ବିଦ୍ୟୁତ୍ କମ୍ପାନିଙ୍କ ଅଢ଼େଇ ଲକ୍ଷ କୋଟି ବାକି: ବକେୟା ପଇଠ ପାଇଁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

୭୫ ହଜାର କୋଟିର ସବ୍‌ସିଡି ବି ମିଳିନି, ୮ ବର୍ଷରେ ୧ ଲକ୍ଷ ୭୦ ହଜାର ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ସୃଷ୍ଟି

ବିଦ୍ୟୁତ୍ କମ୍ପାନିଙ୍କ ଅଢ଼େଇ ଲକ୍ଷ କୋଟି ବାକି: ବକେୟା ପଇଠ ପାଇଁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

Image Courtesy of India Today

ନୂଆଦିଲ୍ଲୀ: ରାଜ୍ୟ ସରକାର ଗୁଡ଼ିକ ଉପରେ ବିଦ୍ୟୁତ୍ କମ୍ପାନି ଗୁଡ଼ିକର ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କା ବାକି ପଡ଼ିଛି। କମ୍ପାନିଗୁଡ଼ିକର ଏସବୁ ବାକିଆ ଅର୍ଥ ଯଥାଶୀଘ୍ର ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରଗୁଡ଼ିକୁ ଅନୁରୋଧ କରିଛନ୍ତି। ଏଥିସହିତ ବିଦ୍ୟୁତ୍ କମ୍ପାନିଗୁଡ଼ିକୁ ରାଜ୍ୟଗୁଡ଼ିକ ଯେଉଁ ୭୫ ହଜାର କୋଟି ଟଙ୍କା ସବ୍‌ସିଡି ପ୍ରଦାନ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ତାହା ପ୍ରଦାନ କରି ନଥିବାରୁ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି। ବିଦ୍ୟୁତ୍ ଉତ୍ପାଦନ ଠାରୁ ଆରମ୍ଭ କରି ବଣ୍ଟନ କମ୍ପାନି ଗୁଡ଼ିକର ଅର୍ଥରାଶି ବାକି ପଡ଼ିଛି। ଉଜ୍ଜ୍ବଳ ଭାରତ ଉଜ୍ଜ୍ବଳ ଭବିଷ୍ୟ-ପାୱାର @ ୨୦୪୭ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ‌ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ବକେୟା ପଇଠ ପାଇଁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ
୭୫ ହଜାର କୋଟିର ସବ୍‌ସିଡି ବି ମିଳିନି
୮ ବର୍ଷରେ ୧ ଲକ୍ଷ ୭୦ ହଜାର ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ସୃଷ୍ଟି
୨୦୨୫-୨୬ ସୁଦ୍ଧା ବଣ୍ଟନ କମ୍ପାନିଙ୍କୁ ମିଳିବ ୩ ଲକ୍ଷ କୋଟି

ବିଦ୍ୟୁତ କ୍ଷେତ୍ରରେ ରହିଥିବା ଅନେକ ତ୍ରୁଟିକୁ ସଜଡ଼ା ଯିବା ଦ୍ବାରା ଏହି କ୍ଷେତ୍ର ମଜଭୁତ ହୋଇଛି। ଅତୀତରେ ଭାରତରେ ରହିଥିବା ବିଦ୍ୟୁତ୍ ଅଭାବ ସମ୍ପର୍କରେ ମନେ ପକାଇ ଦେବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୮ ବର୍ଷ ମଧ୍ୟରେ ଦେଶରେ ୧,୭୦,୦୦୦ ମେଗାୱାଟର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ସୃଷ୍ଟି ହୋଇଛି। ଦେଶର ବିକାଶ ପାଇଁ ବିଦ୍ୟୁତ୍‌ର ଆବଶ୍ୟକତା ରହିଛି। ଦେଶ ରାଜନୀତି ନୁହେଁ ରାଷ୍ଟ୍ରନୀତି ଆବଶ୍ୟକ କରେ ବୋଲି ସେ ଏହି ପରିପ୍ରେକ୍ଷୀରେ କହିଛନ୍ତି। ବିଦ୍ୟୁତ୍ ବଣ୍ଟନ କମ୍ପାନିଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ ଲାଗି ୨୦୨୫-୨୬ ସୁଦ୍ଧା ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ବିଶ୍ବରେ ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ବର ଶୀର୍ଷ ୪ରୁ ୫ଟି ଦେଶ ମଧ୍ୟରେ ରହିଛି। ଏଥିସହିତ ଭାରତରେ ବିଶ୍ବର ଅନ୍ୟତମ ବୃହତ୍ ସୌର ପ୍ଲାଣ୍ଟ ରହିଛି ବୋଲି ସେ କହିଛନ୍ତି।

ଦେଶ ସ୍ବାଧୀନ ହେବାର ୭୦ ବର୍ଷ ପରେ ବି ୧୮ ହଜାର ଗାଁକୁ ବିଦ୍ୟୁତ୍ ସଂଯୋଗ ନଥିଲା। ପ୍ରଧାନମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍ଥାନ ମହାଭିଯାନ (କୁସୁମ) ସ୍କିମରେ ଫସଲ ଉତ୍ପାଦନକାରୀ ଚାଷୀମାନେ ବିଦ୍ୟୁତ ଉତ୍ପାଦନ କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସନ୍ତା ୨୫ ବର୍ଷ ପାଇଁ ଭାରତର ଭବିଷ୍ୟତ ପାଇଁ ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଛି ସେଥିରେ ବିଦ୍ୟୁତ୍ କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ୭୫୦ ମେଗାୱାଟ ବିଶିଷ୍ଟ ନୋଖ ସୌର ପ୍ରକଳ୍ପର ଶିଳାନ୍ୟାସ ସହିତ ଲେହଠାରେ ଗ୍ରୀନ ହାଇଡ୍ରୋଜେନ ମୋବିଲିଟି ପ୍ରକଳ୍ପ ଏବଂ ଗୁଜରାଟରେ ପ୍ରାକୃତିକ ଗ୍ୟାସ ମିଶ୍ରଣରେ କାୱାସ ଗ୍ରୀନ ହାଇଡ୍ରୋଜେନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଲେହସ୍ଥିତ କାରଖାନାରେ ଗାଡ଼ି ପାଇଁ ଗ୍ରୀନ ହାଉଡ୍ରୋଜେନ ଉତ୍ପାଦନ ହେବ। ଏଥିସହିତ ପ୍ରଧାନମନ୍ତ୍ରୀ ପରିବର୍ତ୍ତିତ ବଣ୍ଟନ କ୍ଷେତ୍ର ସ୍କିମ ଏବଂ ନ୍ୟାସନାଲ ସୋଲାର ରୁଫ୍‌ଟପ୍‌ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe