୫ ଲକ୍ଷ କୋଟିର ଅର୍ଥନୀତି ଲକ୍ଷ୍ୟ, ପ୍ରଣବଙ୍କ ସମର୍ଥନ

‘ଛାପା ଗଣମାଧ୍ୟମ ସର୍ବାଧିକ ବିଶ୍ବାସଯୋଗ୍ୟ’

୫ ଲକ୍ଷ କୋଟିର ଅର୍ଥନୀତି ଲକ୍ଷ୍ୟ, ପ୍ରଣବଙ୍କ ସମର୍ଥନ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅର୍ଥନୀତିକୁ ପାଞ୍ଚ ବର୍ଷରେ ୫ ଲକ୍ଷ କୋଟି ଡଲାରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ସମ୍ଭବ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ସେ କହିଛନ୍ତି ଯେ, ଯଦି ବିତ୍ତୀୟ ଶୃଙ୍ଖଳାକୁ ଠିକ୍ ଭାବେ ପରିଚାଳନା କରାଯାଇପାରିବ ତେବେ ୫ ଲକ୍ଷ କୋଟି ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ କରିବା ସମ୍ଭବ। ତେବେ ପୁଞ୍ଜିନିବେଶ ବିନା ଅର୍ଥନୀତି ଆଗକୁ ବଢ଼ିପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ମାନ୍ଦାବସ୍ଥା ସମ୍ପର୍କରେ ମତ ରଖିଛନ୍ତି ସେ କହିଛନ୍ତି ଯେ, ଗତବର୍ଷ ଠାରୁ ଅର୍ଥନୀତିରେ ମାନ୍ଦାବସ୍ଥାର ଲକ୍ଷଣ ଦେଖିବାକୁ ମିଳିଥିଲା। ସେଥିପାଇଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି କମିଯାଇଛି। ଜିଏସ୍‌ଟି ଆହୁରି ସ୍ପଷ୍ଟ ହେବା ଦରକାର ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇରେ ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟ୍‌ରେ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତି ଲକ୍ଷ୍ୟ ବିଷୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ସରକାରୀ ସ୍ତରରେ ଏହାର ଜୋରଦାର ପ୍ରଚାର କରାଯାଇଥିଲା। ସେହି ସମୟରେ ଏହା ଉପରେ ମତ ରଖି ପ୍ରଣବ କହିଥିଲେ ଯେ, ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତି ସ୍ବର୍ଗରୁ ଆସିବନି। କେବଳ ପୂର୍ବ ସରକାର କରିଥିବା କାର୍ଯ୍ୟ ଯୋଗୁ ଏହା ସମ୍ଭବ ହେବ। ପୂର୍ବରୁ ଯେଉଁମାନେ ଦେଶକୁ ଶାସନ କରିଛନ୍ତି ସେମାନଙ୍କୁ ସମାଲୋଚନା କରୁଥିବା ଲୋକମାନଙ୍କୁ କଡ଼ା ଜବାବ ଦେଇ ପ୍ରଣବ କହିଥିଲେ ଯେ, ଆଜି ଦେଶ ଯେଉଁ ଠାରେ ଠିଆ ହୋଇଛି ତାହା ପୂର୍ବ ସରକାରର କାର୍ଯ୍ୟ ଯୋଗୁ ସମ୍ଭବ ହୋଇଛି। ଏହି ସୁଦୃଢ଼ ମୂଳଦୁଆ ବ୍ରିଟିସମାନେ ପକାଇନଥିଲେ। ଦେଶ ସ୍ବାଧୀନ ହେବା ପରେ ଭାରତୀୟଙ୍କ ଦ୍ବାରା ଏହା ସମ୍ଭବ ହୋଇଛି। ଯେଉଁଭଳି ଭାବେ ମୋଦୀ ସରକାର ଯୋଜନା କମିସନକୁ ବନ୍ଦ କରିଦେଲେ ତାହାକୁ ପ୍ରଣବ ସହଜରେ ଗ୍ରହଣ କରିପାରିନଥିଲେ। ଆଧୁନିକ ଭାରତର ମୂଳଦୁଆ ପକାଇଥିବା ଲୋକମାନେ ଯୋଜନା ଭିତ୍ତିକ ଅର୍ଥନୀତି ଉପରେ ବିଶ୍ବାସ କରୁଥିଲେ ଯାହାକୁ ଏବେ ବିରୋଧ କରାଯାଉଛି ବୋଲି ପ୍ରଣବ କହିଥିଲେ। ୨୦୧୪ରେ ପ୍ରଥମ ଥର ପାଇଁ କେନ୍ଦ୍ରରେ ଶାସନ ଭାର ଗ୍ରହଣ କରିବା ପରେ ମୋଦୀ ସରକାର ଯୋଜନା କମିସନକୁ ବନ୍ଦ କରିଦେଇଥିଲେ। ଏହା ବଦଳରେ ନିତି ଆୟୋଗ ସୃଷ୍ଟି କରିଥିଲେ।

