ଦରଦାମ୍ ପାଇଁ ଅଭିବୃଦ୍ଧି କମିବ, ନିଜ ପୂର୍ବାନୁମାନ ବଦଳାଇଲେ ବହୁ ସଂସ୍ଥା

୨୦୨୩ରେ ଶକ୍ତି ମୂଲ୍ୟ ୧୧% କମିବ: ବିଶ୍ବବ୍ୟାଙ୍କ

Vanguard

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ ଭାରତ ଯେଉଁ ହାରରେ ଆଗକୁ ବଢ଼ିବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଥିଲା ତାହାକୁ ପରିବର୍ତ୍ତନ କରିଛି। ଏହା ନିଜ ପୂର୍ବ ଆକଳନକୁ ହ୍ରାସ କରି ଜଣାଇଛି ଯେ ଭାରତର ଅଭିବୃଦ୍ଧି ୭.୫%କୁ ହ୍ରାସ ପାଇବ। ଦରଦାମ୍ ସ୍ଥିତି, ଯୋଗାଣ ଶୃଙ୍ଖଳରେ ବିଭ୍ରାଟ ଓ ଭୌଗୋଳିକ-ରାଜନୈତିକ ଉତ୍ତେଜନା ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ। ଦ୍ବିତୀୟ ଥର ପାଇଁ ବିଶ୍ବବ୍ୟାଙ୍କ ଭାରତର ଅଭିବୃଦ୍ଧି ଆକଳନକୁ ବଦଳାଇଛି। ଏପ୍ରିଲ୍‌ରେ ଏହା ଜଣାଇଥିଲା ଯେ ଭାରତର ଅଭିବୃଦ୍ଧି ୮.୭% ନୁହେଁ ବରଂ ୮% ହେବ। ଏବେ ଏହା କହୁଛି ଯେ ଅଭିବୃଦ୍ଧି ୭.୫%କୁ ହ୍ରାସ ପାଇବ।

ଭାରତରେ ଦରଦାମ୍ ସ୍ଥିତି ଏକ ଅର୍ଥନୀତି ପାଇଁ ବଡ଼ ବିପଦ ଭାବେ ଉଭା ହୋଇଛି। ତେଲ ଠାରୁ ଆରମ୍ଭ କରି ପନିପରିବା ଓ ଖାଇବା ତେଲ ପର୍ଯ୍ୟନ୍ତ ସବୁ କିଛି ମହଙ୍ଗା ହେବାରୁ ପାଇକାରୀ ମୁଦ୍ରାସ୍ଫୀତି ଏପ୍ରିଲ୍‌ରେ ୧୫.୦୮% ଓ ଖୁଚୁରା ମୁଦ୍ରାସ୍ଫୀତି ୭.୭୯%କୁ ବୃଦ୍ଧି ପାଇଛି। ବହୁ ବର୍ଷ ପରେ ଦରଦାମ୍ ଏଭଳି ବେଲଗାମ ହୋଇଛି। ଏହି ସ୍ଥିତିର ମୁକାବିଲା କରିବା ଲାଗି ରିଜର୍ଭ ବ୍ୟାଙ୍କ ସୁଧରେ ୦.୪% ବୃଦ୍ଧି କରିଥିଲା। ଚଳିତ ମାସରେ ଆଉ ଥରେ ସେଥିରେ ବୃଦ୍ଧି କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସଙ୍କେତ ଦେଇସାରିଛନ୍ତି।

କେବଳ ବିଶ୍ବବ୍ୟାଙ୍କ ନୁହେଁ ବିଶ୍ବର ଅନ୍ୟ ପ୍ରମୁଖ ରେଟିଂ ଏଜେନ୍ସିଗୁଡ଼ିକ ମଧ୍ୟ ଭାରତ ପାଇଁ ନିଜ ଅଭିବୃଦ୍ଧି ଆକଳନକୁ ବଦଳାଉଛନ୍ତି। ଗତ ମାସରେ ମୁଡିସ୍‌ କହିଥିଲା ଯେ ଭାରତର ଅଭିବୃଦ୍ଧି ୯.୧% ନୁହେଁ ବରଂ ୮.୮% ରହିବ। ମୁଦ୍ରାସ୍ଫୀତି ପ୍ରଭାବ ପାଇଁ ଅଭିବୃଦ୍ଧି କମିବ ବୋଲି ମୁଡିସ୍‌ କହିଥିଲା। ଏସ୍‌ଆଣ୍ଡପି ଗ୍ଲୋବାଲ୍‌ ରେଟିଂସ୍‌ ମଧ୍ୟ ଏହାର ଆକଳନକୁ ୭.୮%ରୁ ୭.୩%କୁ ହ୍ରାସ କରିଛି। ଫିଚ୍‌ ମଧ୍ୟ ନିଜ ଆକଳନକୁ ୧୦.୩%ରୁ ୮.୫%କୁ ଓ ଆଇଏମ୍ଏଫ୍‌ ୯%ରୁ ୮.୨%କୁ ହ୍ରାସ କରିଛି। ଏସିଆନ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ (ଏଡିବି) ଜଣାଇଛି ଯେ ଭାରତର ଅଭିବୃଦ୍ଧି ୭.୫% ରହିବ। ରିଜର୍ଭ ବ୍ୟାଙ୍କ ମଧ୍ୟ ଅଭିବୃଦ୍ଧି ଆକଳନକୁ ହ୍ରାସ କରି ଜଣାଇଥିଲା ଯେ ତାହା ୭.୮% ନୁହେଁ ୭.୨% ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe