୨ ଗୁଣା ହୋଇଛି, ଦ୍ବିତୀୟ ଲହର ଆହୁରି ଜଟିଳ ସ୍ଥିତି ଆଣିବ

ନୂଆଦିଲ୍ଲୀ : ପ୍ରଥମ ଲହର କରୋନା ସଂକ୍ରମଣ ଅନେକ ଭାରତୀୟଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦେଇଛି। ଲକ୍‌ଡାଉନ୍‌ ପାଇଁ ଅନେକଙ୍କର ଚାକିରି ଏବଂ ଜୀବିକା ଚାଲିଯାଇଛି। ଏକ ଅଧ୍ୟୟନ ଅନୁଯାୟୀ ପ୍ରଥମ ଲହର କରୋନା ସଂକ୍ରମଣ ପାଇଁ ଦେଶରେ ଦାରିଦ୍ର୍ୟ ଦ୍ବିଗୁଣା ହୋଇଛି। ଦେଶବ୍ୟାପୀ ଲକ୍‌ଡାଉନ୍‌ ହେବାପରେ ଭାରତରେ ଅଧିକାଂଶ ଲୋକଙ୍କ ରୋଜଗାର ସ୍ତର ଅତି ଦ୍ରୁତ ଗତିରେ ଖସି ଆସିଛି ‌ବୋଲି ବିଶ୍ବ ବ୍ୟାଙ୍କ୍‌ ଆକଳନରୁ ଜଣାପଡ଼ିଛି ଏବଂ ଏହାକୁ ଆଧାର କରି ପିଉ ଗବେଷଣା ‌କେନ୍ଦ୍ର ଦ୍ବାରା ଏହି ଅଧ୍ୟୟନ ହୋଇଛି। ମହାମାରୀ ପାଇଁ ଗତ ବର୍ଷ ସବୁ ଶିଳ୍ପରେ ବାଧା ଉପୁଜିଥିଲା। ଏଥିଯୋଗୁଁ ଅନେକ ଲୋକଙ୍କ ଚାକିରି ଚାଲି ଯାଇଥିଲା। ଭାରତରେ ମହାମାରୀ ସମୟରେ ଜିଡିପି ଅଭିବୃଦ୍ଧି ହାର କମିଛି। ଗରିବମାନେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଥିବା ବେଳେ କୋଟି କୋଟି ଭାରତୀୟ ମଧ୍ୟବିତ୍ତ ଶ୍ରେଣୀରୁ ଅଚାନକ ଗରିବ ଶ୍ରେଣୀକୁ ଆସିଯାଇଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଆକଳନ ଅନୁଯାୟୀ ଦେଶରେ ଦୈନିକ ୧୫୦ ଟଙ୍କାରୁ କମ୍‌ ରୋଜଗାର ଥିବା ଲୋକଙ୍କ ସଂଖ୍ୟା ୬ କୋଟିରୁ ୧୩.୪ କୋଟିକୁ ବୃଦ୍ଧି ପାଇଛି। ‌ତେଣୁ ଦେଶରେ ଗରିବ ଲୋକଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ ୭.୫ କୋଟି ବୃଦ୍ଧି ପାଇଛି। ସେହିପରି ଦେଶରେ ମଧ୍ୟବିତ୍ତଙ୍କ ସଂଖ୍ୟା ମଧ୍ୟ ମହାମାରୀ ପୂର୍ବରୁ ୯.୯ କୋଟି ଥିବାବେଳେ ମହାମାରୀ ପରେ ଏହା ୬.୬ କୋଟିକୁ କମିଯାଇଛି। ପିଉ ଗବେ‌ଷଣା ଅନୁଯାୟୀ ଯାହା ଆକଳନ କରାଯାଇଛି ପରିସ୍ଥିତି ତା’ଠାରୁ ଆହୁରି ଅଧିକ ଭୟଙ୍କର ହୋଇପାରେ। ଗରିବଙ୍କ ସଂଖ୍ୟା ଅତି ବଢ଼ିଯାଇଥିବା ବେଳେ ମଧ୍ୟବିତ୍ତଙ୍କ ସଂଖ୍ୟା କମିଯାଇଛି। ୨୦୧୧ରୁ ୨୦୧୯ ମଧ୍ୟରେ ଦେଶ ଦାରିଦ୍ର୍ୟକୁ ବେଶ୍‌ ଭଲଭାବେ ମୁକାବିଲା କରିପାରିଥିଲା। କିନ୍ତୁ ୨୦୨୦ ମସିହାରେ କରୋନା ମହାମାରୀ ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଲା।

‌ଦେଶରେ ରୋଜଗାର ଏବଂ ଆର୍ଥିକ ସ୍ଥିତି ମହାମାରୀ ପାଇଁ ଅତି ଦୁର୍ବଳ ହୋଇଗଲା ଏବଂ ସଙ୍କଟ ଜାରି ରହିବାକୁ ଏବେ ଏହା ଜଟିଳ ରୂପ ନେଇଛି। ତେବେ ଦ୍ବିତୀୟ ଲହର ସଂକ୍ରମଣ ସ୍ଥିତିକୁ ଆହୁରି ଗମ୍ଭୀର କରିଦେବ। ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ, ଯଦି ଟିକାକରଣ ତ୍ବରାନ୍ବିତ ନହୁଏ ଏବଂ ମେ’ ‌ଶେଷ ସୁଦ୍ଧା ଭାଇରସ୍‌ ନିୟନ୍ତ୍ରଣ କରାନଯା‌ଏ ତେବେ ଏହା ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ବହୁତ ଖରାପ୍‌ ପ୍ରଭାବ ପକାଇବ । ଏଥିଯୋଗୁଁ ଚାକିରି ଏବଂ ରୋଜଗାର ଆହୁରି କମିଯିବ। ଏହାଦ୍ବାରା ଆହୁରି ଅଧିକରୁ ଅଧିକ ଭାରତୀୟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe