The News Room
ଜିରୋ ବେସ୍ଡ ଟାଇମ୍ ଟେବୁଲ୍ କ’ଣ?
ରେଳବାଇ ପକ୍ଷରୁ ଶୀଘ୍ର ଦେଶରେ ନୂଆ ସମୟ ସାରଣୀ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାକୁ ଜିରୋ ବେସ୍ଡ ଟାଇମ୍ ଟେବୁଲ୍ କୁହାଯାଉଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାଦ୍ବାରା ଦୂରଗାମୀ ଟ୍ରେନ ଗୁଡ଼ିକର ଯାତ୍ରା ସମୟ ଅତିକମ୍ରେ ୩୦ ମିନିଟ୍ରୁ ୬ ଘଣ୍ଟା ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ରେଳ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଭି କେ ଯାଦବ ନିକଟରେ ସୂଚନା ଦେଇଛନ୍ତି। ରେଳ ଚଳାଚଳ ପାଇଁ ଏଭଳି ସମୟ ସାରଣୀ ପ୍ରସ୍ତୁତ କରାଯିବା ସମୟରେ ଧରାଯିବ ଯେ ଧାରଣାରେ କୌଣସି ଟ୍ରେନ ନାହିଁ। ପ୍ରତି ଟ୍ରେନକୁ ନୂଆ ଟ୍ରେନର ସମୟ ଦିଆଯିବ। ଚାହିଦା ନଥିବା ଟ୍ରେନକୁ ବାତିଲ କରିବା ସହିତ ଷ୍ଟପେଜ୍ କମ୍ କରାଯିବ। ଏହି ବ୍ୟବସ୍ଥାରେ ରେଳବାଇ ଏହାର ଡବା, ଇଂଜିନ, କ୍ରୁ ଏବଂ ମେଣ୍ଟେନାନ୍ସ ଡିପୋ ଆଦିର ସର୍ବାଧିକ ଉପଯୋଗ କରିପାରିବ।
ରେଳ ବୋର୍ଡର ଅଧିକାରୀଙ୍କ କହିବାନୁଯାୟୀ, ଟ୍ରେନର ଚଳାଚଳ ଚାହିଦା ଏବଂ ଉପଲବ୍ଧତାକୁ ଦେଖି କରାଯିବ। ଅପରେସନ ରିସର୍ଚ୍ଚ ଟ୍ରାନ୍ସପୋର୍ଟେସନ ଅଲଗରିଦିମ୍ ଅନୁଯାୟୀ ଏହି ସମୟ ସାରଣୀ ସ୍ଥିର କରାଯିବ। ଏଥିରେ କୌଣସି ଟ୍ରେନକୁ ଆଗକୁ ଅତିକ୍ରମ କରିବା ସୁବିଧା ଦେବା ପାଇଁ ଅନ୍ୟ କୌଣସି ଟ୍ରେନକୁ ଗୋଟିଏ ସ୍ଥାନରେ ପକାଇ ରଖାଯିବ ନାହିଁ। କାରଣ ସବୁ ଟ୍ରେନର ସମୟ ସାରଣୀ ଅଲଗା ଅଲଗା ଭାବେ ପ୍ରସ୍ତୁତ ହେବ। ଉପଲବ୍ଧ ସମ୍ବଳର ସର୍ବାଧିକ ବିନିଯୋଗ ଲକ୍ଷ୍ୟରେ ଏହି ସମୟ ସାରଣୀ କାର୍ଯ୍ୟ କରିବ। କମ୍ ଲୋକ ଯାତ୍ରା କରୁଥିବା ଟ୍ରେନ ଗୁଡ଼ିକରେ ଯାତ୍ରୀଙ୍କ ସଂଖ୍ୟା ବଢ଼ାଇବା ଏବଂ ଅଧିକ ଚାହିଦା ଥିବା ଟ୍ରେନରେ ଯାତ୍ରୀଙ୍କ ପ୍ରତୀକ୍ଷା ତାଲିକାକୁ ହ୍ରାସ କରିବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ନୂଆ ସମୟ ସାରଣୀ କାର୍ଯ୍ୟକାରୀ ହେଲେ ଦେଶରେ ରେଳବାଇକୁ ବାର୍ଷିକ ୮୦୦୦ କୋଟି ଟଙ୍କାର ଲାଭ ପହଞ୍ଚିବ। ସେହିଭଳି କମ୍ ଯାତ୍ରୀ ଯାତ୍ରା କରୁଥିବା ପାଖାପାଖି ୬୦୦ ଟ୍ରେନକୁ ବନ୍ଦ କରାଯିବ ଏବଂ ପାଖାପାଖି ୪୦୦ ଟ୍ରେନର ମିଶ୍ରଣ କିମ୍ବା ଉନ୍ନତୀକରଣ କରାଯିବ। ସେହିଭଳି ରହଣୀଗୁଡ଼ିକୁ ମଧ୍ୟ ଯୁକ୍ତିଯୁକ୍ତ କରାଯିବ। ଫଳରେ ପାଖାପାଖି ୧୦ ହଜାର ଷ୍ଟପେଜ୍ ଉଠିଯାଇପାରେ ବୋଲି କୁହାଯାଉଛି। ଆଇଆଇଟି-ବମ୍ବେ ସହଯୋଗରେ ଏହି ନୂଆ ଜିରୋ ବେସ୍ଡ ଟାଇମ୍ ଟେବୁଲ୍ ପ୍ରସ୍ତୁତ କରାଯାଇଛି। ନୂଆ ସମୟ ସାରଣୀ କାର୍ଯ୍ୟକାରୀ ହେଲେ ଟ୍ରେନଗୁଡ଼ିକ ଦ୍ରୁତଗତିରେ ଯାତ୍ରା କରିବ।
ଏପରି ଯୋଜନା କାହିଁକି?
ଭାରତରେ ବ୍ରିଟିସ ଅମଳରୁ ଟ୍ରେନ୍ ଚଳାଚଳ କରୁଛି। କିନ୍ତୁ ଦେଶରେ ପ୍ରତିବର୍ଷ ନୂଆ ଟ୍ରେନ ଚଳାଚଳର ଆବଶ୍ୟକତା ଦେଖାଦେଉଛି। ଏହି ନୂଆ ଟ୍ରେନ ଚଳାଚଳ ସମୟରେ ଦେଖାଯାଏ କେଉଁ ସମୟରେ ନୂଆ ଟ୍ରେନଗୁଡ଼ିକୁ ଚଳାଯାଇ ପାରିବ। ବିଶେଷକରି ଏହି ସମୟ ସାରଣୀ ପ୍ରସ୍ତୁତ କରିବା ସମୟରେ ଯେଉଁ ଟ୍ରେନ୍ ଦୁଇଟି ମଧ୍ୟରେ ସମୟ ପାର୍ଥକ୍ୟ ରହିଥାଏ ସେହି ସମୟରେ ନୂଆ ଟ୍ରେନ ଚଳାଯାଇଥାଏ। ଏହି ବ୍ୟବସ୍ଥା ଦ୍ବାରା ଅଗ୍ରାଧିକାର ନଥିବା ଟ୍ରେନ ଗୁଡ଼ିକୁ ଧାରଣାରେ ଅଟକା ଯାଇ ଅଗ୍ରାଧିକାର ଥିବା ଟ୍ରେନ ଗୁଡ଼ିକୁ ଆଗକୁ ଯିବାକୁ ଦିଆଯାଇଥାଏ। ଅଗ୍ରାଧିକାର ଥିବା ଟ୍ରେନକୁ ଯିବାକୁ ଦିଆଯିବା ସମୟରେ ଅଗ୍ରାଧିକାର ନଥିବା ଟ୍ରେନକୁ ଗୋଟେ ଗୋଟେ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ପକାଇ ରଖାଯାଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ଜିରୋ ବେସ୍ଡ ଟାଇମ ଟେବୁଲ୍ର ପରିକଳ୍ପନା କରାଯାଇଛି।
ପ୍ରତି ରେଳ ଜୋନ୍ କମିଟି
ଜିରୋ ବେସ୍ଡ ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିବା ପାଇଁ ପ୍ରତି ରେଳ ଜୋନ୍ରେ ଏକ କମିଟି ଗଠନ କରାଯାଇଥିଲା। ରେଳ ଜୋନ୍ର ମହା ପ୍ରବନ୍ଧକଙ୍କୁ କମିଟିର ନୋଡାଲ ଅଧିକାରୀ କରାଯାଇଥିଲା। ରେଳ ଚଳାଚଳ, ରକ୍ଷଣାବେକ୍ଷଣ ଏବଂ ନିର୍ମାଣ ଆଦି ବିଷୟକୁ ଦେଖି କମିଟି ମନ୍ତ୍ରାଳୟକୁ ରିପୋର୍ଟ ଦେବା ପରେ ନୂଆ ଟାଇମ ଟେବୁଲ୍ ପ୍ରସ୍ତୁତିର ବ୍ୟବସ୍ଥା ହୋଇଛି।
Follow Us