The News Now
ନୂଆଦିଲ୍ଲୀ: ଗ୍ରାହକମାନେ ଯେତିକି ଟଙ୍କାରେ ପେଟ୍ରୋଲ୍ କିଣୁଛନ୍ତି ତାହାର ଏକ ତୃତୀୟାଂଶ ରାଶି କେନ୍ଦ୍ର ସରକାରଙ୍କ ରାଜକୋଷକୁ ଯାଉଛି। ଯେକୌଣସି ସାମଗ୍ରୀ ଉପରେ ୩୩%ରୁ ଅଧିକ ଟିକସ ହେଉଛି ବଟି ଆଦାୟ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦମ୍ବରମ୍ କହିଛନ୍ତି। ପେଟ୍ରୋଲ୍ ଦାମ୍ର ହିସାବ ଦେଇ ସେ କହିଛନ୍ତିରେ ୧୦୨ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ୧ ଲିଟର ପେଟ୍ରୋଲ୍ରୁ ତୈଳ କଂପାନିଙ୍କ ଖାତାକୁ ୪୨ ଟଙ୍କା ଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ପାଖକୁ ୩୩ ଟଙ୍କା, ରାଜ୍ୟ ପାଖକୁ ୨୪ ଟଙ୍କା ଓ ଡିଲର୍ କମିସନ ଭାବେ ପେଟ୍ରୋଲ ପମ୍ପ୍ ଖାତାକୁ ୪ ଟଙ୍କା ଯାଉଛି। କେନ୍ଦ୍ର ସରକାରଙ୍କ ଖାତାକୁ ପ୍ରାୟ ୩୩% ରାଶି ଟିକସ ଆକାରରେ ଯାଉଛି। ମୋ ମତରେ ଏହା ବଟି ଆଦାୟ ବୋଲି ଚିଦମ୍ବରମ୍ କହିଛନ୍ତି। ମୋଦୀ ସରକାରଙ୍କୁ ସେ ସବୁଠୁ ଲୋଭୀ ସରକାର ବୋଲି କହିଛନ୍ତି।
ଚିଦମ୍ବରମ୍ କହିଛନ୍ତି ଯେ ଗୋଟିଏ ଉତ୍ସରୁ ଟିକସ ସଂଗ୍ରହ କରିବା ଉପରେ ସରକାର ନିର୍ଭରଶୀଳ ରହିବା ଅନୁଚିତ। ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ସଂଗ୍ରହ କରାଯାଉଥିବା ଟିକସରେ ଅସଙ୍ଗତି ରହିଛି। ଉଭୟ ଧନୀ ଓ ଗରିବଙ୍କୁ ସମାନ ଟିକସ ଗଣିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ଦେଶର ତିନି ସରକାରୀ ତେଲ କଂପାନି ଇଣ୍ଡିଆନ ଅଏଲ୍, ବିପିସିଏଲ୍ ଓ ଏଚ୍ପିସିଏଲ୍ ପ୍ରତିଦିନ ତୈଳ ଦର ନିର୍ଧାରଣ କରୁଛନ୍ତି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ଏବଂ ଟଙ୍କା ଓ ଡଲାରର ବିନିମୟ ମୂଲ୍ୟକୁ ସେମାନେ ବିଚାରକୁ ନେଉଛନ୍ତି। ଏବେ ଅଶୋଧିତ ତୈଳ ଦର ୮୫ ଡଲାରରୁ ଅଧିକ ସ୍ତରରେ ଥିବା ବେଳେ ଡଲାର ଦାମ୍ ୭୪-୭୫ ଟଙ୍କା ମଧ୍ୟରେ ରହିଛି।
Follow Us