ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନ୍ଡବ୍ଲୁଇସି)ର ନୂଆ ଆବାହକ ଭାବେ ତୁଶି ମୋଟର୍ସର ଏମ୍ଡି ତଥା କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ୍ର ସହ ପ୍ରତିଷ୍ଠାତା ପ୍ରୀତି ପଲ୍ଲବୀ ପଟ୍ଟନାୟକ ଆବାହକ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ସ୍ବାତୀ କେଜରିୱାଲ୍ଙ୍କୁ ସହ ଆବାହକ ଭାବେ ନିଯୁକ୍ତ କରାଯାଇଛି। ପରିଷଦର ଆବାହକ ଭାବେ ସମ୍ବାଦ ସମ୍ପାଦକ ତନୟା ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ଆଗାମୀ ଦିନରେ ଏହାର ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ।
ଆଜି ଭୁବନେଶ୍ବରରେ ଅନୁଷ୍ଠିତ ଆଇଏନ୍ଡବ୍ଲୁଇସିର ନେତୃତ୍ବ ପରିବର୍ତ୍ତନ ସମାରୋହରେ ପରିଷଦର ନୂଆ ଆପ୍କୁ ଉନ୍ମୋଚନ କରାଯାଇଛି। ସେଥିରେ ସଦସ୍ୟମାନେ ପଞ୍ଜୀକରଣ କରି ସେମାନଙ୍କ ବିବରଣୀ ପ୍ରଦାନ କରିପାରିବେ ଏବଂ ପରସ୍ପର ସହ ବ୍ୟବସାୟ ବରାଦ ମଧ୍ୟ ଦେଇପାରିବେ। ଏଥି ସହିତ ସେଲିବ୍ରିଟି ସ୍ତମ୍ଭକାର ନିଶା ଜାମ୍ୱାଲ୍, ତନୟା ଓ ପ୍ରୀତିଙ୍କ ମଧ୍ୟରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ମହିଳା ଉଦ୍ୟୋଗୀମାନେ ସାମ୍ନା କରୁଥିବା ବିଭିନ୍ନ ଆହ୍ବାନ ଓ ହାସଲ କରିଥିବା ସଫଳତା ଉପରେ ସେଥିରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ଆଇସିସି ଓଡ଼ିଶା ପରିଷଦର ଅଧ୍ୟକ୍ଷ ଜେ ବି ପାଣି, ବରିଷ୍ଠ ଉପାଧ୍ୟକ୍ଷ ରାଜୀବ ସାହୁ, ଆଞ୍ଚଳିକ ନିର୍ଦ୍ଦେଶକ ଜେ ପି ପାଲ୍ ଓ ୮୦ରୁ ଅଧିକ ମହିଳା ଉଦ୍ୟୋଗୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଏନ୍ଡବ୍ଲୁଇସିକୁ ଉଦ୍ଘାଟନ କରିଥିଲେ। ମହିଳା ଉଦ୍ୟୋଗୀମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ଏହା ଓମେନ୍ସ ବିଜନେସ୍ ମେଳା, ଫେସନ୍ ଓ ଲାଇଫଷ୍ଟାଇଲ୍ ମେଳା ଭଳି ବିଭିନ୍ନ ସଫଳ କାର୍ଯ୍ୟକ୍ରମ ଏବଂ ବହୁ ଶିକ୍ଷଣୀୟ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଛି।
Follow Us