‘ଛାପା ଗଣମାଧ୍ୟମ ସର୍ବାଧିକ ବିଶ୍ବାସଯୋଗ୍ୟ’
କୋଲକାତା: ସୋସିଆଲ ମିଡିଆରେ କୌଣସି ବିଷୟ ଲେଖିବା ବେଳେ ସାବଧାନ ରହିବାକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ସେ କହିଲେ, ସୋସିଆଲ ମିଡିଆରେ କୌଣସି ବିଷୟକୁ ସେୟାର କରିବା ବେଳେ ଲୋକମାନେ ଅଧିକ ଯତ୍ନବାନ ହେବା ଦରକାର। ଦେଶରେ ହେଉଥିବା ଅନେକ ସାମାଜିକ ଓ ଜାତିଆଣ ହିଂସାର ମୂଳ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଗୁଜବରେ ରହିଛି। ‌ଯେଉଁମାନେ ଅଜାଣତରେ ଏହି ସବୁ ବିଷୟ ସେୟାର କରୁଛନ୍ତି ସେମାନେ ମଧ୍ୟ ଏଭଳି ଘଟଣା ପାଇଁ ଦାୟୀ ବୋଲି ସେ କହିଛନ୍ତି। ସେ କହିଲେ, ଛାପା ଗଣମାଧ୍ୟମ ଉପରେ ମୋର ସର୍ବାଧିକ ବିଶ୍ବାସ ରହିଛି। ସେଥି‌‌ରେ ଯାହା ବି କିଛି ପ୍ରକାଶ ପାଏ ତାହା ଭଲ ଭାବେ ଯାଞ୍ଚ କରାଯାଇଥାଏ ଏବଂ ସମ୍ପାଦନା କରାଯାଇଥାଏ। ସୋସିଆଲ ମିଡିଆରେ କିନ୍ତ ସେଭଳି ହୋଇନଥାଏ। ସେଥିପାଇଁ ‌କୌଣସି ବିଷୟ ସେୟାର କରିବା ବେଳେ ଆମକୁ ଅତ୍ୟନ୍ତ ଯତ୍ନବାନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏକ ଗଣମାଧ୍ୟମ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି ଯେ, ସୂଚନା ପ୍ରଦାନ କରିବାର ମାଧ୍ୟମ ବଦଳିଛି। ନୋଟ୍‌ରୁ ଟାଇପ୍‌ ରାଇଟର୍‌ ଏବଂ ଏବେ ମୋବାଇଲ୍ ଫୋନ୍। କିନ୍ତୁ ସୂଚନା ପ୍ରଦାନ କରିବାର ଯେଉଁ ଲକ୍ଷ୍ୟ ରଖିଛି ସେଥିରେ କୌଣସି ପ୍ରକାର ସାଲିସ ହେବା ଅନୁଚିତ ବୋଲି ସେ କହିଛନ୍ତି। କୌଣସି ଖବର ଲେଖିବା ବେଳେ ତାହାକୁ ବିଭିନ୍ନ ଦିଗରୁ ତର୍ଜମା କରିବାର ସ୍ବାଧୀନତା ସାମ୍ବାଦିକମାନଙ୍କ ପାଖରେ ରହିଛି। କିନ୍ତୁ ଖବର ଲେଖିବା ବେଳେ ସାମ୍ବାଦିକମାନେ ନିଜ ବ୍ୟକ୍ତିଗତ ଭାବନା ପ୍ରକାଶ କରିବା ଠାରୁ ଦୂରେଇ ରହିବା ଦରକାର ବୋଲି ସେ କହିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe