ପିପିଏଲ୍‌ ଆଣିବ ୧,୨୫୫ କୋଟିର ଆଇପିଓ: ଡିସେମ୍ବର ସୁଦ୍ଧା ଷ୍ଟକ ବଜାରରେ ପ୍ରବେଶ କରିବ

Advertisment

୬୪୨ କୋଟିରେ ଗୋଆରେ କାରଖାନା କିଣିବ, ୩୦୦ କୋଟି ଟଙ୍କାର ଋଣ ଶୁଝିବ

୬୪୨ କୋଟିରେ ଗୋଆରେ କାରଖାନା କିଣିବ, ୩୦୦ କୋଟି ଟଙ୍କାର ଋଣ ଶୁଝିବ

ପିପିଏଲ୍‌ ଆଣିବ ୧,୨୫୫ କୋଟିର ଆଇପିଓ: ଡିସେମ୍ବର ସୁଦ୍ଧା ଷ୍ଟକ ବଜାରରେ ପ୍ରବେଶ କରିବ

Naveen Bharat

ଭୁବନେଶ୍ବର: ପାରାଦୀପରେ କାରଖାନା ସ୍ଥାପନ କରିଥିବା ସାର କଂପାନି ପାରାଦୀପ ଫସ୍‌ଫେଟ୍‌ ଲିମିଟେଡ୍‌ (ପିପିଏଲ୍‌) ଏହାର ବିଭିନ୍ନ ଆବଶ୍ୟକତା ପୂରଣ କରିବା ଲାଗି ଷ୍ଟକ ବଜାରରୁ ପାଣ୍ଠି ହାସଲ କରିବାକୁ ନିଷ୍ପତ୍ତି ନେଇଛି। ସେୟାର ବଜାର ଜରିଆରେ ୧,୨୫୫ କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରିବା ଲାଗି ଏହା ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଆଣିବ। ପିପିଏଲ୍‌ରେ ଥିବା ଭାରତ କେନ୍ଦ୍ର ସରକାରଙ୍କ ୧୯.୫୫ ପ୍ରତିଶତ ଅଂଶଧନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ। ଚଳିତ ମାସ ଅଗଷ୍ଟରେ ଏଥିପାଇଁ ଏହା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଆବେଦନ କରିଥିଲା। ସେପ୍ଟେମ୍ବର ଶେଷ ସପ୍ତାହରେ ଏଥିପାଇଁ ଅନୁମୋଦନ ମିଳିଛି। ଆସନ୍ତା ୨-୩ ମାସ ଭିତରେ ଆଇପିଓ ଜାରି କରାଯିବ ବୋଲି କଂପାନିର ସଭାପତି ସାବଲୀଳ ନନ୍ଦୀ କହିଛନ୍ତି। ତେବେ ସେୟାର ପିଛା ମୂଲ୍ୟ କେତେ ରହିବ ତାହା ଏବେଠାରୁ କହିବା କଷ୍ଟକର ବୋଲି ସେ କହିଛନ୍ତି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ରେ ପିପିଏଲ୍‌କୁ ତାଲିକାଭୁକ୍ତ କରାଯିବ।

ଶ୍ରୀ ନନ୍ଦୀ କହିଛନ୍ତି ଯେ ଆଇପିଓ ଜରିଆରେ ଯେଉଁ ୧,୨୫୫ କୋଟି ଟଙ୍କା ମିଳିବ ସେଥିରୁ ୬୪୨ କୋଟି ଟଙ୍କାକୁ ଗୋଆରେ ଥିବା ଏକ ବାର୍ଷିକ ୧.୨ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସାର କାରଖାନା କିଣିବା ଲାଗି ବ୍ୟବହାର କରାଯିବ। ଜୁଆରି ଆଗ୍ରୋ କେମିକାଲ୍ସ ଠାରୁ ଏହି କାରଖାନାକୁ କିଣିବା ଲାଗି ଚଳିତ ବର୍ଷ ମାର୍ଚ୍ଚ ମାସରେ କଂପାନି ଏକ ବୁଝାମଣା ସ୍ବାକ୍ଷର କରିଥିଲା। ସେ କହିଛନ୍ତି ଯେ ପାରାଦୀପ କାରଖାନା ଜରିଆରେ ପୂର୍ବ ଭାରତରେ ବେଶ ଦୃଢ଼ ସ୍ଥିତିରେ ଥିବା ପିପିଏଲ୍‌ ଗୋଆ କାରଖାନାକୁ କିଣିବା ପରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ଓ ତେଲେଙ୍ଗାନା ଭଳି ଦକ୍ଷିଣ ଭାରତରେ ନିଜର ଉପସ୍ଥିତି ଜାହିର କରିପାରିବ। ଦେଶର ଦୁଇଟି ଅଲଗା ଅଲଗା ସ୍ଥାନରେ କାରଖାନା ରହିବା ଦ୍ବାରା ବଜାର ସ୍ଥିତି ଯୋଗୁଁ ସୃଷ୍ଟି ହେଉଥିବା ବିପଦକୁ କଂପାନି ଠିକ୍ ଭାବେ ମୁକାବିଲା କରିପାରିବ ଓ ନିଜ ଅଂଶଧନକାରୀଙ୍କୁ ନିୟମିତ ଉଚିତ ମୂଲ୍ୟ ପ୍ରଦାନ କରିପାରିବ ବୋଲି ସେ କହିଛନ୍ତି।

ଆଇପିଓରୁ ମିଳିବାକୁ ଥିବା ପାଣ୍ଠିରୁ ୩୦୦ କୋଟି ଟଙ୍କାକୁ କଂପାନି ଋଣ ଶୁଝିବା ଲାଗି ବ୍ୟବହାର କରାଯିବ। କଂପାନି ଖାତାରେ ୧୨୦୦ କୋଟି ଟଙ୍କାର ଋଣ ରହିଛି। ସେଥିରୁ ୨୦୦ କୋଟି ଟଙ୍କା ଦୀର୍ଘମିଆଦୀ ଋଣ ହୋଇଥିବା ବେଳେ ବଳକା ୧,୦୦୦ କୋଟି ଟଙ୍କା ହେଉଛି ସ୍ବଳ୍ପମିଆଦୀ ଋଣ। ଉଲ୍ଲେଖଯୋଗ୍ୟ, ପିପିଏଲ୍‌ରେ ଏବେ ଜୁଆରି ମାରୋକ୍ ଫସ୍‌ଫେଟ୍‌ସ ପ୍ରାଇଭେଟ୍ ଲିମିଟେଡ୍‌ (ଜେଡ୍‌ଏମ୍‌ପିପିଏଲ୍‌) ନାମକ ଏକ ଯୌଥ ଉଦ୍ୟୋଗର ୮୦.୪୫% ଓ ଭାରତ ସରକାରଙ୍କ ୧୯.୫୫% ଅଂଶଧନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe