ନୂଆଦିଲ୍ଲୀ: ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ‘ନୂଆଦିଲ୍ଲୀ-ଆଜ୍ମେର୍’ ‘ଶତାବ୍ଦୀ ଏକ୍ସପ୍ରେସ୍’ ପରିଦର୍ଶନ କରି ଟ୍ରେନ୍ ଯାଞ୍ଚ କରିବା ସହିତ ସେଥିରେ ଥିବା ଯାତ୍ରୀମାନଙ୍କ ସହିତ ଆଳାପ-ଆଲୋଚନା କରି ମତାମତ ସଂଗ୍ରହ କରିଛନ୍ତି।
ରେଳରେ ଯାତ୍ରାରତ ଯାତ୍ରୀମାନଙ୍କ ସହିତ ମନ୍ତ୍ରୀ ଆଳାପ-ଆଲୋଚନା କରୁଥିବା ବେଳର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ସେୟାର୍ କରାଯାଇଛି।
ଭିଡିଓରେ ଦେଖାଯାଉଛି, ରେଳମନ୍ତ୍ରୀ ରେଳର ପରିଚ୍ଛନ୍ନତା ବିଷୟରେ ଯାତ୍ରୀମାନଙ୍କୁ ପଚାରୁଛନ୍ତି। ରେଳରେ ଯୋଗାଇ ଦିଆଯାଉଥିବା ସେବା ସମ୍ବନ୍ଧରେ ଯାତ୍ରୀମାନେ ସକାରାତ୍ମକ ମତ ଦେଉଥିବା ଶୁଭୁଛି। ଭିଡିଓର ଶେଷ ଆଡ଼କୁ ଦେଖାଯାଉଛି, ଅଶ୍ବିନୀ ବୈଷ୍ଣବ ଜଣେ ସରକାରୀ ଅଧିକାରୀଙ୍କ ପାଖରେ ବସି ରେଳ ଚଳାଚଳ ବିଷୟରେ କଥାବାର୍ତ୍ତା କରୁଛନ୍ତି। ଉକ୍ତ ରେଳପଥରେ ଯାତାୟାତ କରୁଥିବା ରେଳଗାଡ଼ିର ‘ଟାଇମ୍ଲାଇନ୍’ ବିଷୟରେ ଯାତ୍ରୀମାନେ ତାଙ୍କୁ ସୂଚନା ଦେଇଥିବା କଥା ମଧ୍ୟ ସେ ସରକାରୀ ଅଧିକାରୀଙ୍କୁ କହିଛନ୍ତି।
Image Grabbed From Videoଏହା ପରେ, ଜାରି କରିଥିବା ବିବୃତିରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ଉକ୍ତ ରେଳପଥରେ ଭାରତୀୟ ରେଳ ନୂଆ ଉପକ୍ରମ ଗ୍ରହଣ କରିବ। ଧାରଣାରେ ପରିବର୍ତ୍ତନ କରାଯାଇ ‘ନୂଆଦିଲ୍ଲୀ-ଆଜ୍ମେର୍’ ରେଳପଥରେ ରେଳଗାଡ଼ିର ବେଗ ବୃଦ୍ଧି କରାଯିବ। ଏହାଛଡ଼ା, ନୂଆଦିଲ୍ଲୀ-ଜୟପୁର ରେଳପଥରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବ ବୋଲି ସେ ସୁନିଶ୍ଚିତ କରିଛନ୍ତି। ଏହି ରେଳପଥରେ ପରୀକ୍ଷାମୂଳକ ଚଳାଚଳ କରାଯିବା ପରେ ଯାଇ ‘ସେମି-ହାଇ-ସ୍ପିଡ୍’ ରେଳ ଚଳାଚଳ ଆରମ୍ଭ କରିବ ବୋଲି ସେ କହିଛନ୍ତି।
Follow Us