ଦେଶରେ ବିକ୍ରି ହେଉଥିବା ୮୦% ଔଷଧ ଦାମ୍ ଶୀଘ୍ର କମିବ

Advertisment
ଦେଶରେ ବିକ୍ରି ହେଉଥିବା ୮୦% ଔଷଧ ଦାମ୍ ଶୀଘ୍ର କମିବ

ନୂଆଦିଲ୍ଲୀ : ଦେଶରେ ବିକ୍ରି ହେଉଥିବା ୮୦ ପ୍ରତିଶତ ଔଷଧର ଦାମ୍ ଖୁବ୍‌ଶୀଘ୍ର ହ୍ରାସ ପାଇବାକୁ ଯାଉଛି। ଔଷଧ ଉପରେ ଟ୍ରେଡ୍‌ ମାର୍ଜିନ୍‌କୁ ୩୦% ଭିତରେ ସୀମିତ ରଖିବା ଲାଗି ଔଷଧ କଂପାନିଗୁଡ଼ିକ ରାଜି ହୋଇଛନ୍ତି। ‌ଅନେକ ଔଷଧର ଦାମ୍‌କୁ ସରକାର ନିଜ ନିୟନ୍ତ୍ରଣରେ ରଖିଥିବା ବେଳେ ତାହାର ଦାମ୍ କେତେ ତାହା ନିର୍ଧାରଣ କରୁଛନ୍ତି। ଏହି ତାଲିକା ବାହାରେ ଯେଉଁ ଔଷଧଗୁଡ଼ିକ ବିକ୍ରି ହେଉଛି ତାହା ଉପରେ କଂପାନିଗୁଡ଼ିକ ଲାଗୁ କରୁଥିବା ମାର୍ଜିନ୍‌କୁ ଏକ ନିର୍ଦିଷ୍ଟ ସୀମା ଭିତରେ ରଖାଯାଉ ବୋଲି ସରକାର ପ୍ରସ୍ତାବ ଦେଇଥିଲେ। ସେହି ପ୍ରସ୍ତାବ ଉପରେ ଔଷଧ କାରବାର ସହ ଜଡ଼ିତ ଥିବା ଅଂଶୀଦାରଙ୍କ ମଧ୍ୟରେ ଦୀର୍ଘ ଦିନରୁ ଆଲୋଚନା ଜାରି ରହିଥିଲା। ତେବେ ଗତ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଥିବା ବୈଠକରେ ଔଷଧ କଂପାନି, ଔଷଧ କ୍ଷେତ୍ରର ନିୟାମକ ସଂସ୍ଥା, ଲବି ଗ୍ରୁପ୍ ଏବଂ ଶିଳ୍ପ ସଂଘଗୁଡ଼ିକ ଭିତରେ ମାର୍ଜିନ୍‌କୁ ୩୦% ଭିତରେ ରଖିବା ଲାଗି ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି।

ଏହି ନିଷ୍ପତ୍ତି ଯୋଗୁଁ ସନ୍ ଫାର୍ମା, ସିପ୍‌ଲା ଓ ଲୁପିନ୍ ଭଳି ଔଷଧ କଂପାନି ପ୍ରଭାବିତ ହେବେ। ସେମାନଙ୍କୁ ବିଭିନ୍ନ ଔଷଧର ଏମ୍‌ଆର୍‌ପି କମାଇବାକୁ ପଡ଼ିବ।

ଏହି ନିଷ୍ପତ୍ତି ସଂପର୍କରେ ଭାରତୀୟ ଔଷଧ ନିର୍ମାତା ସଂଘ (ଆଇଡିଏମ୍‌ଏ)ର ସଭାପତି ଦୀପନାଥ ରାୟ ଚୌଧୁରୀ କହିଛନ୍ତି, ଟ୍ରେଡ୍ ମାର୍ଜିନ୍‌ ଉପରେ ଯେଉଁ ନିଷ୍ପତ୍ତି ହୋଇଛି ତାହାକୁ ନେଇ ଆ‌ମର କୌଣସି ଆପତ୍ତି ନାହିଁ। ତେବେ ବିଭିନ୍ନ ଔଷଧ ଲାଗି ତାହା ପର୍ଯ୍ୟାୟକ୍ରମେ ଲାଗୁ କରାଗଲେ ଭଲ ହେବ ବୋଲି ସେ କହିଛନ୍ତି।ଔଷଧ ଶିଳ୍ପର ମତ ଅନୁଯାୟୀ, ଟ୍ରେଡ୍‌ ମାର୍ଜିନ୍ ଧାର୍ଯ୍ୟ କରାଯାଇଥିବା ଔଷଧ ଉପରେ ଷ୍ଟକିଷ୍ଟ୍‌ମାନଙ୍କୁ ୧୦% ଓ ରିଟେଲର୍‌ମାନଙ୍କୁ ୨୦% ମାର୍ଜିନ୍ ମିଳିଥାଏ। ଜାତୀୟ ଔଷଧ ମୂଲ୍ୟ ନିର୍ଧାରଣ କର୍ତ୍ତୃପକ୍ଷ ଏହି ମାର୍ଜିନ୍‌କୁ ଆଧାର କରି ବିଭିନ୍ନ ଔଷଧର ମୂଲ୍ୟ ନିର୍ଧାରଣ କରିଥାନ୍ତି। ମାର୍ଜିନ୍‌କୁ ଏକ ନିର୍ଦିଷ୍ଟ ସୀମା ଭିତରକୁ ଆଣିବା ପରେ କ୍ୟାନସର୍‌ ଔଷଧଗୁଡ଼ିକର ଦାମ୍ ୮୫% ହ୍ରାସ ପାଇଥିବା ଜଣାପଡ଼ିଛି। ଟ୍ରେଡ୍‌ ମାର୍ଜିନ୍‌କୁ ଧାର୍ଯ୍ୟ କରାଯିବା ପରେ ଭିଟାମିନ୍ ଡି ସପ୍ଲିମେଣ୍ଟ୍‌ ଠାରୁ ଆରମ୍ଭ କରି ଆଣ୍ଟିବାୟୋଟିକ୍ ପର୍ଯ୍ୟନ୍ତ ବିଭିନ୍ନ ଔଷଧର ଦାମ୍ ପ୍ରଭାବିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe