ୟୁରୋପ, ଆଫ୍ରିକା, ଏସିଆରେ ଦରଦାମ୍ ବଢ଼ିବ: ଖାଦ୍ୟଶସ୍ୟର ଘୋର ଅଭାବ ଦେଖାଦେବ

Advertisment

ବିଶ୍ବ ଅର୍ଥନୀତି ଦୋହଲିଯିବ: ଆଇଏମ୍ଏଫ୍‌

ବିଶ୍ବ ଅର୍ଥନୀତି ଦୋହଲିଯିବ: ଆଇଏମ୍ଏଫ୍‌

ୟୁରୋପ, ଆଫ୍ରିକା, ଏସିଆରେ ଦରଦାମ୍ ବଢ଼ିବ: ଖାଦ୍ୟଶସ୍ୟର ଘୋର ଅଭାବ ଦେଖାଦେବ

English Newstracklive

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ଖାଦଶସ୍ୟ ଯୋଗାଣ ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି କରିଛି। ୟୁକ୍ରେନ୍‌ରୁ ବିଭିନ୍ନ ପ୍ରକାର ଶସ୍ୟ ମଗାଉଥିବା ୟୁରୋପ, ଆଫ୍ରିକା ଓ ଏସିଆ ମହାଦେଶର ବହୁ ଦେଶ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। କୃଷ୍ଣ ସାଗର ଅଞ୍ଚଳକୁ ବିଶ୍ବର ଭାତହାଣ୍ଡି ଭାବେ ବିବେଚନା କରାଯାଏ। ସେଠାରେ ଚାଲିଥିବା ଯୁଦ୍ଧ ଲୋକମାନଙ୍କ ରୋଷେଇ ଘର ଉପରେ ସିଧାସଳଖ ପ୍ରଭାବ ପକାଇବା ଆରମ୍ଭ କରିଛି। ୟୁକ୍ରେନ୍‌ର ଚାଷୀମାନେ ଭୟରେ ଘର ଛାଡ଼ି ଅନ୍ୟତ୍ର ପଳାୟନ କରୁଛନ୍ତି। ସେମ‌ାନେ ଫସଲ ପ୍ରତି ଧ୍ୟାନ ଦେଇପାରୁନାହାନ୍ତି। ବନ୍ଦରଗୁଡ଼ିକ ବନ୍ଦ ଥିବାରୁ ଗହମ ଓ ଅନ୍ୟାନ୍ୟ ଶସ୍ୟ ବାହାରକୁ ପଠାଇ ହେଉନାହିଁ। ବିଶ୍ବର ବହୁ ଦେଶ ସେହି ସାମଗ୍ରୀ ମଗାଇ ପାଉଁରୁଟି, ନୁଡୁଲ୍‌ସ ଓ ପଶୁ ଖାଦ୍ୟ ତିଆରି କରୁଥିଲେ। ଅନ୍ୟପକ୍ଷରେ ବିଶ୍ବର ଅନ୍ୟତମ ଶସ୍ୟ ରପ୍ତାନିକାରୀ ରୁଷ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲଗାଇଥିବାରୁ ସେଠାରୁ ମଧ୍ୟ ଶସ୍ୟ ବାହାରକୁ ଯାଇପାରୁନାହିଁ। ଇତି ମଧ୍ୟରେ ଗହମ୍‌ ଦାମ୍ ୫୫% ବଢ଼ିସାରିଲାଣି। ଯଦି ଯୁଦ୍ଧ ଆହୁରି ଲମ୍ବା ହେବ ତେବେ ଆସନ୍ତା ଜୁଲାଇ ବେଳକୁ ଗହମର ଘୋର ଅଭାବ ଦେଖାଦେବ ବୋଲି ଆନ୍ତର୍ଜାତିକ ଶସ୍ୟ ପରିଷଦ ପକ୍ଷରୁ ଆକଳନ କରାଯାଉଛି। ଏହା ଖାଦ୍ୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବ ଏବଂ ବହୁ ଲୋକ କ୍ଷୁଧା କବଳରେ ପଡ଼ିବେ। ଇଜିପ୍ଟ ଓ ଲେବାନନ ଭଳି ସ୍ଥିତି ସୃଷ୍ଟି ହେବ। ରୁଷ ଓ ୟୁକ୍ରେନ ମିଳିତ ଭାବେ ବିଶ୍ବର ଏକ ତୃତୀୟାଂଶ ଗହମ ଓ ବାର୍ଲି ଆବଶ୍ୟକତା ପୂରଣ କରୁଥିଲେ। ୟୁକ୍ରେନ ମକା, ସନଫ୍ଲାୱାର ଅଏଲ୍ ମଧ୍ୟ ପଠାଉଥିଲା। ଗହମ ଅଭାବ ଦେଖାଦେଲେ ୟୁକ୍ରେନ୍‌ରୁ ୨,୪୦୦ କିମି ଦୂରରେ ରହୁଥିବା ଇଜିପ୍ଟବାସୀ କ୍ଷତିଗ୍ରସ୍ତ ହେବେ। ୟୁକ୍ରେନ ଗହମରୁ ପ୍ରସ୍ତୁତ ପାଉଁରୁଟିକୁ ସରକାର ରିହାତି ଦରରେ ଲୋକମାନଙ୍କୁ ଯୋଗାଇ ଦେଉଥିବାରୁ ଇଜିପ୍ଟ ଲୋକମାନେ ଖାଇବାକୁ ପାଉଛନ୍ତି। କେବଳ ଇଜିପ୍ଟ ନୁହେଁ ଲେବାନନ, ସିରିଆ, କେନିଆ, ନାଇଜେରି୍ରଆ, ଇଣ୍ଡୋନେସିଆ, ଇରାକ, ତୁର୍କୀ ଓ ସ୍ପେନ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି।

ବିଶ୍ବ ଅର୍ଥନୀତି ଦୋହଲିଯିବ: ଆଇଏମ୍ଏଫ୍‌
ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷ୍‌ ଆକ୍ରମଣ ଯୋଗୁଁ ଗରିବ ଲୋକମାନେ ସର୍ବାଧିକ ପ୍ରଭାବିତ ହେବେ ବୋଲି ବିଶ୍ବବ୍ୟାଙ୍କ କହିଥିବା ବେଳେ ଅନ୍ୟତମ ବିଶ୍ବସ୍ତରୀୟ ସଂସ୍ଥା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମଧ୍ୟ ଏହି ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କରିଛି। ଆଇଏମ୍ଏଫ୍‌ ପକ୍ଷରୁ କୁହାଯାଇଛି ଯେ ଯୁଦ୍ଧ ଓ ରୁଷ ଉପରେ ଲଗାଯାଇଥିବା ଆର୍ଥିକ କଟକଣା ଯୋଗୁଁ ବିଶ୍ବ ଅର୍ଥନୀତି ଦୋହଲିଯିବ। ନିକଟ ଅତୀତରେ ଖାଦ୍ୟ ଓ ଇନ୍ଧନ ମହଙ୍ଗା ହୋଇଛି। ଏହାର ପ୍ରଭାବ ଗରିବ ପରିବାରରେ ଅଧିକ ଅନୁଭୂତ ହେଉଛି। ଯଦି ଯୁଦ୍ଧ ଲମ୍ବା ସମୟ ଚାଲିବ ତେବେ ବିଶ୍ବ ଅର୍ଥନୀତି ଅଧିକ କ୍ଷତିଗ୍ରସ୍ତ ହେବ। ଆର୍ଥିକ ବଜାର ଉପରେ ମଧ୍ୟ ତାହାର ଚାପ ପଡ଼ିବ। ଜୀବନ ବଞ୍ଚିବା ଲାଗି ପୂର୍ବରୁ ଯେତିକି ଅର୍ଥ ଦରକାର ହେଉଥି‌ଲା ସେହି ଅର୍ଥରେ ଆଉ ସବୁ କାମ ହୋଇପାରିବନି। ଦରବୃଦ୍ଧି କବଳରୁ ଗରିବ ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ସରକାରମାନଙ୍କୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ହେବ। ସେମାନଙ୍କୁ ସାହାଯ୍ୟ କରିବାକୁ ହେବ। ଆନ୍ତର୍ଜାତିକ ବଜାରରେ ହେଉଥିବା ଦରବୃଦ୍ଧିର ଯଥାସମ୍ଭବ କମ୍ ପ୍ରଭାବ କିଭଳି ଦେଶ ଭିତରେ ପଡ଼ିବ ସେଥିପାଇଁ ସରକାରମାନଙ୍କୁ ଯତ୍ନବାନ ହେବାକୁ ପଡ଼ିବ ବୋଲି ଆଇଏମ୍ଏଫ୍ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe