oneindia.com
ନୂଆଦିଲ୍ଲୀ: କରୋନା ମହାମାରୀ ପରିପ୍ରେକ୍ଷୀରେ ଅର୍ଥନୀତିରେ ଦେଖାଦେଇଥିବା ସଂକଟର ସମାଧାନ ବ୍ୟୟ ସଂକୋଚନ ବା ଖର୍ଚ୍ଚକାଟ ମାଧ୍ୟମରେ ସମ୍ଭବ ନୁହେଁ। ବରଂ ପରିବାର ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଅଧିକରୁ ଅଧିକ ସହାୟତା ଯୋଗାଇ ଦିଆଗଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍ କହିଛନ୍ତି। ଆର୍ଥିକ ସହାୟତା ପ୍ରଦାନ କରା ନଗଲେ ଅର୍ଥନୀତିରେ ସୁଧାର ଆସିବା ମନ୍ଥର ହୋଇଯିବ। ଏବେ ଲୋକମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟରେ ଅଛନ୍ତି। ଏପରି ସ୍ଥିତିରେ ଲୋକମାନେ ସେମାନଙ୍କ ନିକଟରେ ରଖିଥିବା ଅର୍ଥ ଖର୍ଚ୍ଚ କରିବା ପରିବର୍ତ୍ତେ ସଂଚୟ କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ତେଣୁ ପରିବାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ସହାୟତା ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ରାଜନ୍ କହିଛନ୍ତି। ସରକାର ଯଦି ରିଲିଫ୍ ବା ସହାୟତା ପ୍ରଦାନ ନକରନ୍ତି ତାହେଲେ ଅର୍ଥନୀତି ଦୁର୍ବଳ ହେବ।
କରୋନା ସ୍ଥିତିରେ ସୁଧାର ଆସିବା ପରେ ଅର୍ଥନୀତି ପୂର୍ବ ସ୍ତରକୁ ଫେରିପାରିବ ନାହିଁ ବୋଲି ରାଜନ ସତର୍କ କରାଇ ଦେଇଛନ୍ତି। ପ୍ରିନ୍ସଟନସ ବେନ୍ଧେମ୍ ସେଣ୍ଟର ଫର ଫାଇନାନ୍ସ ପକ୍ଷରୁ ଆୟୋଜିତ ଏକ ୱେବିନାରରେ ଉଦବୋଧନ ଦେଇ ରାଜନ୍ ଏହା କହିଛନ୍ତି। ତେବେ ଭାରତରେ କେନ୍ଦ୍ର ଓ ରାଜ୍ୟସରକାରଙ୍କର ମିଳିତ ବିତ୍ତୀୟ ନିଅଣ୍ଟ ଜିଡିପିର ୯ ପ୍ରତିଶତ ପାଖାପାଖି ପହଞ୍ଚି ଯାଇଥିବାରୁ ସହାୟତା ପ୍ରଦାନ କରିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ସହିଭଳି ନୀତି ନିର୍ଦ୍ଧାରକମାନେ କ୍ରେଡିଟ୍ ରେଟିଂକୁ ଗୁରୁତ୍ବ ଦେବା ଅନ୍ୟ ଏକ ସମସ୍ୟା ବୋଲି ରାଜନ୍ କହିଛନ୍ତି।
Follow Us