The Economic Times
ନୂଆଦିଲ୍ଲୀ: ଚଳିତ ମାସ ୬-୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ମୁଦ୍ରାନୀତି କମିଟି ବୈଠକରେ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ଥିଲା ଦରଦାମ୍ ସ୍ଥିତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସମେତ କମିଟିର ସବୁ ସଦସ୍ୟ ଏହାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ। ଯଦିଓ ସୁଧ ହାର ଅପରିବର୍ତ୍ତିତ ରଖିବାକୁ କମିଟି ନିଷ୍ପତ୍ତି ନେଇଥିଲା, କିନ୍ତୁ ମୁଦ୍ରାସ୍ଫୀତିକୁ କିଭଳି ନିୟନ୍ତ୍ରଣରେ ରଖାଯିବ ସେଥିପାଇଁ ଦରକାର ପଡ଼ିଲେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ସଙ୍କେତ ଦେଇଥିଲା। ମୁଦ୍ରାନୀତି କମିଟି ବୈଠକରେ ଶକ୍ତିକାନ୍ତ କହିଥିଲେ ଯେ ସାଂପ୍ରତିକ ସ୍ଥିତି ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଉପରେ ପ୍ରାଥମିକତା ଦେବାକୁ ବାଧ୍ୟ କରୁଛି।
ଅର୍ଥନୈତିକ ସ୍ଥିରତାକୁ ବଜାୟ ରଖିବା ଲାଗି ଏହି ପଦକ୍ଷେପ ଗ୍ରହଣ କରିବାକୁ ହେବ। ତେବେ ଅର୍ଥନୈତିକ ଅଭିବୃଦ୍ଧିରେ ଯେଉଁ ସୁଧାର ହେଉଛି ସେଥିପ୍ରତି ମଧ୍ୟ ରିଜର୍ଭ ବ୍ୟାଙ୍କ ଧ୍ୟାନ ଦେବ ବୋଲି ସେ କହିଥିଲେ। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମାଇକେଲ୍ ପାତ୍ର ମଧ୍ୟ ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସମସ୍ତ ସଦସ୍ୟ ମୁଦ୍ରାନୀତିରେ ସ୍ଥିତାବସ୍ଥା ବଜାୟ ରଖିବା ସପକ୍ଷରେ ଭୋଟ୍ ଦେଇଥିଲେ। ଯଦି ଆଗାମୀ ଦିନରେ ଦରଦାମ୍ ଆହୁରି ବଢ଼ିବ ତେବେ ତାହାକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ସୁଧ ହାର ନିଶ୍ଚିତ ଭାବେ ବଢ଼ାଇବ। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭% ପାଖାପାଖି ପହଞ୍ଚିଯାଇଛି ଯାହା ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୬% ସୀମାଠାରୁ ଅଧିକ।
Follow Us