ଓଡ଼ିଶାରେ ରାଜ୍ୟସଭା ସଂସଦୀୟ କମିଟି ବୈଠକ: ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ୍ ସଂଶୋଧନ ଉପରେ ଆଲୋଚନା

ଫେବ୍ରୁଆରି ୧ରେ ବଜେଟ୍‌

Image Courtesy of The Indian Express

ଭୁବନେଶ୍ବର: ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ୍ ସଂଶୋଧନ ଓ ୧୧ତମ ବ୍ୟାଙ୍କ ଦ୍ବିପାକ୍ଷିକ ବୁଝାମଣା ଉପରେ ରାଜ୍ୟସଭାର ଏକ ସଂସଦୀୟ କମିଟିର ଏକ ବୈଠକ ଆଜି ଭୁବନେଶ୍ବରରେ ଅନୁଷ୍ଠିତ ହୋଇଛି। ଏ ନବନୀତାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ‘ସରକାରଙ୍କ ପ୍ରତିଶ୍ରୁତି ସମ୍ପର୍କିତ ସଂସଦୀୟ କମିଟି’, ଆଜି ଭୁବନେଶ୍ବରରେ ୟୁନିୟନ୍ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଓ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ)ର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ୍ ସଂଶୋଧନ କରିବା ଲାଗି ଚଳିତ ବର୍ଷ ଫେବ୍ରୁଆରି ୨ ତାରିଖରେ ରାଜ୍ୟସଭାରେ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଉପରେ ସଂସଦୀୟ କମିଟି ବୈଠକରେ ଆଲୋଚନା ହୋଇଛି। ଆସନ୍ତାକାଲି କମିଟି ପକ୍ଷରୁ କୋଇଲା ଥିବା ଅଞ୍ଚଳରେ ଜମି ଅଧିଗ୍ରହଣ ଓ ରାଜପଥ ପାଇଁ ଜମି ଅଧିଗ୍ରହଣ ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।

ଗତ ଫେବ୍ରୁଆରିରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ୍ ସଂଶୋଧନ ଓ ୧୧ତମ ଦ୍ବିପାକ୍ଷିକ ବୁଝାମଣା ଉପରେ ହୋଇଥିବା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଫାମିଲି ପେନ୍‌ସନ୍‌କୁ ସବୁ ବର୍ଗର କର୍ମଚାରୀଙ୍କ ପାଇଁ ୩୦% ପର୍ଯ୍ୟନ୍ତ ବଢ଼ାଇବାକୁ ଭାରତୀୟ ବ୍ୟାଙ୍କ ସଂଘ ପ୍ରସ୍ତାବ ଦେଇଥିଲା। ସେହି ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ୍ ସଂଶୋଧନ ଦାବି ଦୀର୍ଘ ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ପୂରଣ ହୋଇନାହିଁ ବୋଲି ସର୍ବଭାରତୀୟ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମହାସଂଘ (ଏଆଇବିଆର୍‌ଏଫ୍) ପକ୍ଷରୁ କୁହାଯାଇଛି। ପେନ୍‌ସନ୍ କ୍ଷେତ୍ରରେ ରହିଥିବା ଅସଙ୍ଗତିକୁ ଦୂର କରିବା ଉପରେ ବିଚାର କରିବାକୁ ମହାସଂଘ ପକ୍ଷରୁ ସଂସଦୀୟ କମିଟିକୁ ନିବେଦନ କରାଯାଇଛି। ୧୯୯୫ରେ ବ୍ୟାଙ୍କି ଶିଳ୍ପରେ ପେନ୍‌ସନ୍ ସ୍କିମ୍ ଲାଗୁ କରାଯାଇଥିଲା। କିନ୍ତୁ ପେନ୍‌ସନ୍ ଅପ୍‌ଡେଟ୍‌ କରିବା ଲାଗି କୌଣସି ପଦକ୍ଷେପ ନିଆଯାଇନାହିଁ। ଇତି ମଧ୍ୟରେ ୬ ଥର ବେତନ ଫଇସଲା ହୋଇଛି ଯଦ୍ବାରା ବ୍ୟାଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀମ‌ାନେ ଉପକୃତ ହୋଇଛନ୍ତି। ଅବସର ନେଇଥିବା କର୍ମଚାରୀଙ୍କ କଥା ବେତନ ଫଇସଲା ବେଳେ ବିଚାରକୁ ନିଆଯାଇନାହିଁ। ସେଥିପାଇଁ ୧୯୮୭-୧୯୯୨ ଭିତରେ ଅବସର ଗ୍ରହଣ କରିଥିବା ବ୍ୟାଙ୍କ କର୍ମଚାରୀ ଏବଂ ୧୧ତମ ଫଇସଲା ଅଧୀନରେ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ମୌଳିକ ବେତନରେ ବଡ଼ ଧରଣର ପାର୍ଥକ୍ୟ ରହିଛି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ରିଜର୍ଭ ବ୍ୟାଙ୍କର ଫର୍ମୁଲା ଆଧାରରେ ପେନ୍‌ସନ୍ ଅପ୍‌ଡେଟ୍‌ କରିବା ଏବଂ ଏହି ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ବିଚାରକୁ ନେବା ଲାଗି ମହାସଂଘ ପକ୍ଷରୁ ସଂସଦୀୟ କମିଟିକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe