ରତନ ଟାଟାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ମୁରବି ଯିବା ପରେ ଟାଟା ଗ୍ରୁପ୍‌ରେ ଝଗଡ଼ା

ଟାଟା ଗ୍ରୁପ୍‌ର ପୂର୍ବତନ ମୁଖ୍ୟ ରତନ ଟାଟାଙ୍କ ଦେହାନ୍ତକୁ ଆଜି ଗୋଟିଏ ବର୍ଷ ପୂରିଛି। ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ଗ୍ରୁପ୍‌ରେ ବଡ଼ ଧରଣର ଝଗଡ଼ା ଆରମ୍ଭ ହୋଇଯାଇଛି,  ଯାହା ଏପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ।

dagdagdazcvcvcv

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ର ପୂର୍ବତନ ମୁଖ୍ୟ ରତନ ଟାଟାଙ୍କ ଦେହାନ୍ତକୁ ଆଜି ଗୋଟିଏ ବର୍ଷ ପୂରିଛି। ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ଗ୍ରୁପ୍‌ରେ ବଡ଼ ଧରଣର ଝଗଡ଼ା ଆରମ୍ଭ ହୋଇଯାଇଛି,  ଯାହା ଏପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ। ସ୍ଥିତି ଏଭଳି ଗମ୍ଭୀର ହୋଇଛି ଯେ ସରକାରଙ୍କୁ ହସ୍ତକ୍ଷେପ କରିବା ଲାଗି କମ୍ପାନିର କିଛି ଅଧିକାରୀ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି। ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଝଗଡ଼ା ଶେଷ କରିବାକୁ ଉଦ୍ୟମ କରାଯିବ। 

ଗତବର୍ଷ ଅକ୍ଟୋବର ୯ରେ ୮୬ ବର୍ଷ ବୟସରେ ରତନ ଟାଟାଙ୍କ ଦେହାନ୍ତ ହୋଇଥିଲା। ସେ ଆରପାରିକୁ ଚାଲିଯିବା ପରେ ଟାଟା ଗ୍ରୁପ୍‌ର ନେତୃତ୍ବ ପଦଗୁଡ଼ିକରେ ପରିବର୍ତ୍ତନ ହୋଇଥିଲା। ତାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ୨୦୨୪ ଅକ୍ଟୋବରରେ ‘ଟାଟା ସନ୍ସ’ (ଟାଟା ଗ୍ରୁପ୍‌କୁ ପରିଚାଳନା କରୁଥିବା ଅନୁଷ୍ଠାନ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା ଓ ମାସକ ପରେ ତାଙ୍କୁ ବୋର୍ଡରେ ସାମିଲ କରାଯାଇଥିଲା। ନୋଏଲଙ୍କ ସେହି ନିଯୁକ୍ତିକୁ ନେଇ କିନ୍ତୁ ଅନ୍ୟ ବୋର୍ଡ ସଦସ୍ୟମାନେ ଏକମତ ନଥିଲେ। ଏହାକୁ ନେଇ ଟାଟା ସନ୍ସକୁ ପରିଚାଳନା କରୁଥିବା ‘ଟାଟା ଟ୍ରଷ୍ଟ୍‌ସ’ର ଅଧିକାରୀମାନେ ଦୁଇ ଭାଗ ହୋଇଯାଇଛନ୍ତି। ଗୋଟିଏ ପକ୍ଷ ନୋଏଲଙ୍କ ସହିତ ଥିବା ବେଳେ ଅନ୍ୟ ପକ୍ଷ ମେହଲି ମିସ୍ତ୍ରିଙ୍କ ସହିତ ରହିଛନ୍ତି। ମେହଲି ହେଉଛନ୍ତି ସାପୁରଜୀ ପାଲୋଞ୍ଜି ପରିବାରର ସଦସ୍ୟ। ତାଙ୍କ ପରିବାରର ଟାଟା ଗ୍ରୁପ୍‌ରେ ୧୮.୩୭ ପ୍ରତିଶତ ଅଂଶଧନ ରହିଛି। 

ନୋଏଲ୍‌ ଟାଟା-ମିସ୍ତ୍ରି ପରିବାର ମୁହାଁମୁହିଁ

ବିବାଦ ପ‌ଛରେ ୧୦୦୦ କୋଟି

ମୁମ୍ବାଇ: ଟାଟା ଟ୍ରଷ୍ଟ୍‌ସ ବିବାଦ ପଛରେ ୧୦୦୦ କୋଟି ଟଙ୍କାର ନିବେଶ ନିଷ୍ପତ୍ତିକୁ ବଡ଼ କାରଣ କୁହାଯାଉଛି। ଟାଟା ସନ୍ସର ମୁଖ୍ୟ ନୋଏଲ ଟାଟାଙ୍କ କ୍ଷତିରେ ଚାଲୁଥିବା କମ୍ପାନି ଟାଟା ଇଣ୍ଟରନ୍ୟାସନାଲ୍‌ରେ ୧୦୦୦ କୋଟି ଟଙ୍କା ନିବେଶ କରିବା ଲାଗି ଆସିଥିବା ପ୍ରସ୍ତାବକୁ ବୋର୍ଡ ସଦସ୍ୟମାନେ ବିରୋଧ କରିଥିଲେ। ଏଥିରେ ଟ୍ରଷ୍ଟ୍‌ର ରହିଥିବା ପ୍ରକ୍ରିୟାକୁ ଠିକ୍ ଭାବେ ପାଳନ କରାଯାଇନଥିବା ଅଭିଯୋଗ ହୋଇଛି। ଏତେ ବଡ଼ ଧରଣର ନିବେଶ ପ୍ରସ୍ତାବ ଉପସ୍ଥାପନ କରିବା ପୂର୍ବରୁ ଟ୍ରଷ୍ଟ୍‌ର ଆଗୁଆ ଅନୁମୋଦନ ଦରକାର ଥିଲା, ଯାହା ନିଆଯାଇନଥିଲା। ଯେଉଁଭଳି ଢଙ୍ଗରେ ଏହି ମାମଲାକୁ ପରିଚାଳନା କରାଗଲା ତାହାକୁ ନେଇ ବିରୋଧୀ ପକ୍ଷର ମେହଲି ମିସ୍ତ୍ରୀ, ଜାହାଙ୍ଗୀର ଏଚ୍‌ ସି ଜାହାଙ୍ଗୀର, ଡେରିଅସ୍ ଖମ୍ବାଟା ଓ ପ୍ରମିତ ଝାବେରୀ ପ୍ରଶ୍ନ ଉଠାଇଥିଲେ। ନୋଏଲ ୨୦୧୦ରୁ ଟାଟା ଇଣ୍ଟରନ୍ୟାସନାଲ୍‌ର ନେତୃତ୍ବ ନେଉଛନ୍ତି ଯାହା ୨୭ଟି ଦେଶରେ ଅଟୋମୋବାଇଲ୍‌ ବିତରଣ, ଚମଡ଼ା ସାମଗ୍ରୀ, କୃଷିଜାତ ସାମଗ୍ରୀ ଓ ଶିଳ୍ପ ଯୋଗାଣ ଶୃଙ୍ଖଳର ପରିଚାଳନା କରୁଛି।

ବୋର୍ଡରେ ସିଟ୍‌କୁ ନେଇ ନୋଏଲ ଓ ମିସ୍ତ୍ରିଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ ଚଳିତ ମାସ ୭ରେ କମ୍ପାନିର ବରିଷ୍ଠ ଅଧିକାରୀମାନେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ୪୫ ମିନିଟ୍‌ ଧରି ଆଲୋଚନା କରିଥିଲେ। ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ଥିଲେ। ପାରିବାରିକ ଝଗଡ଼ାକୁ ଶୀଘ୍ର ସମାଧାନ କରିବାକୁ ଉଭୟ ମନ୍ତ୍ରୀ କମ୍ପାନି ଅଧିକାରୀଙ୍କୁ କହିଥିଲେ। ‘ଟାଟା ଟ୍ରଷ୍ଟ୍‌ସ’ର ଅଧ୍ୟକ୍ଷ ନୋଏଲ ଟାଟା, ଉପାଧ୍ୟକ୍ଷ ବେଣୁ ଶ୍ରୀନିବାସନ, ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ଓ ଟ୍ରଷ୍ଟି ଡେରିୟସ୍‌ ଖମ୍ବାଟା ଦୁଇ ମନ୍ତ୍ରୀଙ୍କୁ ଭେଟିବା ଲାଗି ଦିଲ୍ଲୀ ଯାଇଥିଲେ। 

‘ଟାଟା ଟ୍ରଷ୍ଟ୍‌ସ’ ବିବାଦ ଗତ ସେପ୍ଟେମ୍ବର ୧୧ରେ ହୋଇଥିବା ଏକ ବୈଠକରୁ ଆରମ୍ଭ ହୋଇଥିଲା। ଟ୍ରଷ୍ଟ୍‌ର ବୋର୍ଡରେ ୭ ଜଣ ସଦସ୍ୟ ଅଛନ୍ତି। ପୂର୍ବତନ ପ୍ରତିରକ୍ଷା ସଚିବ ବିଜୟ ସିଂହଙ୍କୁ ବୋର୍ଡକୁ ପୁନଃ ମନୋନୀତ କରିବା ଲାଗି ବୈଠକ ଡକାଯାଇଥିଲା। ନୋଏଲ ଓ ଶ୍ରୀନିବାସନ ସେହି ପ୍ରସ୍ତାବ ଦେଇଥିଲେ ଯାହାକୁ ଅନ୍ୟ ଚାରି ସଦସ୍ୟ ମେହଲି ମିସ୍ତ୍ରି, ପ୍ରମିତ ଝାବେରୀ, ଜାହାଙ୍ଗୀର ଏଚ୍‌ ସି ଜାହାଙ୍ଗୀର ଓ ଡେରିୟସ୍‌ ଖମ୍ବାଟା ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଯେହେତୁ ଏହି ଚାରି ଜଣ ସଂଖ୍ୟା ଗରିଷ୍ଠ ଥିଲେ, ତେଣୁ ଶ୍ରୀ ସିଂହଙ୍କ ନିଯୁକ୍ତି ପ୍ରସ୍ତାବ କାଟ ଖାଇଯାଇଥିଲା। ସେଥିରେ ଅସନ୍ତୁଷ୍ଟ ହୋଇ ଶ୍ରୀ ସିଂହ ନିଜ ଆଡ଼ୁ ଇସ୍ତଫା ଦେଇଥିଲେ। ବିବାଦ ଏତିକିରେ ଶେଷ ହୋଇନଥିଲା। ମେହଲିଙ୍କୁ ବୋର୍ଡକୁ ମନୋନୀତ କରିବା ଲାଗି ଅପରପକ୍ଷ ପ୍ରସ୍ତାବ ଦେଇଥିଲେ ଯାହାକୁ ନୋଏଲ ଓ ଶ୍ରୀନିବାସନ ଗ୍ରହଣ କରିନଥିଲେ।

ଏହି ଝଗଡ଼ାରେ ମେହଲିଙ୍କ ସହ ଥିବା ଚାରି ସଦସ୍ୟଙ୍କ ସାପୁରଜୀ ପାଲୋଞ୍ଜି ପରିବାର ସହ ସମ୍ପର୍କ ରହିଛି। ସେହି ପରିବାରର ସଦସ୍ୟ ସ୍ବର୍ଗତ ସାଇରସ୍‌ ମିସ୍ତ୍ରିଙ୍କୁ କିଛି ବର୍ଷ ପୂର୍ବେ ଟାଟା ସନ୍ସର ଅଧ୍ୟକ୍ଷ କରାଯାଇଥିଲା। ସେ ଟାଟା ପରିବାର ବାହାରର ପ୍ରଥମ ସଦସ୍ୟ ଥିଲେ ଯାହାଙ୍କୁ ସେହି ପଦ ମିଳିଥିଲା। ରତନ ଟାଟା ଅବସର ନେବା ପରେ ସାଇରସ୍‌ କମ୍ପାନିର ନେତୃତ୍ବ ନେଇଥିଲେ। କିନ୍ତୁ ତାଙ୍କ କାର୍ଯ୍ୟକାଳ ବିବାଦୀୟ ରହିଥିଲା ଓ ତାଙ୍କୁ ଏକ ବୋର୍ଡ ବୈଠକ ପୂର୍ବରୁ ୨୦୧୬ରେ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ସେହି ନିଷ୍ପତ୍ତିକୁ ସାଇରସ୍‌ ଅନ୍ୟାୟ ବୋଲି କହିବା ସହ ଟାଟା ବିରୋଧରେ ଆଇନଗତ ଲଢ଼େଇ ଲଢ଼େଇ ଜାରି ରଖିଥିଲେ। କିନ୍ତୁ ସଡ଼କ ପଥରେ ଗୁଜରାଟରୁ ମୁମ୍ବାଇ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା। ନୋଏଲଙ୍କ ସହ ମୁହାଁମୁହିଁ ସ୍ଥିତିକୁ ଆସିଥିବା ମେହଲି ହେଉଛନ୍ତି ସାଇରସ୍‌ଙ୍କ ସମ୍ପର୍କୀୟ ଭାଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe