ଇପିଏଫ୍‌ ପାଣ୍ଠି ଉଠାଣ କଟକଣାକୁ ବିରୋଧ: ସମାଲୋଚନା ପରେ ସରକାର ଦେଲେ ସ୍ପଷ୍ଟୀକରଣ

ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଖାତାରୁ ଟଙ୍କା ଉଠାଣ ନେଇ ଜାରି କରାଯାଇଥିବା କଠୋର କଟକଣାକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଉଛି। ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବାରୁ ସରକାର ବାଧ୍ୟ ହୋଇ ସ୍ପଷ୍ଟୀକରଣ ଜାରି କରିଛନ୍ତି।

epfo

ନୂଆଦିଲ୍ଲୀ: ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଖାତାରୁ ଟଙ୍କା ଉଠାଣ ନେଇ ଜାରି କରାଯାଇଥିବା କଠୋର କଟକଣାକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଉଛି। ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବାରୁ ସରକାର ବାଧ୍ୟ ହୋଇ ସ୍ପଷ୍ଟୀକରଣ ଜାରି କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଚାକିରି ଚାଲିଯିବା ମାତ୍ରେ ସଦସ୍ୟମାନେ ନିଜ ଖାତାରେ ଥିବା ୭୫ ପ୍ରତିଶତ ରାଶିକୁ ତତ୍କାଳ ଉଠାଇପାରିବେ। ଯଦି ସେ ଏକ ବର୍ଷ ପର୍ଯ୍ୟନ୍ତ ବେରୋଜଗାର ରହିବେ, ତେବେ ସବୁ ପାଣ୍ଠିକୁ ଉଠାଇପାରିବେ।

ନିକଟରେ ଅନୁଷ୍ଠିତ ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ବେରୋଜଗାର ସମସ୍ୟମାନଙ୍କ ପାଇଁ ଆଗୁଆ ‘ଚୂଡ଼ାନ୍ତ ଫଇସଲା ରାଶି’ ପାଇବାର ସର୍ବନିମ୍ନ ସମୟ ସୀମାକୁ ୨ ମାସରୁ ବଢ଼ାଇ ୧୨ ମାସ କରିଦିଆଯାଇଥିଲା। ସେହିପରି, ପେନ୍‌ସନ୍‌ ବାବଦରେ ‘ଚୂଡ଼ାନ୍ତ ଫଇସଲା ରାଶି’ ଉଠାଣ ସମୟ ସୀମାକୁ ୩୬ ମାସ କରିଦିଆଯାଇଛି। ସେହି ଦୁଇ କଠୋର ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏହି ନିଷ୍ପତ୍ତି ପଛର କାରଣ ସମ୍ପର୍କରେ ଆଲୋଚନା କରି ଇପିଏଫ୍‌ଓର ଜଣେ ଅଧିକାରୀ କହିଛନ୍ତି ଯେ ୫୦ ପ୍ରତିଶତ ଇପିଏଫ୍‌ ସଦସ୍ୟଙ୍କ ଖାତାରେ ଚୂଡ଼ାନ୍ତ ଫଇସଲା ବେଳକୁ ୨୦ ହଜାର ଟଙ୍କାରୁ କମ, ୭୫ ପ୍ରତିଶତଙ୍କ ଖାତାରେ ୫୦,୦୦୦ ଟଙ୍କାରୁ କମ୍‌ ଓ ୮୭ ପ୍ରତିଶତଙ୍କ ଖାତାରେ ୧ ଲକ୍ଷ ଟଙ୍କାରୁ କମ୍ ରାଶି ରହୁଛି। ଅଧିକାଂଶ ସଦସ୍ୟ ଚାରି ବର୍ଷ ମଧ୍ୟରେ ପେନ୍‌ସନ୍‌ ରାଶିର ୭୫ ପ୍ରତିଶତ ଉଠାଇ ଦେଉଛନ୍ତି। ଅନେକ ସମୟରେ ଯେଉଁମାନେ ଗୋଟିଏ ଚାକିରି ଛାଡ଼ିବା ପରେ ଖାତାରୁ ସବୁ ଟଙ୍କା ଉଠାଇ ନେଉଛନ୍ତି, ସେମାନେ କିଛି ମାସ ପରେ ପୁଣି ଥରେ ଅନ୍ୟ ଏକ ଚାକିରିରେ ଯୋଗଦେଉଛନ୍ତି। ସେଥିପାଇଁ ଚାକିରି ଶେଷ ହେବା ବେଳକୁ ସେମାନଙ୍କ ଖାତାରେ କମ୍ ଟଙ୍କା ରହୁଛି ଓ ସେମା‌ନେ ପେନ୍‌ସନ୍ ପାଇବାକୁ ମଧ୍ୟ ଯୋଗ୍ୟ ହେଉନାହାନ୍ତି। ଏବେ ସର୍ବନିମ୍ନ ୨୫ ପ୍ରତିଶତ ରାଶିକୁ ସର୍ବନିମ୍ନ ବାଲାନ୍ସ ଭାବେ ରଖାଯିବା ନେଇ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ କୁହାଯାଇଛି ଯେ ପୂର୍ବରୁ ୧୩ ପ୍ରକାର ଉଠାଣ ବ୍ୟବସ୍ଥା ରହିଥିଲା, ଯେଉଁଥିରେ ପାଣ୍ଠିକୁ ଲକ୍‌ ରଖାଯିବା ସହ ଜଟିଳ କାଗଜପତ୍ର କାମ ଦରକାର ହେଉଥିଲା। ନୂଆ ବ୍ୟବସ୍ଥାରେ ଉଠାଣର ସମ୍ପୂର୍ଣ୍ଣ ସରଳୀକରଣ କରି ଗୋଟିଏ ବ୍ୟବସ୍ଥା ଲାଗୁ କରାଯାଇଛି। ୭୫ ପ୍ରତିଶତ ପର୍ଯ୍ୟନ୍ତ ରାଶି ପାଇଁ କୌଣସି କାଗଜପତ୍ର ଦରକାର ହେବନାହିଁ।

ବେତନଭୋଗୀଙ୍କୁ ଦଣ୍ଡ: ବିରୋଧୀ ଦଳ

ନୂଆଦିଲ୍ଲୀ: ଇପିଏଫ୍‌ଓ ନିୟମକୁ ନେଇ ବିରୋଧୀ ଦଳଗୁଡ଼ିକ ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୋଦୀ ସରକାରଙ୍କ ଅର୍ଥନୀତିର କୁପରିଚାଳନା ପାଇଁ ବେତନଭୋଗୀଙ୍କୁ ଦଣ୍ଡ ଦିଆଯାଇଥିବା ସେମାନେ କହିଛନ୍ତି। କଂଗ୍ରେସ ସାଂସଦ ମଣିକମ ଟାଗୋର ଏହି ନିୟମକୁ କ୍ରୁରତା ସହ ତୁଳନା କରିଛନ୍ତି। ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଲୋକମାନଙ୍କ ଜୀବନ ନଷ୍ଟ କରିବା ପୂର୍ବରୁ ତାଙ୍କୁ ମୋଦୀ ଅଟକାନ୍ତୁ ବୋଲି ସେ କହିଛନ୍ତି। ସରକାର ନିଜ ବନ୍ଧୁମାନଙ୍କ କୋଟି କୋଟି ଟଙ୍କା ଛାଡ଼ କରୁଥିବା ବେଳେ ନିଜ କଷ୍ଟୋପାର୍ଜିତ ସଞ୍ଚୟ ରାଶି ପାଇବା ପାଇଁ କର୍ମଚାରୀମାନଙ୍କୁ ବର୍ଷେ ଅପେକ୍ଷା କରାଇବା ସଂସ୍କାର ନୁହେଁ, ବରଂ ଡକାୟତି ବୋଲି ସେ କହିଛନ୍ତି। ଟିଏମ୍‌ସି ସାଂସଦ ସାକେତ୍‌ ଗୋଖଲେ ଏହାକୁ ବେତନଭୋଗୀଙ୍କ ଟଙ୍କାର ଖୋଲାଖୋଲି ଚୋରି ବୋଲି କହିଛନ୍ତି। କଂଗ୍ରେସ ପ୍ରବକ୍ତା ସମା ମହମଦ ଏହି ନି‌ଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe