‘କ୍ୟୁଆର୍‌ କୋଡ୍’ ପେମେଣ୍ଟ୍‌ ସହଜ ହେବ

Advertisment
‘କ୍ୟୁଆର୍‌ କୋଡ୍’ ପେମେଣ୍ଟ୍‌ ସହଜ ହେବ

‘ପ୍ରୋପାଇଟରି କ୍ୟୁଆର୍‌ କୋଡ୍‌’ ଉପରେ ଲାଗିଲା କଟକଣା
ଇଣ୍ଟରଅପରେବଲ୍ କ୍ୟୁଆର୍‌ କୋଡ୍‌ ଗ୍ରହଣ କରିବାକୁ ପଡ଼ିବ

ମୁମ୍ବାଇ : କ୍ୟୁ‌ଆର୍‌ କୋଡ୍ ଜରିଆରେ ପେମେଣ୍ଟ୍‌ ଅତି ସହଜ ହେବ। ଦେଶରେ ଇଣ୍ଟରଅପରେବଲ୍ ବା ଓପନ୍ କ୍ୟୁଆର୍‌ କୋଡ୍‌ ବ୍ୟବସ୍ଥା ପ୍ରଚଳନ ହେବ। ଫଳରେ ଗୋଟିଏ ଆପ୍ ଜରିଆରେ ସବୁ ପ୍ରକାର କ୍ୟୁ‌ଆର୍‌ କୋଡ୍‌କୁ ସ୍କାନ୍ କରି ପେମେଣ୍ଟ୍‌ କରିହେବ। ଏବେ ପେମେଣ୍ଟ୍‌ ସଂସ୍ଥାଗୁଡ଼ିକ ନିଜର କ୍ୟୁଆର୍‌ କୋଡ୍‌ ଜାରି କରୁଛନ୍ତି। ତାହାକୁ ବ୍ୟବହାର କରିବାକୁ ହେ‌ଲେ ଗ୍ରାହକମାନଙ୍କୁ ସେହି ସଂସ୍ଥାର ମୋବାଇଲ୍‌ ଆପ୍ ଡାଉନ୍‌ଲୋଡ୍‌ କରି ଫୋନ୍‌ରେ ଇନଷ୍ଟଲ୍‌ କରିବାକୁ ପଡ଼ୁଛି। ତ‌ାହା ହେଉଛି ‘ପ୍ରୋପାଇଟରି କ୍ୟୁଆର୍‌’ କୋଡ୍‌। ଅର୍ଥାତ ସେହି କୋଡ୍‌କୁ କେବଳ ସେହି ସଂସ୍ଥାର ଆପ୍ ଜରିଆରେ ସ୍କାନ୍ କରି ପେମେଣ୍ଟ୍‌ କରିହେବ। ପ୍ରୋପାଇଟରି କ୍ୟୁ‌ଆର୍‌ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି କଟକଣା ଜାରି କରିଛନ୍ତି। କୌଣସି ପେମେଣ୍ଟ୍‌ ସଂସ୍ଥା ଆଉ ନୂଆ ପ୍ରୋପାଇଟରି କ୍ୟୁ‌ଆର୍‌ କୋଡ୍‌ ଜାରି କରିପାରିବେ ନାହିଁ। ସେମାନଙ୍କୁ ଅତିକମ୍‌ରେ ଗୋଟିଏ ଇଣ୍ଟରଅପରେବଲ୍ କ୍ୟୁଆର୍‌ କୋଡ୍‌ ଗ୍ରହଣ କରିବାକୁ ପଡ଼ିବ। ଏହି କୋଡ୍‌କୁ ଯେକୌଣସି ଆପ୍ ଜରିଆରେ ସ୍କାନ୍ କରି‌ ପେମେଣ୍ଟ୍‌ କରିହେବ। ଫଳରେ ଗ୍ରାହକମାନଙ୍କୁ ଏକାଧିକ ‌ପେମେଣ୍ଟ୍‌ ଆପ୍‌ ଡାଉନ୍‌ଲୋଡ୍ କରି ଇନଷ୍ଟଲ୍‌ କରିବାକୁ ପଡ଼ିବ ନାହିଁ।

ଏବେ ଦେଶରେ କେବଳ ଦୁଇଟି ଓପନ୍ ବା ଇଣ୍ଟରଅପରେବଲ୍ କ୍ୟୁଆର୍‌ କୋଡ୍ ରହିଛି। ତାହା ହେଉଛି ୟୁପିଆଇ କ୍ୟୁଆର୍‌ ଓ ଭାରତ କ୍ୟୁଆର୍‌। ପ୍ରୋପାଇଟରି କ୍ୟୁଆର୍‌ରେ ସୁରକ୍ଷା ବ୍ୟବସ୍ଥା ଢିଲା ରହିଥିବା ବେଳେ ଇଣ୍ଟରଅପରେବଲ୍ କ୍ୟୁ‌ଆର୍‌ କୋଡ୍‌ ଅତ୍ୟନ୍ତ ସୁରକ୍ଷିତ। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଯେକୌଣସି ଗୋଟିଏ ଇଣ୍ଟରଅପରେବଲ୍ କ୍ୟୁଆର୍‌ କୋଡ୍ ଗ୍ରହଣ କରିବାକୁ ପେମେଣ୍ଟ୍‌ କଂପାନିଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଇଣ୍ଟରଅପରେବଲ୍ କ୍ୟୁ‌ଆର୍‌ କୋଡ୍‌ର ଗ୍ରହଣୀୟତା ବଢ଼ାଇବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଲୋଚନା ଜାରି ରହିବ। ଗ୍ରାହକମାନଙ୍କ ମଧ୍ୟରେ ଏହାକୁ ନେଇ ସଚେତନତା ସୃଷ୍ଟି କରିବାକୁ ପେମେଣ୍ଟ୍‌ ସଂସ୍ଥାଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କ୍ୟୁଆର୍‌ କୋଡ୍‌କୁ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୧୯ ଡି‌ସେମ୍ବରରେ ଡିପି ଫାଟକ କମିଟି ଗଠନ କରାଯାଇଥିଲା। କମିଟି ଏହାର ରିପୋର୍ଟରେ ଯେଉଁ ସୁପାରିସ କରିଛି‌ ସେହି ଆଧାରରେ ଇଣ୍ଟରଅପରେବଲ୍ କ୍ୟୁଆର୍‌ କୋଡ୍‌ ବ୍ୟବସ୍ଥା ଗ୍ରହଣ କରିବାକୁ ପେମେଣ୍ଟ୍‌ ସଂସ୍ଥାଗୁଡ଼ିକୁ କୁହାଯାଇଛି।

ପ୍ରୋପାଇଟରି କ୍ୟୁ‌ଆର୍‌ରେ ରହିଥିବା ଅସୁବିଧାଟି ହେଉଛି ଯଦି ଜଣେ ବ୍ୟକ୍ତି ୧୦ଟି ଷ୍ଟୋର୍‌ରେ ପ୍ରବେଶ କରି କ୍ୟୁଆର୍‌ କୋଡ୍ ସ୍କାନ୍ କରି ପେମେଣ୍ଟ୍‌ କରିବାକୁ ଚାହିବେ ଓ ସବୁ ଷ୍ଟୋର୍‌ରେ ଭିନ୍ନ ଭିନ୍ନ ସଂସ୍ଥାର କ୍ୟୁଆର୍‌ କୋଡ୍‌ ବ୍ୟବସ୍ଥା ଥିବ ତେବେ ତାଙ୍କୁ ସବୁ ସଂସ୍ଥାର ମୋବାଇଲ୍‌ ଆପ୍ ଡାଉନ୍‌ଲୋଡ୍‌ କରି ଆକାଉଣ୍ଟ୍‌ ଖୋଲିବାକୁ ପଡ଼ିବ। ନହେଲେ ସେ ପେମେଣ୍ଟ୍ କରିପାରିବେ ନାହିଁ। ମାତ୍ର ଇଣ୍ଟରଅପରେବଲ୍ କ୍ୟୁଆର୍‌ କୋଡ୍ ବ୍ୟବସ୍ଥା ଥିଲେ ସେ ଯେକୌଣସି ପେମେଣ୍ଟ୍ ଆପ୍ ଜରିଆରେ ତାହା ସ୍କାନ୍ କରି ପେମେଣ୍ଟ୍ କରିପାରିବେ। ତାଙ୍କୁ ଏକାଧିକ ଆପ୍ ଡାଉନ୍‌ଲୋଡ୍ କରିବାକୁ ପଡ଼ିବ ନାହିଁ। ବିଶ୍ବ ସ୍ତ‌ରରେ ଇଣ୍ଟରଅପରେବଲ୍ କ୍ୟୁଆର୍‌ ବେଶ୍ ଲୋକପ୍ରିୟ। ଚୀନ୍ ଭଳି ଦେଶରେ ଏହାର ଗ୍ରହଣୀୟତା ଉଲ୍ଲେଖନୀୟ ସ୍ତରରେ ରହିଛି।

ଉଲ୍ଲେଖଯୋଗ୍ୟ, ୧୯୯୦ରେ ଜାପାନର ଡେନ୍‌ସୋ ‌ୱେଭ୍ ନାମକ ସଂସ୍ଥା କ୍ୟୁ‌ଆର୍‌ କୋଡ୍‌ ବିକଶିତ କରିଥିଲା। ଧୀରେ ଧୀରେ ତାହା ସାରା ବିଶ୍ବରେ ଗ୍ରହଣୀୟ ହୋଇଥିଲା। ଭାରତରେ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ଆରମ୍ଭ ହେବା ପରେ ତିନି ପ୍ରକାର କ୍ୟୁଆର୍‌ କୋଡ୍‌ ବିକଶିତ ହୋଇଛି। ତାହା ହେଉଛି ଭାରତ କ୍ୟୁଆର୍‌, ୟୁପିଆଇ କ୍ୟୁଆର୍‌ ଓ ପ୍ରୋପାଇଟରି କ୍ୟୁଆର୍‌। ପ୍ରଥମ ଦୁଇଟି ହେଉଛି ଇଣ୍ଟରଅପରେବଲ୍ କ୍ୟୁଆର୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe