ବ୍ୟାଙ୍କ ଘ‌ରୋଇକରଣ ସପକ୍ଷରେ ରାଜନ, ଆର୍ଥିକ ସେବା ବିଭାଗ ବନ୍ଦ କରିବାକୁ ପରାମର୍ଶ

Advertisment
ଆଗକୁ ଭାରତ ପାଇଁ କଠିନ ସମୟ: ରାଜନ

oneindia.com

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କର ଘରୋଇକରଣ କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଓ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ। ମୋଦୀ ସରକାରଙ୍କ ନୀତି ବିରୋଧରେ ଖୋଲାଖୋଲି ସମାଲୋଚନା କରିବାକୁ ପଛାଉନଥିବା ଏହି ଦୁଇ ଚର୍ଚ୍ଚିତ ଚେହେରା ମିଳିତ ଭାବେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଭାରତୀୟ ବ୍ୟାଙ୍କ ଶିଳ୍ପ ଲାଗି କଣ ସବୁ ପଦକ୍ଷେପ ଗ୍ରହଣ କରାଯିବା ଦରକାର ସେଥିରେ ସେମାନେ ତାହା ବର୍ଣ୍ଣନା କରିଛନ୍ତି।

କିଛି ନିର୍ଦିଷ୍ଟ ସରକାରୀ ବ୍ୟାଙ୍କର ଘରୋଇକରଣ କରିବାକୁ ସେମାନେ ସରକାରଙ୍କୁ କହିଛନ୍ତି। ବ୍ୟାଙ୍କର ଅଂଶଧନ ବିକ୍ରି କରିବା ବେଳେ ଆର୍ଥିକ କ୍ଷେତ୍ରରେ କାରବାର ଓ ପ୍ରଯୁକ୍ତି କ୍ଷେତ୍ରରେ ଦୀର୍ଘଦିନର ଅଭିଜ୍ଞତା ଥିବା ଘରୋଇ କ୍ଷେତ୍ରର ନିବେଶକମାନଙ୍କ ପ୍ରତି ଗୁରୁତ୍ବ ଦେବାକୁ ସେମା‌େନେ ପରାମର୍ଶ ଦେଇଛନ୍ତି। ସ୍ବାର୍ଥକୁ ନେଇ ସମସ୍ୟ‌ା ଦେଖାଦେବାର ଆଶଙ୍କା ରହିଥିବାରୁ କର୍ପୋରେଟ୍ ସଂସ୍ଥା ହାତକୁ ଅଧିକ ଅଂଶଧନ ନଦେବାକୁ ସେମାନେ କହିଛନ୍ତି। ଋଣ ଦେବା ଲାଗି ସରକାରୀ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦେବାରେ ସରକାରଙ୍କ ଅଖଣ୍ଡ କ୍ଷମତା ରହିଛି। ମାତ୍ର ଅନେକ ସମୟରେ ଆର୍ଥିକ ଅନ୍ତୁର୍ଭକ୍ତୀକରଣ ଓ ଭିତ୍ତିଭୂମି ନିବେଶ ଲକ୍ଷ୍ୟ ହାସଲ କରିବା ଲାଗି ଏଭଳି ନିର୍ଦେଶ ଦିଆଯାଉଛି। କେତେକ ସମୟରେ ଶିଳ୍ପପତିମାନଙ୍କୁ ନିୟନ୍ତ୍ରଣରେ ରଖିବା କିମ୍ବା ସେମାନଙ୍କ ପୃଷ୍ଠପୋଷକ ସାଜିବା ଲାଗି ମଧ୍ୟ ସେହି କ୍ଷମତାକୁ ବ୍ୟବହାର କରାଯାଉଛି।

ବ୍ୟାଙ୍କ ବୋର୍ଡକୁ ଅଧିକ ପରିଚାଳନା ସ୍ବାଧୀନତା ପ୍ରଦାନ କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗକୁ ବନ୍ଦ କରିବାକୁ ରାଜନ ଓ ବିରଳ ପ୍ରସ୍ତାବ ଦେଇଛନ୍ତି। ଏହି ବିଭାଗ ଥିବାରୁ ବ୍ୟାଙ୍କଗୁଡ଼ିକୁ ସାମାଜିକ ଓ ରାଜନୈତିକ ଲକ୍ଷ୍ୟ ହାସଲ କରିବା ଦିଗରେ ବାଧ୍ୟତାମୂଳକ ଭାବେ ବ୍ୟବହାର କରାଯାଉଛି। ଅନାଦେୟ ଋଣ ବା ଏନ୍‌ପିଏ ମାମଲାର ସମାଧାନ ଲାଗି ବ୍ୟାଡ୍‌ ବ୍ୟାଙ୍କ ଗଠନ କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ବ୍ୟାଙ୍କିଙ୍ଗ୍‌ ଲାଇସେନ୍ସ ହାସଲ କରିବା ନିୟମକୁ ସର୍ବଦା ଉନ୍ମୁକ୍ତ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ବିଶେଷ କରି ଲଘୁ ଋଣ ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକୁ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ପରିଣତ କରିବା ଏବଂ ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡ଼ିକୁ ବାଣିଜ୍ୟିକ ବ୍ୟାଙ୍କରେ ରୂପାନ୍ତରିତ କରିବା ଲାଗି ସୁଯୋଗ ଦେବାର ଆବଶ୍ୟକତା ରହିଛି। ସେଥିପାଇଁ ବ୍ୟାଙ୍କ ଲାଇସେନ୍ସ ହାସଲ କରିବା ପ୍ରକ୍ରିୟାକୁ ସର୍ବଦା ଖୋଲା ରଖିବା ଦରକାର। ପ୍ରତିବର୍ଷ ବ୍ୟାଙ୍କିଙ୍ଗ୍‌ ଲାଇସେନ୍ସ ପାଇଁ ଆବେଦନ ଆହ୍ବାନ କରିବାକୁ ଏହି ରିପୋର୍ଟରେ ପରାମର୍ଶ ଦିଆଯାଇଛି। କେବଳ ସେତିକି ନୁହେଁ ଯେଉଁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଖରାପ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ପରିଣତ କରିବା ଲାଗି ମଧ୍ୟ ରାଜନ ପରାମର୍ଶ ଦେଇଛନ୍ତି। ବ୍ୟାଙ୍କ ବୋର୍ଡ ଯେଭଳି ଉନ୍ନତ ପ୍ରଦର୍ଶନ କରିବ ତାହାକୁ ନିଶ୍ଚିତ କରିବା ଲାଗି ବରିଷ୍ଠ ପଦପଦବୀରେ ଥିବା ଲୋକମାନଙ୍କୁ ଅଧିକ ସମୟ କାର୍ଯ୍ୟ କରିବା ସୁଯୋଗ ଦେବା, ପ୍ରଦର୍ଶନର ଉତ୍ତମ ଅନୁଶୀଳନ କରିବା, ପ୍ରଦର୍ଶନ ଭିତ୍ତିରେ ପଦୋନ୍ନତି ଓ କାର୍ଯ୍ୟକାଳ ବଢ଼ାଇବା ନିଷ୍ପତ୍ତି ଗ୍ରହଣ କରିବା ଏବଂ ଲାଟେରାଲ୍ ଏଣ୍ଟ୍ରି ଉପରେ ଗୁରୁତ୍ବ ଦେବାକୁ ଏହି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe