ନିରବଙ୍କ ଆପାର୍ଟମେଣ୍ଟ୍‌ରେ ପୁଣି ଚଢ଼ଉ

Advertisment

୩୬ କୋଟିର ସମ୍ପତ୍ତି ଜବତ, ୧୦ କୋଟିର ଦାମୀ ହୀରା ମୁଦି ମିଳିଲା, ଏଯାଏ ଜବତ ହେଲାଣି ୭୬୬୪, କୋଟି ଟଙ୍କାର ସମ୍ପତ୍ତି

୩୬ କୋଟିର ସମ୍ପତ୍ତି ଜବତ, ୧୦ କୋଟିର ଦାମୀ ହୀରା ମୁଦି ମିଳିଲା, ଏଯାଏ ଜବତ ହେଲାଣି ୭୬୬୪, କୋଟି ଟଙ୍କାର ସମ୍ପତ୍ତି

ନିରବଙ୍କ ଆପାର୍ଟମେଣ୍ଟ୍‌ରେ ପୁଣି ଚଢ଼ଉ

ମୁମ୍ବାଇ/ନୂଆଦିଲ୍ଲୀ, ୨୪/୩: ପିଏନ୍‌ବି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ମୁମ୍ବାଇସ୍ଥିତ ସମୁଦ୍ର ମହଲ ଆପାର୍ଟମେଣ୍ଟ୍‌ ଘରେ ସିବିଆଇ ଓ ପ୍ରବର୍ତନ ନିର୍ଦେଶାଳୟ ପୁଣି ଚଢ଼ଉ କରିଛି। ଗତ ଗୁରୁବାରଠାରୁ ଏହି ଚଢ଼ଉ ଆରମ୍ଭ ହୋଇ ଶନିବାର ପର୍ଯ୍ୟନ୍ତ ଚାଲିଥିଲା। ଏହି ଚଢ଼ଉ ସମୟରେ ଉକ୍ତ ଘରୁ ଇଡି ଓ ସିବିଆଇକୁ ମୋଟ ୩୬ କୋଟି ଟଙ୍କାର ସମ୍ପତ୍ତି ମିଳିଛି। ଏଥିରେ ଗୋଟିଏ ହୀରା ମୁଦି ମିଳିଛି ଯାହାର ଦାମ୍‌ ହେଉଛି ୧୦ କୋଟି ଟଙ୍କା। ଏତଦ୍‌ବ୍ୟତୀତ ୧ କୋଟି ୪୦ ଲକ୍ଷ ଟଙ୍କା ମୂଲ୍ୟର ହୀରା ଘଣ୍ଟା, ୧୫ କୋଟି ଟଙ୍କାର ଆଣ୍ଟିକ୍‌ ଗହଣା, ୧୦ କୋଟି ଟଙ୍କାର ମୂଲ୍ୟର ପେଣ୍ଟିଂ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ତାଙ୍କ ଘରୁ ପ୍ରସିଦ୍ଧ ପେଣ୍ଟର ଅମୃତା ସେର୍‌ ଗିଲ୍‌, ଏମ୍‌. ଏଫ୍‌. ହୁସେନ୍‌ ଓ କେ. କେ. ହେବାର୍‌ଙ୍କର ମୂଲ୍ୟବାନ ପେଣ୍ଟିଂ ମିଳିଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ ଇଡି ଏବଂ ସିବିଆଇ ମିଳିତଭାବେ ଗତ ୨୨ ତାରିଖରୁ ଆଜି ସକାଳ ପର୍ଯ୍ୟନ୍ତ ଏହି ଘରେ ଚଢ଼ଉ କରିଥିଲେ। ମୁମ୍ବାଇର ଓ୍ଵଲିଂ ଅଞ୍ଚଳରେ ସମୁଦ୍ରକୁ ମୁହଁ କରିଥିବା ସମୁଦ୍ର ମହଲ ଆପାର୍ଟମେଣ୍ଟ୍‌ରେ ନିରବଙ୍କ ବିଳାସପୂର୍ଣ୍ଣ ଫ୍ଲାଟ ରହିଛି।

ଏସବୁ ଦାମୀ ଏବଂ ମୂଲ୍ୟବାନ ସଂପତ୍ତିକୁ ପିଏମ୍‌ଏଲ୍‌ ଆଇନ ଅନୁଯାୟୀ ଜବତ କରାଯାଇଛି। ପିଏନ୍‌ବିର ବିଶାଳ ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ପକ୍ଷରୁ ନିରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କ ବିରୋଧରେ ଦୁଇଟି ମଲି ଲଣ୍ଡରିଂ ମାମଲା ରୁଜୁ ହୋଇଛି। ଏହି ଦୁଇଜଣ ଅଭିଯୁକ୍ତ ଦେଶଛାଡ଼ି ପଳାଇ ଯାଇଛନ୍ତି। ସେମାନଙ୍କୁ ହାଜର ହେବା ପାଇଁ ଇଡି ବାରମ୍ବାର ସମନ୍‌ କରିବା ସତ୍ତ୍ୱେ ସେମାନେ ଆସୁନାହାନ୍ତି। ଫଳରେ ସେମାନଙ୍କ ବିରୋଧରେ ଅନ୍ତର୍ଜାତୀୟ ଗିରଫ ପରଓ୍ଵାନା ଜାରି କରିବା ଲାଗି ଇଡି ପକ୍ଷରୁ ଇଣ୍ଟରପୋଲ୍‌କୁ କୁହାଯାଇଛି। ସେହିଭଳି ଇଡିର ଆବେଦନକ୍ରମେ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ସେମାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିବାକୁ କହିଛି। ଏହି ଠକେଇ ଘଟଣା ପଦାକୁ ଆସିବା ପରେ ଇଡି ପକ୍ଷରୁ ମୋଟ ୨୫୧ଟି ଚଢ଼ଉ କରାଯାଇଛି। ଏହି ଚଢ଼ଉ ଫଳରେ ଇଡି ମୋଟ ୭୬୬୪ କୋଟି ଟଙ୍କାର ସମ୍ପତ୍ତି ଏପର୍ଯ୍ୟନ୍ତ ଜବତ କରିସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe