Image Courtesy of India Today
ମୁମ୍ବାଇ: ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଲାଗି ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ୍ ବଢ଼ାଇ ୫.୪%କୁ ବୃଦ୍ଧି କରିଛନ୍ତି।
ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତି ଉପରେ ଆଲୋଚନା କରିବା ଲାଗି ଅଗଷ୍ଟ ୩ ତାରିଖରୁ ୩ ଦିନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଦର ଧାର୍ଯ୍ୟକାରୀ କମିଟି ‘ମନିଟାରି ପଲିସି କମିଟି’ର (ଏମ୍ପିସି) ବୈଠକ ଚାଲିଥିଲା।
ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି, ଅଭିବୃଦ୍ଧିକୁ ସହାୟତା କରିବା ସହ ମୁଦ୍ରାସ୍ଫୀତିକୁ ଟାର୍ଗେଟ୍ ମଧ୍ୟରେ ସୀମିତ ରଖିବା ଲାଗି ‘ଏମ୍ପିସି’ ମାତ୍ରାଧିକ ନଗଦ ଟଙ୍କା ପ୍ରତ୍ୟାହାର ଉପରେ ଧ୍ୟାନ ଦେଇଛି।
ସେହିପରି ‘ଏମ୍ପିସି’ ‘ଷ୍ଟାଣ୍ଡିଙ୍ଗ୍ ଡିପୋଜିଟ୍ ଫେସିଲିଟି’ (ଏସ୍ଡିଏଫ୍) ଦର ୫.୧୫% ମଧ୍ୟରେ ରଖିଥିବା ବେଳେ ‘ମାର୍ଜିନାଲ୍ ଷ୍ଟାଣ୍ଡିଙ୍ଗ୍ ରେଟ୍’ (ଏମ୍ଏସ୍ଏଫ୍) ଦର ଏବଂ ବ୍ୟାଙ୍କ୍ ଦର ୫.୬୫% ରଖିବାକୁ ସ୍ଥିର କରିଛି।
Image Courtesy of Fortune Indiaଏହାଛଡ଼ା, ୨୦୨୨-୨୩ ବର୍ଷ ନିମନ୍ତେ ବାସ୍ତବ ‘ଡିଜିପି’ ଅଭିବୃଦ୍ଧି ପୂର୍ବମତେ ୭.୨% ହେବ ବୋଲି ଆଶା କରାଯାଉଛି। ଆର୍ଥିକ ବର୍ଷର ୧ମ ୩ ମାସରେ ‘ଡିଜିପି’ ୧୬.୨%, ୨ୟ ୩ ମାସରେ ୬.୨%, ୩ୟ ୩ ମାସରେ ୪.୧% ଏବଂ ୪ର୍ଥ ୩ ମାସରେ ୪% ହେବ ବୋଲି ଆକଳନ କରାଯାଇଛି।
ସେହି ଅନୁସାରେ, ୨୦୨୩-୨୪ର ପ୍ରଥମ ୩ ମାସରେ ବାସ୍ତବ ‘ଡିଜିପି’ ଅଭିବୃଦ୍ଧି ୬.୭% ହେବ ବୋଲି ଆକଳନ କରାଯାଇଥିବା କଥା ଶକ୍ତିକାନ୍ତ ଦାସ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷରେ ଏହା ହେଉଛି ରିଜର୍ଭ ବ୍ୟାଙ୍କ୍ ତୃତୀୟ ରେପୋ ରେଟ୍ ବୃଦ୍ଧି। ନିର୍ଦ୍ଧାରିତ ସମୟ ବାହାରେ ମେ ମାସରେ ହୋଇଥିବା ‘ମିନିଟାରି ପଲିସି ସମୀକ୍ଷା’ ବେଳେ ରିଜର୍ଭ ବ୍ୟାଙ୍କ୍ ୪୦ ବେସିସ୍ ପଏଣ୍ଟ୍ ବଢ଼ାଇ ରେପୋ ରେଟ୍ ୪.୪୦%କୁ ବୃଦ୍ଧି କରିଥିଲା। ଏହାପରେ ପୁଣି ଜୁନ୍ ମାସରେ ରିଜର୍ଭ ବ୍ୟାଙ୍କ୍ ୫୦ ବେସିସ୍ ପଏଣ୍ଟ୍ ବଢ଼ାଇ ରେପା ରେଟ୍ ୪.୯୦%କୁ ବୃଦ୍ଧି କରିଥିଲା।
Follow Us