ପ୍ରକ୍ରିୟା ଆରମ୍ଭ: ନିଲାମ ହେବ ଓଡ଼ିଶାର ୧୭ କୋଇଲା ଖଣି

ପ୍ରକ୍ରିୟା ଆରମ୍ଭ: ନିଲାମ ହେବ ଓଡ଼ିଶାର ୧୭ କୋଇଲା ଖଣି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଦେଶର ୬୭ଟି କୋଇଲା ବ୍ଲକ୍‌ର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ ୧୯୫୭ ଅଧୀନ ୧୦ମ ପର୍ଯ୍ୟାୟ ନିଲାମରେ ଏହା କରାଯାଉଛି। ହାଇଦ୍ରାବାଦଠାରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷାନ ରେଡ୍ଡୀ କୋଇଲା ନିଲାମକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଦେଶରେ କୋଇଲା ଉତ୍ପାଦନ ବୃଦ୍ଧି କରିବା ସହ ଶକ୍ତି ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ଏହା ସହାୟକ ହେବ। ଦେଶରେ କୋଇଲା ଉତ୍ପାଦନ ବୃଦ୍ଧି କରିବା ସହିତ ଆମଦାନି ହ୍ରାସ ସପକ୍ଷରେ ମନ୍ତ୍ରୀ ଶ୍ରୀ ରେଡ୍ଡୀ ମତ ରଖିଛନ୍ତି।

ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିବା କୋଇଲା ବ୍ଲକ ଗୁଡ଼ିକ ଦେଶର ୮ଟି ରାଜ୍ୟରେ ରହିଛି। ସେହି ରାଜ୍ୟଗୁଡ଼ିକ ହେଲା ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା ଏବଂ ମହାରାଷ୍ଟ୍ର। ସୂଚନା ଅନୁଯାୟୀ, ଓଡ଼ିଶାରୁ ୧୭ଟି କୋଇଲା ବ୍ଲକ୍ ନିଲାମ ପାଇଁ ରହିଛି। ସେଗୁଡ଼ିକ ହେଲା ନୂଆ ପାତ୍ରପଡ଼ା ଉତ୍ତର, ନୂଆ ପାତ୍ରପଡ଼ା ଦକ୍ଷିଣ, ମହାନଦୀ(ସଂଶୋଧିତ) ମନ୍ଦାକିନୀ(ବି), ଅରଖପାଳ ଶ୍ରୀରାମପୁର ଉତ୍ତର(ସଂଶୋଧିତ), ଟାଙ୍ଗରଡିହି ଉତ୍ତର, ଟାଙ୍ଗରଡିହି ଦକ୍ଷିଣ, ଉତ୍ସାଳି କେନ୍ଦ୍ରୀୟ, ଉତ୍ସାଳି ଉତ୍ତର, ଉତ୍ସାଳି ଦକ୍ଷିଣ, ବାଦିବାହାଲ, କଣ୍ଟେଇକୋଲିଆ, କରଡ଼ାବାହାଲ-ବ୍ରାହ୍ମଣବିଲ୍‌ (ସଂଶୋଧିତ), କୋଶଳ ପୂର୍ବ, କୋଶଳ ପଶ୍ଚିମ(ପଶ୍ଚିମାଂଶ) ସଂଶୋଧିତ, ଫୁଲଝରୀ ପୂର୍ବ ଏବଂ ପଶ୍ଚିମ (ସଂଶୋଧିତ), ବରତପ(ସଂଶୋଧିତ)। ଦେଶରେ ପୂର୍ବରୁ ହୋଇଥିବା ୯ଟି ପର୍ଯ୍ୟାୟ କୋଇଲା ନିଲାମରେ ୧୦୭ଟି କୋଇଲା ଖଣିର ନିଲାମ ସଫଳତାର ସହ ସଂପାଦିତ ହୋଇଛି। ୨୦୨୦ ମସିହାରେ କୋଇଲା ଖଣିର ବାଣିଜ୍ୟିକ ନିଲାମ ଆରମ୍ଭ ହେବା ପରଠାରୁ ଏଥିରେ ସ୍ବଚ୍ଛତା ଆସିଛି। ଶିଳ୍ପଜଗତ ଏବଂ ଅନ୍ୟାନ୍ୟ ସଂଗଠନ ମଧ୍ୟରେ ଏହାର ଆଦୃତି ବଢ଼ିଛି। ଏଥିସହିତ କୋଇଲାର ବାଷ୍ପୀକରଣ ପାଇଁ ମଧ୍ୟ କୋଇଲା ମନ୍ତ୍ରାଳୟ ଅନେକ ପଦକ୍ଷେପ ଗ୍ରହଣ କରୁଛି।

୨୦୨୪ରେ ୯୯୭.୨୩ ନିୟୁତ ଟନ୍‌ କୋଇଲା ଉତ୍ପାଦନ ହାସଲ ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦେଶରେ ୧ ବିଲିଅନ ଟନ କୋଇଲା ଆମଦାନି ଲକ୍ଷ୍ୟ ରଖାଯାଇଛି। ଏଥିରୁ ୧୯୦.୩୮ ନିୟୁତ ଟନ୍ କୋଇଲା ଉତ୍ପାଦନ ହୋଇସାରିଛି। ସଂସ୍କାର ସମ୍ବଳିତ କୋଇଲ କ୍ଷେତ୍ରର ଆତ୍ମ ନିର୍ଭର ଭାରତ ହାସଲ କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇବ ବୋଲି ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe