ନୂଆଦିଲ୍ଲୀ :ବିଶିଷ୍ଟ ଶିଳ୍ପପତି ତଥା ବଜାଜ୍ ଗ୍ରୁପର ସେବାନିବୃତ୍ତ ଅଧ୍ୟକ୍ଷ ରାହୁଲ ବଜାଜ୍ଙ୍କର ରବିବାର ଦିନ ପୁଣେଠାରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସଂପନ୍ନ ହୋଇଛି। ଭାରତୀୟ ଉଦ୍ୟୋଗ, ରାଜନୀତି ସମେତ ସାଧାରଣ କ୍ଷେତ୍ରର ଲୋକମାନେ ଉପସ୍ଥିତ ରହି ତାଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି। ପୁଣେ ସହରର ବୈକୁଣ୍ଠ ଶ୍ମଶାନଭୂମିର ବିଦ୍ୟୁତ ଚୁଲାରେ ତାଙ୍କର ପଞ୍ଚତ୍ବ ପ୍ରାପ୍ତି ହୋଇଛି। ରାହୁଲଙ୍କ ଦୁଇ ପୁଅ ରାଜୀବ ଏବଂ ସଞ୍ଜୀବ ବଜାଜ୍ ରୀତିନୀତି ଅନୁଯାୟୀ ରାହୁଲଙ୍କ ଶେଷକୃତ୍ୟ ସଂପାଦନ କରିଛନ୍ତି।
ପଦ୍ମଭୂଷଣ ରାହୁଲ ବଜାଜ୍ଙ୍କର ଗତକାଲି ପୁଣେଠାରେ ୮୩ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା। ମୃତ୍ୟୁପରେ ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀରକୁ ପୁଣେ ନିକଟ ଆକୁର୍ଡି ବାସଭବନରେ ରଖାଯାଇଥିଲା। ଏନ୍ସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକ୍ରେ ପ୍ରମୁଖ ରାହୁଲଙ୍କ ଶେଷଦର୍ଶନ କରିଥିଲେ। ଗତ ଶତାବ୍ଦୀର ୭୦ ଓ ୮୦ ଦଶକରେ ଭାରତୀୟ ମଧ୍ୟମ ଆୟବର୍ଗର ଲୋକଙ୍କ ମଧ୍ୟରେ ବଜାଜ୍ ସ୍କୁଟର ଏକ ଅଭିଳଷିତ ବସ୍ତୁ ରହିଥିଲା। ବଜାଜ୍ କମ୍ପାନିର ଲୋକପ୍ରିୟତା ବୃଦ୍ଧିରେ ରାହୁଲଙ୍କର ପ୍ରମୁଖ ଯୋଗଦାନ ରହିଥିଲା। ଗତକାଲି ଅପରାହ୍ଣରେ ରାହୁଲଙ୍କ ମୃତ୍ୟୁ ଖବର ପ୍ରସାରିତ ହେବାପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦଙ୍କ ସମେତ ଉଦ୍ୟୋଗଜଗତର ପ୍ରମୁଖ ବ୍ୟକ୍ତିମାନେ ଶୋକପ୍ରକାଶ କରିଥିଲେ।
Follow Us