ଜିଏସ୍‌ଟି ଠକଙ୍କ ଉପରେ ଘନଘନ ଚଢ଼ଉ : ଗିରଫ ହେଲେଣି ୧୮୫

Advertisment

୭୦୦୦ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ, ଦିଲ୍ଲୀରେ ଧରାପଡ଼ିଲା ୮୩୨ କୋଟିର ଠକେଇ

୭୦୦୦ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ, ଦିଲ୍ଲୀରେ ଧରାପଡ଼ିଲା ୮୩୨ କୋଟିର ଠକେଇ

ଜିଏସ୍‌ଟି ଠକଙ୍କ ଉପରେ ଘନଘନ ଚଢ଼ଉ : ଗିରଫ ହେଲେଣି ୧୮୫

ନୂଆଦିଲ୍ଲୀ : ଜିଏସ୍‌ଟି ଠକେଇ ରୋକିବା ଲାଗି ଗତ ଦେଢ଼ ମାସରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ଥର ଚଢ଼ଉ ହୋଇଛି। ଏହି ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୧୮୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୭୦୦୦ ସଂସ୍ଥା ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଅର୍ଥ ସଚିବ ଅଜୟ ଭୂଷଣ ପା‌ଣ୍ଡେ କହିଛନ୍ତି।

ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୫ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଓ ଜଣେ କଂପାନି ସେକ୍ରେଟାରି ସ୍ତରର ବ୍ୟକ୍ତି ଅଛନ୍ତି। କିଛି ସଂସ୍ଥାର ପରିଚାଳନା ନିର୍ଦେଶକଙ୍କୁ ୪୦-୫୦ ଦିନ ଜେଲ୍‌ରେ ବିତାଇବାକୁ ପଡ଼ିଛି। ଜାଲ୍‌ ବିଲ୍ ଜରିଆରେ କିଛି ବଡ଼ ସଂସ୍ଥା ମଧ୍ୟ ଜିଏସ୍‌ଟି ଠକେଇ କରୁଥିବା ଧରାପଡ଼ିଛି। ଆୟକର ବିଭାଗ, ସୀମା ଶୁଳ୍ପ, ଆର୍ଥିକ ଗୁଇନ୍ଦା ସଂସ୍ଥା, ଜିଏସ୍‌ଟି ବିଭାଗ ଏବଂ ବ୍ୟାଙ୍କଗୁଡ଼ିକ ଠାରୁ ମିଳୁଥିବା ତଥ୍ୟକୁ ଅନୁଶୀଳନ କରିବା ପରେ ଜିଏସ୍‌ଟି ଠକେଇରେ ଲିପ୍ତ ବୋଲି ସନ୍ଦେହ କରାଯାଉଥିବା ସଂସ୍ଥାଗୁଡ଼ିକର ତାଲିକା ପ୍ରସ୍ତୁତ ହେଉଛି। ସେହି ଅନୁସାରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ୍‌ ଶାଖା ତରଫରୁ ଚଢ଼ଉ କରାଯାଉଛି। ତଥ୍ୟ ଅନୁସାରେ ଚଢ଼ଉ ହେଉଥିବାରୁ ସଫଳତା ହାର ଅଧିକ ରହୁଛି। ଯେଉଁ ସଂସ୍ଥାଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସେମାନଙ୍କ ପଛରେ ସଙ୍ଗେ ସଙ୍ଗେ ଆୟକର ବିଭାଗ ପଡ଼ିଯାଉଛି। କାରଣ ଏହି ସଂସ୍ଥାଗୁଡ଼ିକ କୋଟି କୋଟି ଟଙ୍କାର ଆୟକର ମଧ୍ୟ ଠକୁଛନ୍ତି। ଯେହେତୁ ବିଭିନ୍ନ ଉତ୍ସରୁ ତଥ୍ୟ ଅନୁଶୀଳନ କରାଯାଉଛି, ତେଣୁ ଜିଏସ୍‌ଟି ଠକେଇ କରୁଥିବା ସଂସ୍ଥା ଦୀର୍ଘଦିନ ସେହି କାର୍ଯ୍ୟ କରିପାରିବେ ନାହିଁ। ବିଳମ୍ବରେ ହେଲେ ମଧ୍ୟ ସେମାନେ ଧରାପଡ଼ିବେ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି।

ଆଜି ଦିଲ୍ଲୀରେ ୮୩୧.୭୨ କୋଟି ଟଙ୍କା ମୂଲ୍ୟର ଏକ ଜିଏସ୍‌ଟି ଠକେଇର ପର୍ଦାଫାସ ହୋଇଛି। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ସଂସ୍ଥା ପାନ ମସଲା, ଗୁଟ୍‌ଖା ଓ ତମାଖୁ ଉତ୍ପାଦ ତିଆରି କରିବା ସହ ଯୋଗାଣକୁ ଗୁପ୍ତ ରଖୁଥିଲା। ଏହି ସଂସ୍ଥା କୌଣସି ପଞ୍ଜୀକରଣ କରିନଥିବା ବେଳେ ଟିକସ ମଧ୍ୟ ଦେଉନଥିଲା। ସଂସ୍ଥାର ବେଆଇନ କାରଖାନାରେ ଚଢ଼ଉ ବେଳେ ପ୍ରାୟ ୬୫ ଶ୍ରମିକ କାର୍ଯ୍ୟ କରୁଥିଲେ।

ଜାଲ୍ ବିଲ୍‌ ଜରିଆରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ହାସଲ କରି ଅଧିକ ଠକେଇ କରାଯାଉଥିବା ଜଣାପଡ଼ିଛି। ଆଇଟିସିର ଅପବ୍ୟବହାର ରୋକିବା ଲାଗି ପଦକ୍ଷେପ ନିଆଯାଉଛି। ନକଲି ଇନ୍‌ଭଏସ୍‌ ମାମଲା ଧରାପଡ଼ିବା ପରେ କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ତରଫରୁ ନିୟମରେ ସଂଶୋଧନ କରାଯାଇଛି। ମାସିକ ୫୦ ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଥିବା ସଂସ୍ଥାଗୁଡ଼ିକୁ ଅତିକମ୍‌ରେ ୧% ଜିଏସ୍‌ଟି ନଗଦ ରାଶି ଆକାରରେ ଦେବା ପାଇଁ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe